ଲଗାଣ ବର୍ଷାରେ ଭୁଷୁଡ଼ିଲା ଶ୍ରେଣୀ ଗୃହ:ବିପଦ ସଂକୁଳ ଶ୍ରେଣୀ ଗୃହରେ ଭବିଷ୍ୟତ ଗଢ଼ୁଛନ୍ତି ଦେଶର ଭବିଷ୍ୟତ

Jul 29, 2025 - 20:52
 0  13
ଲଗାଣ ବର୍ଷାରେ ଭୁଷୁଡ଼ିଲା ଶ୍ରେଣୀ ଗୃହ:ବିପଦ ସଂକୁଳ ଶ୍ରେଣୀ ଗୃହରେ ଭବିଷ୍ୟତ ଗଢ଼ୁଛନ୍ତି ଦେଶର ଭବିଷ୍ୟତ

କନ୍ଧମାଳ:(ଫାଷ୍ଟ ନ୍ୟୁଜ ଓଡିଶା): ଲଗାଣ ବର୍ଷାରେ ଭୁଷୁଡ଼ିଲା ସ୍କୁଲ୍ ଶ୍ରେଣୀ ଗୃହ । ଏବେ ବିପଦ ସଂକୁଳ ଅବସ୍ଥାରେ ଥିବା ଅତିରିକ୍ତ ଶ୍ରେଣୀ ଗୃହରେ ଭବିଷ୍ୟତ ଗଢୁଛନ୍ତି ଦେଶର ଭବିଷ୍ୟତ । ବାରମ୍ବାର ଅଭିଯୋଗ ପରେ ମଧ୍ୟ କର୍ଣ୍ଣପାତ କଲେନି ବିଭାଗୀୟ ଅଧିକାରୀ ଓ ପ୍ରଶାସନ । ଭଙ୍ଗା ଘରେ ପାଠ ପଢ଼ାଇବାକୁ ପିଲାଙ୍କୁ ବିଦ୍ୟାଳୟକୁ ଛାଡ଼ିବାକୁ ଅଭିଭାବକଙ୍କର ଭରଷା ପାଉନି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ, ଏହି ବିଦ୍ୟାଳୟରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ପାଠ ପଢ଼ୁଛନ୍ତି ୭୭ ଜଣ ଛାତ୍ରଛାତ୍ରୀ ‌।

ବିଦ୍ୟାଳୟରେ ସ୍ବଳ୍ପ ସଂଖ୍ୟକ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀ ପାଠ ପଢ଼ୁଥିଲେ । କିନ୍ତୁ ଲଗାଣ ବର୍ଷାରେ ଗୋଟିଏ ସ୍ଥାନରେ ଥିବା ତିନୋଟି ଶ୍ରେଣୀ ଗୃହର ଛାତ ଭୁଷୁଡ଼ି ପଡ଼ିଛି । ଫଳରେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ । ବର୍ଷାରେ ଶ୍ରେଣୀଗୃହ ଭୁଶୁଡ଼ିବା ପରେ ଏବେ ପୁରୁଣା ଅତିରିକ୍ତ ଶ୍ରେଣୀ ଗୃହରେ ବିପଦ ସଂକୁଳ ଅବସ୍ଥାରେ ପାଠ ପଢ଼ୁଛନ୍ତି ବିଦ୍ୟାଳୟର ୭୭ ଜଣ ଛାତ୍ରଛାତ୍ରୀ । ଶ୍ରେଣୀ ଗୃହରେ କେଉଁଠି ଆଜବେଷ୍ଟସ କଣା ହୋଇ ପାଣି ଗଳୁଛି ତ କେଉଁଠି ଆଜବେଷ୍ଟସକୁ ଲାଖି ରହିଥିବା କାଠ ଭାଙ୍ଗି ଓହଳି ରହିଛି । କେତେକ ସ୍ଥାନରେ ଶ୍ରେଣୀ ଗୃହର କାନ୍ଥ ଫାଟି ଆଁ କରିଥିବା ବେଳେ ଅନେକ ସ୍ଥାନରେ ପଲସ୍ତରା ଛାଡ଼ି ଯାଇଥିବା ଦେଖିବାକୁ ମିଳିଛି । ଏବେ ନିଜ ପିଲାଙ୍କୁ ବିଦ୍ୟାଳୟକୁ ଛାଡ଼ିବାକୁ ମଧ୍ୟ ଅସୁରକ୍ଷିତ ମଣୁଛନ୍ତି ଅଭିଭାବକ । ସେପଟେ ନୂତନ ଶ୍ରେଣୀଗୃହ ନିର୍ମାଣ ସହ ବିଦ୍ୟାଳୟର ଆନୁସଙ୍ଗିକ ବ୍ୟବସ୍ଥାକୁ ସୁଧାରିଲେ ଆମେ ନିର୍ଭୟରେ ସୁରକ୍ଷିତ ଭାବେ ପାଠ ପଢ଼ିପାରିବୁ ବୋଲି ସରକାରଙ୍କୁ ନିବେଦନ କରିଛନ୍ତି କୋମଳମତି ଛାତ୍ରଛାତ୍ରୀ । ବିଦ୍ୟାଳୟର ଶ୍ରେଣୀ ଗୃହ ନିର୍ମାଣ ସହ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ପ୍ରତି ଗୁରୁତ୍ବ ଦେବାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଯାବତ୍ ଫଳ ଶୂନ ।

ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଗୁରୁତ୍ବ ଦେଇ ଯଥାଶୀଘ୍ର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିଦ୍ୟାଳୟ ଶ୍ରେଣୀ ଗୃହ ନିର୍ମାଣ କରିବାକୁ ପ୍ରଶାସନ ଓ ସରକାରଙ୍କୁ ଅନୁରୋଧ କରିଛନ୍ତିି ଗ୍ରାମବାସୀ । ଅନ୍ୟପଟେ ବର୍ତ୍ତମାନ ବିଦ୍ୟାଳୟ ଶ୍ରେଣୀ ଗୃହର ଅବସ୍ଥାକୁ ଦେଖି ଉଭୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଭୟଭୀତ ଅଛନ୍ତି । ତଥାପି ଭଗବାନ ଭରସାରେ ବିପଦ ସଂକୁଳ ଅବସ୍ଥାରେ ଯେନତେନ ଶିକ୍ଷାଦାନ କରୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ଅନ୍ୟପଟେ ବିଦ୍ୟାଳୟର ଶ୍ରେଣୀଗୃହ ବର୍ଷାରେ ଭୁଷୁଡ଼ିଛି, ଏନେଇ ମୁଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବି ବୋଲି କହିଛନ୍ତି ବାଲିଗୁଡ଼ା ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ । ସେପଟେ ବିଳମ୍ବିତ ରାତ୍ରରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। କିନ୍ତୁ,ଯଦି ଶିକ୍ଷାଦାନ ଅବସ୍ଥାରେ ଏଭଳି ଘଟଣା ଘଟିଥାନ୍ତା ତେବେ ଅବସ୍ଥା କ'ଣ ହୋଇଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ ଓ ଗ୍ରାମବାସୀ । ଏ ସମ୍ପର୍କ ରେ ବାଲିଗୁଡା ବିଡ଼ିଓ ଅକ୍ଷୟ କୁମାର ମଲ୍ଲିକ ଙ୍କୁ ପଚାରିବାରୁ ସେ ଖୁବ ଶିଘ୍ର କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି l ତେବେ ଏଭଳି ସଂଗୀନ୍ ସମସ୍ୟା ପ୍ରତି ସ୍ଥାନୀୟ ପ୍ରଶାସନ ଓ ବିଭାଗୀୟ ଅଧିକାରୀ କେତେ ତତ୍ପର ହେଉଛନ୍ତି ଏବଂ ବିଦ୍ୟାଳୟର ସମସ୍ୟା ସୁଧାରିବାକୁ କେବେ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ