ନୂଆପଡ଼ାରେ ଘରକୁ ଘର ସର୍ବେକ୍ଷଣ ଅଭିଯାନ ପାଇଁ ସଚେତନତା ରଥର ଶୁଭାରମ୍ଭ

Oct 23, 2026 - 18:18
 0  11
ନୂଆପଡ଼ାରେ ଘରକୁ ଘର ସର୍ବେକ୍ଷଣ ଅଭିଯାନ ପାଇଁ ସଚେତନତା ରଥର ଶୁଭାରମ୍ଭ

ନୂଆପଡ଼ା : ୨୩/୧୦: ଆଗାମୀ ପଞ୍ଚାୟତିରାଜ ଅନୁଷ୍ଠାନ (PRI) ଓ ସହରାଞ୍ଚଳ (ULB) ନିର୍ବାଚନ ପାଇଁ ୱାର୍ଡଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଘରକୁ ଘର ସର୍ବେକ୍ଷଣ (Door-to-Door Survey) ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସମାରୋହରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ଅନ୍ୟା ଦାସ ସବୁଜ ପତାକା ଦେଖାଇ ଅତିଥିମାନଙ୍କ ଉପସ୍ଥିତିରେ ସଚେତନତା ରଥକୁ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୁର୍ମି ସୋରେନ୍, ନୂଆପଡା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ଖରିଆର ରୋଡ୍ ଏନ୍‌ଏସି ଅଧ୍ୟକ୍ଷା ଡଃ ସୋନିଆ ଜୈନଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ। ଏହି ସଚେତନତା ରଥ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ ଓ ଏନ୍‌ଏସି ଅଞ୍ଚଳ ପରିକ୍ରମା କରି ଆସନ୍ତା ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଘରକୁ ଘର ସର୍ବେକ୍ଷଣ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବ। ଏହି ସର୍ବେକ୍ଷଣ ମାଧ୍ୟମରେ ଗ୍ରାମ ପଞ୍ଚାୟତ ଓ ଏନ୍‌ଏସିଗୁଡ଼ିକର ୱାର୍ଡଭିତ୍ତିକ ଭୌଗୋଳିକ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ସର୍ବେକ୍ଷଣ କାର୍ଯ୍ୟରେ ବୁଥ୍‌ସ୍ତରୀୟ ଅଧିକାରୀ (BLO), ଅଙ୍ଗନବାଡ଼ି କର୍ମୀ ଓ ଅନ୍ୟାନ୍ୟ ନିଯୁକ୍ତ ଅଧିକାରୀମାନେ ଘରକୁ ଘର ଯାଇ ଆବଶ୍ୟକ ତଥ୍ୟ ସଂଗ୍ରହ କରିବେ। ଏହାଦ୍ୱାରା ପ୍ରତ୍ୟେକ ୱାର୍ଡର ଭୌଗୋଳିକ ସୀମା ଅନୁଯାୟୀ ଭୋଟର ତାଲିକା ପ୍ରସ୍ତୁତିରେ ସହାୟତା ମିଳିବ। ଏହି ସର୍ବେକ୍ଷଣ କାର୍ଯ୍ୟକୁ ସଫଳ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ ସର୍ବେକ୍ଷଣକାରୀ ଦଳକୁ ଆବଶ୍ୟକ ସହଯୋଗ ଯୋଗାଇଦେବା ସହ ସଠିକ୍ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି। ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ