ମୟୂରଭଞ୍ଜ ଜିଲ୍ଲାରେ ୧୨ ଗୋଟି ଅଙ୍ଗନବାଡ଼ି କେନ୍ଦ୍ର ଆଭାସୀ ମାଧ୍ୟମରେ ଉଦ୍‌ଘାଟିତ

Apr 2, 2026 - 19:18
 0  3
ମୟୂରଭଞ୍ଜ ଜିଲ୍ଲାରେ ୧୨ ଗୋଟି ଅଙ୍ଗନବାଡ଼ି କେନ୍ଦ୍ର ଆଭାସୀ ମାଧ୍ୟମରେ ଉଦ୍‌ଘାଟିତ

ବାରିପଦା, (୦୨/୦୪): ରାଜ୍ୟସ୍ତରୀୟ ଅଙ୍ଗନବାଡି କେନ୍ଦ୍ର ଉଦଘାଟନ ଉତ୍ସବ ଅବସରରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନବନିର୍ମିତ ୧୨ ଗୋଟି ଅଙ୍ଗନବାଡ଼ି କେନ୍ଦ୍ର ଆଭାସୀ ମାଧ୍ୟମରେ ଉଦ୍‌ଘାଟିତ ହୋଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଆଭାସୀ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଯୋଗଦେଇ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି କେନ୍ଦ୍ରଗୁଡ଼ିକୁ ଲୋକାର୍ପଣ କରିଥିଲେ । ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଉଲ୍ଲେଖ କରିଥିଲେ ଯେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଶିଶୁମାନଙ୍କ ପ୍ରାରମ୍ଭିକ ଶିକ୍ଷା ଓ ପୋଷଣ ସେବାର ମୂଳ ଭିତ୍ତି ଭାବେ କାର୍ଯ୍ୟ କରୁଛି ଏବଂ ଏହା ଦ୍ୱାରା ଗ୍ରାମୀଣ ଅଞ୍ଚଳରେ ମହିଳା ଓ ଶିଶୁଙ୍କ ସେବା ଆହୁରି ସୁଦୃଢ ହେବ । ସେହିପରି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ଶ୍ରୀ ନାଏକ, ଶିଶୁ ଓ ମାତୃଶକ୍ତିର ସଶକ୍ତିକରଣ ଦିଗରେ ଏହା ଏକ ବଡ଼ ପଦକ୍ଷେପ । ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକ ଗ୍ରାମାଞ୍ଚଳର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶରେ ବିଶେଷ ସହାୟକ ହେବ ବୋଲି କହିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୨ ଗୋଟି ଅଙ୍ଗନବାଡ଼ି, ଯଥା- ମୋରଡା ବ୍ଲକର ମେଁଗା, କରଞ୍ଜିଆ ବ୍ଲକର ସିମି ଗାଁ ଓ ସରସପୋଷି, କୁଲିଅଣା ବ୍ଲକର ସୁନାପୋଷି ଓ କେଉଟୁଣିମାରୀ-୨, ବିଶୋଇ ବ୍ଲକର ଟିଆକାଟି, ରାସଗୋବିନ୍ଦପୁର ବ୍ଲକର ପୁରୁଣାପାଣି, ତିରିଂ ବ୍ଲକର ଡମଡିହି, ବେତନଟୀ ବ୍ଲକର ଯୁଗୋଳ ଓ ପଡପଡା, କପ୍ତିପଦାର ଧଡ଼ାସାହି ଓ ଉପେରଖୁଣ୍ଟା ପ୍ରଭୃତି ସ୍ଥାନରେ ନବ ନିର୍ମିତ ଅଙ୍ଗନବାଡି କେନ୍ଦ୍ରକୁ ଏହି ଅବସରରେ ଉଦଘାଟିତ ହୋଇଛି । ନବନିର୍ମିତ ଏହି ଅଙ୍ଗନବାଡି କେନ୍ଦ୍ରଗୁଡ଼ିକରେ ଶିଶୁମାନଙ୍କ ପାଇଁ ଆକର୍ଷଣୀୟ ପ୍ରି-ସ୍କୁଲ୍ ଶିକ୍ଷା ପରିବେଶ, ଖେଳନା ଓ ଶିକ୍ଷା ସାମଗ୍ରୀ, ବିଶୁଦ୍ଧ ପାନୀୟଜଳ, ପରିଷ୍କାର ପାଇଖାନା ଓ ପୋଷଣ ସେବା ସୁବିଧା ଉପଲବ୍ଧ କରାଯାଇଛି । ଏହା ଶିଶୁମାନଙ୍କ ସମଗ୍ର ଶାରୀରିକ ଓ ମାନସିକ ବିକାଶକୁ ସହାୟତା କରିବା ସହିତ ଗର୍ଭବତୀ ଓ ସ୍ତନ୍ୟପାନ କରୁଥିବା ମାତୃମାନଙ୍କୁ ସ୍ୱାସ୍ଥ୍ୟ ସେବା ଓ ପୋଷଣ ସଚେତନତା ପ୍ରଦାନ କରିବ । ଜିଲ୍ଲାର ଓସ୍ୱାନ୍ ହଲ୍ ରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍ ସଭାପତିତ୍ବ କରି ଏହି ନବ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଦ୍ୱାରା ଜିଲ୍ଲାରେ ପୋଷଣ ସେବା ଓ ପ୍ରାରମ୍ଭିକ ଶିକ୍ଷାର ଗୁଣବତ୍ତାରେ ସୁଧାର ଆସିବ ଏବଂ ଏହା ଶିଶୁ ଓ ମହିଳାଙ୍କ ସମଗ୍ର ବିକାଶକୁ ନୂତନ ଦିଗ ଦେବ ବୋଲି ମତପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଶ୍ରୀ ଶାନ୍ତନୁ କୁମାର ନାୟକ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ନିହାରିକା ମହାନ୍ତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଶିଶିର କୁମାର ମୁନ୍ଦୁୟା, ସମସ୍ତ ବିଭାଗୀୟ କାର୍ଯ୍ୟକ୍ରମ ଅଧିକାରୀ, ଓମ୍ୱାଡସି ଅଧିକାରୀ, ପୋଷଣ ଅଧିକାରୀ, ସମସ୍ତ ସମ୍ବୋଧିତ ସିଡ଼ିପିଓ, ସୁପରଭାଇଜର୍, ଅଙ୍ଗନବାଡ଼ି କର୍ମୀ ଯୋଗଦେଇଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ