ହାଇୱେରେ ବିବାହ ବିଜ୍ଞାପନ ହୋର୍ଡିଂ

Sep 29, 2025 - 12:23
 0  5
ହାଇୱେରେ ବିବାହ ବିଜ୍ଞାପନ ହୋର୍ଡିଂ

  ୱାଶିଂଟନ: ଜଣେ ଭଲ ଜୀବନସାଥୀ ଖୋଜିବା ପାଇଁ ଲୋକେ ପ୍ରାୟତଃ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ, ବୈବାହିକ ୱେବ୍‌ସାଇଟ୍‌ କିମ୍ବା ଡେଟିଂ ଆପ୍ସଗୁଡ଼ିକୁ ବ୍ୟବହାର କରିଥାନ୍ତି। ନଚେତ୍‌ ସେମାନେ ସମ୍ପର୍କୀୟଙ୍କ ପରାମର୍ଶରେ ନିଜ ଜୀବନସାଥୀଙ୍କୁ ବାଛିଥାନ୍ତି। ତେବେ ଜଣେ ୪୨ ବର୍ଷୀୟା ଆମେରିକୀୟ ଅବିବାହିତ ମହିଳା ନିଜ ବିବାହ ପାଇଁ ଏକ ଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। ସେ ଆମେରିକାର ଏକ ରାଜପଥରେ ନିଜ ବିବାହ ପାଇଁ ଏକାଧିକ ବିଜ୍ଞାପନ ବିଲ୍‌ବୋର୍ଡ ଲଗାଇଛନ୍ତି। ଏହି ବିଲବୋର୍ଡରେ ତାଙ୍କ ୱେବ୍‌ସାଇଟର ନାମ ଉଲ୍ଲେଖ ରହିଛି। ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆମେରିକାର କାଲିଫର୍ନିଆ ବାସିନ୍ଦା ଲିସା କାଟାଲାନୋ ପୋଷାକ ବ୍ୟବସାୟୀ ଭାବେ ନିଜ ଜୀବିକା ନିର୍ବାହ କରୁଛନ୍ତି। ତେବେ ବିଭିନ୍ନ ଡେଟିଂ ଆପ୍ସ ଏବଂ ମାଟ୍ରିମୋନିଆଲ ପ୍ଲାଟ୍‌ଫର୍ମଗୁଡିକରେ ବିଫଳ ହେବା ପରେ ସେ ସାଣ୍ଟା କ୍ଲାରାରୁ ସାନ୍‌ ଫ୍ରାନ୍ସିସ୍କୋ ପର୍ଯ୍ୟନ୍ତ ପରିବ୍ୟାପ୍ତ ୪୫ ମାଇଲ ବିଶିଷ୍ଟ ହାଇୱେ ୧୦୧ଏର ଉଭୟ ପାର୍ଶ୍ୱରେ ଏକ ଡଜନ ବିଲବୋର୍ଡକୁ ଭଡ଼ାରେ ନେଇଛନ୍ତି। ଏହି ବିଲବୋର୍ଡଗୁଡ଼ିକରେ ଲିସାଙ୍କ ବିବାହ ପାଇଁ ବିଜ୍ଞାପନ ଦିଆଯାଇଛି। ଲିସାଙ୍କୁ ବିବାହ ପାଇଁ ଆଗ୍ରହୀ ବ୍ୟକ୍ତିମାନେ ତାଙ୍କ ୱେବ୍‌ସାଇଟ ମାଧ୍ୟମରେ ସିଧାସଳଖ ଆବେଦନ କରିପାରିବେ। ଲିସା କହିଛନ୍ତି, ସେ ପ୍ରଥମ ଦେଖାରେ ହେଉଥିବା ପ୍ରେମକୁ ବିଶ୍ୱାସ କରନ୍ତି। ସମ୍ପ୍ରତି ସେ ଯେକୌଣସି ମୂଲ୍ୟରେ ନିଜ ପାଇଁ ଜୀବନସାଥୀ ଖୋଜିବାକୁ ସ୍ଥିର କରିଛନ୍ତି। ତେବେ ଏହା ତାଙ୍କର କୌଣସି ପବ୍ଲିସିଟି ଷ୍ଟଣ୍ଟ୍‌ ନୁହେଁ ବୋଲି ଲିସା ଜୋର୍‌ଦେଇ କହିଛନ୍ତି। ବିବାହ କରିବା ପାଇଁ ଏହା ତାଙ୍କର ଏକ ଗମ୍ଭୀର ଏବଂ ଆତ୍ମନିର୍ଭରଶୀଳ ପ୍ରୟାସ। ତାଙ୍କର ବିଜ୍ଞାପନ ହୋର୍ଡିଂକୁ ଦେଖି ଯୋଗ୍ୟ ବ୍ୟକ୍ତିମାନେ ତାଙ୍କ ବ୍ୟକ୍ତିଗତ ଡେଟିଂ ୱେବ୍‌ସାଇଟ୍‌ marrylisa.comକୁ ଯାଇ ସେଠାରେ ଲିସାଙ୍କ ମନ ମୁତାବକ ଜୀବନସାଥୀଙ୍କଠାରେ ଆବଶ୍ୟକ ଥିବା ଗୁଣଗୁଡ଼ିକ ସମ୍ପର୍କରେ ଜାଣିପାରିବେ ଓ ତାଙ୍କ ସହ ବିବାହ ପାଇଁ ସିଧାସଳଖ ଭାବେ ଆବେଦନ କରିପାରିବେ। ବିଲ୍‌ବୋର୍ଡ ବ୍ୟତୀତ ଲିସା ଟ୍ୟାକ୍ସିଗୁଡ଼ିକରେ ମଧ୍ୟ ନିଜ ବିବାହ ପାଇଁ ବିଜ୍ଞାପନ ଲଗାଇଛନ୍ତି। ତେବେ ଏହି ପ୍ରୟାସ ପାଇଁ ଅନେକେ ଲିସାଙ୍କୁ ଟ୍ରୋଲ୍‌ କରୁଛନ୍ତି। ଏହାର ଜବାବ ରଖି ଲିସା କହିଛନ୍ତି, ସେ କେବଳ ପ୍ରକୃତ ପ୍ରେମ ଚାହାନ୍ତି। ଡେଟିଂ ଆପ୍ସରେ ବାରମ୍ବାର ବିଫଳତା ପାଇବା ପରେ ସେ ଏହି ଭିନ୍ନ ପଥ ବାଛିଛନ୍ତି। ସେ ବିବାହ କରିବା ସହ ନିଜ ପରିବାର ଆରମ୍ଭ କରିବାକୁ ଚାହାନ୍ତି। ଏକ ସୁସ୍ଥ ଜୀବନଶୈଳୀ ଅନୁସରଣ କରୁଥିବା ୩୫ରୁ ୪୫ ବର୍ଷ ବୟସର ଜଣେ ଜୀବନସାଥୀ ସେ ଚାହାନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ