।। ଦୂତୀଙ୍କ ବିବାହ ଯୋଜନା ଭଣ୍ଡୁର ହେଲା ।।

Oct 20, 2023 - 06:07
 0  37
।। ଦୂତୀଙ୍କ ବିବାହ ଯୋଜନା ଭଣ୍ଡୁର ହେଲା ।।

ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ସ୍ବୀକୃତି ଦେବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ମନା କରିଦେଇଛନ୍ତି। ଫଳରେ ଓଡ଼ିଶାର ଖ୍ୟାତନାମା ଧାବିକା ଦୂତୀ ଚାନ୍ଦଙ୍କ ବିବାହ ଯୋଜନା ଭଣ୍ଡୁର ହୋଇଥିବା ସେ କହିଛନ୍ତି। ପାର୍ଟନର ମୋନାଲିସାଙ୍କୁ ବିବାହ କରିବାକୁ ଯୋଜନା କରିଥିଲେ। ତେବେ ଭାରତରେ ଦିନେ ନା ଦିନେ ସମଲିଙ୍ଗୀ ବିବାହ ବାସ୍ତବ ରୂପ ନେବ ବୋଲି ସେ ଆଶା ବାନ୍ଧିଛନ୍ତି।ସୁପ୍ରିମକୋର୍ଟଙ୍କ ୫ ଜଣିଆ ସାମ୍ବିଧାନିକ ପୀଠ ମଙ୍ଗଳବାର ସମଲିଙ୍ଗୀ ବିବାହକୁ ସ୍ବତନ୍ତ୍ର ବିବାହ ଆଇନ ଅଧୀନରେ ମାନ୍ୟତା ଦେବାକୁ ମନା କରିଥିଲେ ମଧ୍ୟ ସମାନ ଲିଙ୍ଗର ବ୍ୟକ୍ତିଙ୍କ ମିଳନ ସମ୍ପର୍କିତ ଆଇନ ପାର୍ଲାମେଣ୍ଟ ଆଣିପାରିବ ବୋଲି ରାୟ ଦେଇଥିଲେ। ଦୂତୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ସୁପ୍ରିମକୋର୍ଟ ସମଲିଙ୍ଗୀମାନଙ୍କୁ ସହାବସ୍ଥାନ ପାଇଁ ବାରଣ କରିନାହାନ୍ତି। ଦେଶରେ ସମଲିଙ୍ଗୀଙ୍କ ମଧ୍ୟରେ ବିବାହ ପାଇଁ କୌଣସି ଆଇନ ନ ଥିବାରୁ ଏଥିରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିନାହାନ୍ତି। କିନ୍ତୁ କେନ୍ଦ୍ର ସରକାର ଓ ପାର୍ଲାମେଣ୍ଟ ନିଶ୍ଚିତ ଭାବେ ଏହି ପ୍ରସଙ୍ଗକୁ ବିଚାରକରି ଭବିଷ୍ୟତରେ ସମଲିଙ୍ଗୀ ବିବାହ ପାଇଁ ଉପଯୁକ୍ତ ଆଇନ ପ୍ରଣୟନ କରିବେ। ଏନେଇ ଆମେ ଆଶାବାଦୀ ବୋଲି ଦୂତୀ କହିଛନ୍ତି ।୫ ବର୍ଷ ଧରି ନିଜ ପାର୍ଟନର ମୋନାଲିସାଙ୍କ ସହ ସମ୍ପର୍କରେ ଥିବା ନେଇ ପ୍ରଘଟ କରିବାକୁ ଦ୍ୱିଧା ପ୍ରକାଶ କରୁ ନ ଥିବା ଦୂତୀ ଆହୁରି କହିଛନ୍ତି, ଆମେ ଦୁହେଁ ପରସ୍ପରକୁ ଭଲ ପାଉ। ଏକାଠି ରହି ବାହାହେବାକୁ ନିଷ୍ପତ୍ତି ନେଇଛୁ। ସମଲିଙ୍ଗୀ ବିବାହକୁ ସହରୀ-ଗାଉଁଲୀ, ଉଚ୍ଚ-ନୀଚ, ଜାତି, ବର୍ଣ୍ଣ ଓ ଧର୍ମ ଆଧାରରେ ଦେଖାଯିବା ଅନୁଚିତ। ଏହା ମାନବ ଜାତିର ଏକ ସମସ୍ୟା। ଜୀବନରେ ସମସ୍ତଙ୍କୁ ଉପଯୁକ୍ତ ଅଧିକାର ମିଳିବା ଉଚିତ। ବିଧବା ବିବାହ ନେଇ ଭାରତରେ ଯେପରି କୌଣସି ଆଇନ ନ ଥିଲା ଆଜି ସମଲିଙ୍ଗୀ ବିବାହ ସମ୍ପର୍କିତ ଆଇନ ନାହିଁ। ତେବେ ବିଧବା ବିବାହ ଭଳି ସମଲିଙ୍ଗୀମାନଙ୍କୁ ମଧ୍ୟ ବିବାହ ପାଇଁ ଦିନେ ଅନୁମତି ମିଳିବ ବୋଲି ଦୂତୀ ଯୁକ୍ତି ବାଢ଼ିଛନ୍ତି ।

 ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ