୬୫ତମ ଓୟୁଏଟି ପ୍ରତିଷ୍ଠା ଦିବସରେ କୃଷି ବିଜ୍ଞାନ କେନ୍ଦ୍ର, ମୟୁରଭଞ୍ଜ-୨, ଯଶିପୁର କୁ ଶ୍ରେଷ୍ଠ କେଭିକେ ପୁରସ୍କାର
ଭୁବନେଶ୍ୱର: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି ), ଭୁବନେଶ୍ୱରର ୬୫ତମ ପ୍ରତିଷ୍ଠା ଦିବସ ଅବସରରେ କୃଷି ବିଜ୍ଞାନ କେନ୍ଦ୍ର, ମୟୁରଭଞ୍ଜ-୨, ଯଶିପୁରକୁ ଶ୍ରେଷ୍ଠ କୃଷି ବିଜ୍ଞାନ କେନ୍ଦ୍ର (Best KVK ) ପୁରସ୍କାର ପ୍ରଦାନ କରାଯାଇଛି I ଏହି ଅବସରରେ ଓୟୁଏଟିର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, ଓଡିଶା ସରକାର ଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ, କୃଷି କମିଶନର ତଥା ସାଶନ ସଚିବ ଶ୍ରୀଯୁକ୍ତ ରାମଚନ୍ଦ୍ର ଯାଦବ ଏବଂ କୃଷି ସମ୍ପ୍ରସାରଣ ନିର୍ଦ୍ଧେଶାଳୟ, ଓୟୁଏଟି ର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ସ୍ୱାଇଁ ପ୍ରମୁଖଙ୍କ ଉପସ୍ଥିତିରେ ଉପମୁଖ୍ୟମନ୍ତ୍ରୀ ତଥା ଓୟୁଏଟିର ଉପ-କୁଳାଧିପତି ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥିଲେ I କେଭିକେ, ମୟୁରଭଞ୍ଜ-୨ ର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ. ଦୀପକ କୁମାର ମହାନ୍ତି ଅନୁଷ୍ଠାନ ପକ୍ଷରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ I କୃଷି ଓ କୃଷକଙ୍କ ସ୍ୱାର୍ଥରେ ବୈଜ୍ଞାନିକ କୃଷି ପ୍ରଯୁକ୍ତିର ପ୍ରସାର, କୃଷକ ପ୍ରଶିକ୍ଷଣ, କ୍ଷେତ୍ର ପରୀକ୍ଷଣ, ଅଗ୍ରଣୀ କ୍ଷେତ୍ର ପ୍ରଦର୍ଶନ, କୃଷକ ଉତ୍ପାଦକ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କୃଷି ଉଦ୍ୟୋଗିତା ବିକାଶ କ୍ଷେତ୍ରରେ କେଭିକେ ମୟୁରଭଞ୍ଜ-୨ ର ଉଲ୍ଲେଖନୀୟ କାର୍ଯ୍ୟକୁ ବିଚାରକୁ ନେଇ ଏହି ସମ୍ମାନ ପ୍ରଦାନ କରାଯାଇଛି I ମୟୁରଭଞ୍ଜ ଜିଲ୍ଲାର କୃଷକ ମାନଙ୍କ ଆୟ ବୃଦ୍ଧି, ଆଧୁନିକ କୃଷି ପ୍ରଯୁକ୍ତିର ପ୍ରସାର, ମହିଳା କୃଷକ ଓ ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ସହିତ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ଦିଗରେ କେଭିକେ, ମୟୁରଭଞ୍ଜ-୨ ର ଭୂମିକା ଉଲ୍ଲେଖନୀୟ ରହିଛି I ଏହି ପୁରସ୍କାର କେଭିକେର ବୈଜ୍ଞାନିକ, କର୍ମଚାରୀ, କୃଷକ ଓ ସମସ୍ତ ସହଯୋଗୀଙ୍କ ନିଷ୍ଠା, ପରିଶ୍ରମ ଓ ସମର୍ପଣର ଏକ ସ୍ୱୀକୃତି I ସେଥିପାଇଁ କେନ୍ଦ୍ର ର ମୁଖ୍ୟ ଡ. ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି I ଏହି ସମ୍ମାନ ଆଗାମୀ ଦିନରେ କୃଷକ ସେବା ଓ କୃଷି ପ୍ରଯୁକ୍ତି ପ୍ରସାର କାର୍ଯ୍ୟକୁ ଆହୁରି ଗତିଶୀଳ କରିବ ବୋଲି ଆଶା ପ୍ରକାଶ ପାଇଛି I
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0