ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

Jun 23, 2026 - 20:37
 0  1
ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

ବାରିପଦା, (୨୩/୦୬): ଚଳିତ ବର୍ଷ ବାରିପଦା ରଥଯାତ୍ରା-୨୦୨୬କୁ ଶାନ୍ତି, ଶୃଙ୍ଖଳା ଓ ପାରମ୍ପରିକ ରୀତିନୀତି ଅନୁଯାୟୀ ସୁପରିଚାଳନା କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ ବାରିପଦା ଦେବତ୍ତର ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରଥ ନିର୍ମାଣ, ନୀତିକାନ୍ତି ପାଳନ, ସୁରକ୍ଷା ବ୍ୟବସ୍ଥା, ବିଦ୍ୟୁତ ଆଲୋକୀକରଣ, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ ଯୋଗାଣ, ସ୍ୱଚ୍ଛତା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଯାତାୟାତ ନିୟନ୍ତ୍ରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସମ୍ପୃକ୍ତ ସମସ୍ତ ବିଭାଗ, ଦେବତ୍ତର ବିଭାଗ ଏବଂ ସେବାୟତମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ସୁଚାରୁ ରୂପେ ସମ୍ପାଦନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଜିଲ୍ଲାପାଳ ଶ୍ରୀ ସୟ ଉପସ୍ଥିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଚଳିତ ବର୍ଷ ରଥଯାତ୍ରାକୁ ପୂର୍ବବର୍ଷ ପରି ମହାପ୍ରଭୁଙ୍କ ନୀତିକାନ୍ତି ଅନୁଯାୟୀ ଶାନ୍ତି ଓ ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବୈଠକରେ ବାରିପଦା ପୌରପାଳିକା ଅଧ୍ୟକ୍ଷ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି, ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଠୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ବାରିପଦା ଉପ-ଜିଲ୍ଲାପାଳ ଶ୍ରୀମତୀ କସ୍ତୁରୀ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ବୈଠକରେ ରଥଯାତ୍ରାର କାର୍ଯ୍ୟନିର୍ଘଣ୍ଟ ଓ ପ୍ରସ୍ତୁତି ସମ୍ପର୍କିତ ବିସ୍ତୃତ ବିବରଣୀ ଉପସ୍ଥାପନ କରାଯାଇଥିଲା। ରଥଯାତ୍ରା ସମୟରେ ବଡଦାଣ୍ଡ ଏବଂ ସହରର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଆଲୋକୀକରଣ, ଯଥେଷ୍ଟ ପୋଲିସ ମୁତୟନ, ଟ୍ରାଫିକ ନିୟନ୍ତ୍ରଣ, ସିସିଟିଭି ନଜରଦାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ସେବାମୂଳକ କାର୍ଯ୍ୟରେ ନିୟୋଜିତ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ଓ ଆମ୍ବୁଲାନ୍ସ ବ୍ୟବସ୍ଥା ସହିତ ଅଗ୍ନିକାଣ୍ଡ ଓ ଆକସ୍ମିକ ଦୁର୍ଘଟଣାର ମୁକାବିଲା ପାଇଁ ଅଗ୍ନିଶମ ବିଭାଗକୁ ଆବଶ୍ୟକୀୟ ପ୍ରସ୍ତୁତି ରଖିବାକୁ ଦାୟିତ୍ୱ ଦିଆଯାଇଛି । ସହର ଓ ବଡଦାଣ୍ଡ ଅଞ୍ଚଳରେ ସ୍ୱଚ୍ଛତା ଏବଂ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା, ବଡଦାଣ୍ଡରେ ଆମିଷ ଭୋଜନ ପ୍ରସ୍ତୁତି ଓ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରିବା ସହ ମଦ ଦୋକାନଗୁଡ଼ିକୁ ବନ୍ଦ ରଖାଯିବା ଏବଂ ନିୟମିତ ଚଢ଼ାଉ କରାଯିବା ପାଇଁ ସମ୍ପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ, ସେବାୟତ, ରଥ ମହାରଣା, ରଥ ମହାପାତ୍ର, ପରିଛା ଓ ସହରର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷମାନେ ଯୋଗଦେଇ ରଥଯାତ୍ରା ସମ୍ପର୍କିତ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରି ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ