।। ମୟୂରଭଞ୍ଜରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ୧୫୫ ତମ ଗାନ୍ଧୀ ଜୟନ୍ତୀ ଓ ୧୨୦ ତମ ଶାସ୍ତ୍ରୀ ଜୟନ୍ତୀ ।।

Dec 1, 2024 - 18:38
 0  9
।। ମୟୂରଭଞ୍ଜରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ୧୫୫ ତମ ଗାନ୍ଧୀ ଜୟନ୍ତୀ ଓ ୧୨୦ ତମ ଶାସ୍ତ୍ରୀ ଜୟନ୍ତୀ ।।

ବାରିପଦା, ତା-୦୨/୧୦: ସତ୍ୟ ଓ ଅହିଂସାର ପୂଜାରୀ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜିଲ୍ଲା ସ୍ତରୀୟ ୧୫୫ତମ ଜୟନ୍ତୀ ଓ ଶାନ୍ତିର ଦୂତ ଲାଲ ବହାଦୁର ଶାସ୍ତ୍ରୀଙ୍କ ୧୨୦ ତମ ଜନ୍ମ ଜୟନ୍ତୀ ବୁଧବାର ଦିନ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ତତ୍ତ୍ବାବଧାନରେ ବାରିପଦା ସହରସ୍ଥିତ ଗାନ୍ଧୀପାର୍କ ପରିସରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଉପ-ବିଭାଗ ଏବଂ ବାରିପଦା ପୌରପାଳିକାଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି। ଏହି ପରିପ୍ରେକ୍ଷୀରେ, ସକାଳ ୪ଟା ରୁ ସୂଚନା ଲୋକସମ୍ପର୍କ ବିଭାଗ ତରଫରୁ ଡାକବାଜି ଯନ୍ତ୍ର ଦ୍ୱାରା ସହରରେ ରାମଧୂନ ପରିବେଷଣ କରାଯାଇଥିଲା। ତତ ସହିତ ବିଭିନ୍ନ ସ୍କୁଲ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରଥମେ ପ୍ରଭାତ ଫେରି ଏବଂ ପରେପରେ ଗାନ୍ଧୀ ଜୟନ୍ତୀ ସଚେତନତା ମୂଳକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ, ଶ୍ରୀମତୀ ମମତା ମହାନ୍ତ, ମାନ୍ୟବର ବିଧାୟକ, ବାରିପଦା ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସୋରେନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପାଳନୀୟ ଦିବସର କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ମୟୂରଭଞ୍ଜ ଶ୍ରୀଯୁକ୍ତ ହେମକାନ୍ତ ସୟ. ଭା.ପ୍ର.ସେ.ସଂଚାଳନ କରିଥିଲେ ଏବଂ ସମସ୍ତ ଅତିଥିଙ୍କ ସହ ଗାନ୍ଧୀପାର୍କ ପରିସରରେ ଅବସ୍ଥାପିତ ପୂଜ୍ୟ ମହାତ୍ମାଗାନ୍ଧୀ ଓ ଲାଲବାହାଦୂର ଶାସ୍ତ୍ରୀ ଙ୍କ ପ୍ରତିମୂର୍ତ୍ତିରେ “ସାମୁହିକ ମାଲ୍ୟାର୍ପଣ” ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପୂର୍ବ ପ୍ରସ୍ତାବିତ କାର୍ଯ୍ୟସୂଚୀ ଅନୁଯାୟୀ ସେହି ଠାରେ ଏକ “ସର୍ବଧର୍ମ ପ୍ରାର୍ଥନା ସଭା” ଅନୁଷ୍ଠିତ ହୋଇଥିଲା। ହିନ୍ଦୁ ଧର୍ମ ପବିତ୍ର ଗ୍ରନ୍ଥ ଗୀତା, ଇସଲାମ ଧର୍ମର ପବିତ୍ର କୋରାନ, ଶିଖ ଧର୍ମ ପବିତ୍ର ଗୁରୁ ଗ୍ରନ୍ଥ ସାହେବ ଏବଂ ଖ୍ରୀଷ୍ଟ ଧର୍ମ ପବିତ୍ର ବାଇବେଲ ପାଠ କରା ଯାଇଥିଲା। ନିଜ ଅଭିଭାଷଣରେ ମାନ୍ୟବର ସାଂସଦ ଶ୍ରୀମତୀ ମହାନ୍ତ ଭାରତର ଶାନ୍ତି, ମୈତ୍ରୀ ଏବଂ ସାର୍ବଭୌମତ୍ବ ପାଇଁ ଗାନ୍ଧିଜୀ ଏବଂ ଶାସ୍ତ୍ରୀଜୀଙ୍କ ଅବଦାନ ଏବଂ ସାମ୍ପ୍ରତିକ ଯୁଗରେ ତାଙ୍କ ଆଦର୍ଶର ମହନୀୟତା ବିଷୟରେ କହିଥିଲେ। ଏହି ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ପାଇଁ ସ୍କୁଲ ଓ କଲେଜ ପିଲାଙ୍କ ମଧ୍ୟରେ ହୋଇଥିବା ପ୍ରବନ୍ଧ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା କୃତୀ ପ୍ରତିଯୋଗୀଙ୍କୁ, ମୁଖ୍ୟ ଅତିଥି, ସମ୍ମାନିତ ଅତିଥି, ଜିଲ୍ଲାପାଳ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ, ଉପଜିଲ୍ଲାପାଳ ଶ୍ରୀ ଈଶ୍ବର ଚନ୍ଦ୍ର ନାଏକ, ପୌରପାଳିକା ନିର୍ବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ପ୍ରସାଦ ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଅବନୀ ମୋହନ ମହାନ୍ତି, ଜିଲ୍ଲା ଶିକ୍ଷା ବିଭାଗର ପ୍ରକଳ୍ପ ସଂଯୋଜକ ଶ୍ରୀ ନିରଞ୍ଜନ ନାୟକ ପ୍ରମୁଖଙ୍କ ସମେତ ଗାନ୍ଧୀବାଦୀ ସଂଗଠନର ସମସ୍ତ ବରିଷ୍ଠ ନାଗରିକ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସନ୍ଧ୍ୟା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜନସାଧାରଣଙ୍କ ନିମନ୍ତେ ଗାନ୍ଧୀ ଆଦର୍ଶ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଯୋଗାଯୋଗ ଦେଇଥିବା ବେଳେ, ଆଞ୍ଚଳିକ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ରିଡର ଡଃ ସନ୍ଦୀପ ଚାନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗାଯୋଗ ଦେଇଥିଲେ ଏବଂ ଗାନ୍ଧୀଙ୍କ ଆଦର୍ଶ ଏବଂ ଚିନ୍ତାଧାରା ବିଷୟରେ ଆଲୋଚନା କରିଥିଲେ। ଏହି ସମ୍ପୂର୍ଣ୍ଣ ଦିବସୀୟ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି ସଂଯୋଜନା କରିଥିବା ବେଳେ, କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ। ପୋଲିସ, ସ୍ୱାସ୍ଥ୍ୟ ଏବଂ ଅଗ୍ନିଶମ ସେବା ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଏହି ପାଳନୀୟ ଦିବସ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ।

ବାରିପଦାରୁ ଗୌର ଦାସ ଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ