।। ମୟୂରଭଞ୍ଜ ଜିଲ୍ଲାର ଭୌଗୋଳିକ ପ୍ରତିବନ୍ଧକ ଅଞ୍ଚଳରେ ଲୋକଙ୍କ ପାଇଁ ବରଦାନ ‘ବାଇକ୍ ଆମ୍ବୁଲାନ୍ସ ।।

Jul 22, 2024 - 20:28
 0  20
।। ମୟୂରଭଞ୍ଜ ଜିଲ୍ଲାର ଭୌଗୋଳିକ ପ୍ରତିବନ୍ଧକ ଅଞ୍ଚଳରେ ଲୋକଙ୍କ ପାଇଁ ବରଦାନ ‘ବାଇକ୍ ଆମ୍ବୁଲାନ୍ସ ।।

ଓମ୍ବାଡସି ପାଣ୍ଠି ସହାୟତାରେ ୪ଟି ବ୍ଲକରେ ‘ବାଇକ୍ ଆମ୍ବୁଲାନ୍ସ’ ସେବା • ରାଇରଙ୍ଗପୁର, ଯଶିପୁର, କୁସୁମି ଏବଂ ବିଜାତଳା ବ୍ଲକ୍ • ୨୦୨୧ରୁ ୨୦୨୪ ମାର୍ଚ୍ଚ ସୁଦ୍ଧା ୫ ହଜାରରୁ ଅଧିକ ଲୋକଙ୍କୁ ସେବା ମୟୂରଭଞ୍ଜ, ୨୨ ଜୁଲାଇ ୨୦୨୪: ଆଦିବାସୀ ବହୁଳ ତଥା ବଣ ପାହାଡ଼ଘେରା ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ବିଭିନ୍ନ ଭୌଗୋଳିକ ପ୍ରତିବନ୍ଧକ ରହିଛି। ତେଣୁ ଲୋକଙ୍କ ଦୁଆର ମୁହଁରେ ଜରୁରିକାଳୀନ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଏକ ଆହ୍ୱାନ ହୋଇଥାଏ। ଏବେ ଏହି ସମସ୍ୟାର ସମାଧାନ ହୋଇପାରିଛି ‘ବାଇକ୍ ଆମ୍ବୁଲାନ୍ସ’। ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି) ସହାୟତାରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାରେ ଏହି ‘ବାଇକ୍ ଆମ୍ବୁଲାନ୍ସ’ ସେବା ଚାଲିଛି। ଭୌଗୋଳିକ ପ୍ରତିବନ୍ଧକ ଥିବା ରାଇରଙ୍ଗପୁର, ଯଶିପୁର, କୁସୁମି ଏବଂ ବିଜାତଳା ବ୍ଲକ୍ ପାଇଁ ୧ଟି କରି ମୋଟ ୪ଟି ଆମ୍ବୁଲାନ୍ସ ରହିଛି। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଏହି ଆମ୍ବୁଲାନ୍ସ ସେବା ପରିଚାଳନା କରାଯାଉଛି। ‘‘କିଛି ମାସ ତଳେ ମୋ’ ଜେଜେ ମା’ଙ୍କର ଦେହ ଖରାପ ହୋଇଥିଲା। ଆମେ ବାଇକ୍ ଆମ୍ବୁଲାନ୍ସରେ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲୁ। ସେଠାରେ ଡାକ୍ତରଙ୍କୁ ଦେଖାଇ ଆବଶ୍ୟକ ଔଷଧ ଆଣି ଘରକୁ ଆସିଥିଲୁ। ଆମ ଘର ପାହାଡ଼ିଆ ଅଞ୍ଚଳରେ ହୋଇଥିବାରୁ ବଡ଼ ଆମ୍ବୁଲାନ୍ସ ଯିବା ଆସିବା କରିବାରେ ଅସୁବିଧା ହୋଇଥାଏ। ବାଇକ୍ ଆମ୍ବୁଲାନ୍ସ ଆମ ପାଇଁ ବେଶ୍ ସୁବିଧାଜନକ ହୋଇପାରିଛି,’’ କହିଛନ୍ତି ବିଜାତଳା ବ୍ଲକ୍ ସାନଝରଣ ଗାଁର ସାଉଁରୁ ମାର୍ଣ୍ଡି। ମୟୂରଭଞ୍ଜ ଜିଲ୍ଲାରେ ୨୦୨୧ରୁ ଏହି ‘ବାଇକ୍ ଆମ୍ବୁଲାନ୍ସ’ ସେବା ଚାଲିଛି। ମୁଖ୍ୟତଃ ଯେଉଁ ସ୍ଥାନରେ ବଡ଼ ଆମ୍ବୁଲାନ୍ସ ଯିବାରେ କୌଣସି ସମସ୍ୟା ରହିଛି ସେଠାରେ ବାଇକ୍ ଆମ୍ବୁଲାନ୍ସ ପହଞ୍ଚି ଲୋକଙ୍କୁ ଜରୁରିକାଳୀନ ସେବା ଯୋଗାଇ ଦେଉଛି। ଏହା ଦ୍ୱାରା ୨୦୨୪ ମାର୍ଚ୍ଚ ମାସ ସୁଦ୍ଧା ୫ ହଜାରରୁ ଅଧିକ ରୋଗୀ ସେବା ପାଇଛନ୍ତି। ତା’ଭିତରେ ବରିଷ୍ଠ ନାଗରିକ, ଗର୍ଭବତୀ ମା’, ଶିଶୁ ଓ ସଡ଼କ ଦୁର୍ଘଟଣାରେ ଗୁରୁତର ଥିବା ବ୍ୟକ୍ତି ବିଶେଷ ଉପକୃତ ହେଉଛନ୍ତି। ବାଇକ୍ ଆମ୍ବୁଲାନ୍ସଗୁଡ଼ିକୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଯୋଡ଼ା ଯାଇଛି। ଏଥିରେ ଜଣେ ଲେଖାଏଁ ଡ୍ରାଇଭର ନିୟୋଜିତ ହୋଇଛନ୍ତି। ଆଖ ପାଖ ଗାଁରେ କୌଣସି ଲୋକଙ୍କର ଜରୁରିକାଳୀନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ସ୍ଥାନୀୟ ଆଶା କର୍ମୀ ବାଇକ୍ ଆମ୍ବୁଲାନ୍ସକୁ ଫୋନ୍ କରିଥାନ୍ତି। ଦୁଆର ମୁହଁରୁ ରୋଗୀଙ୍କୁ ଶୀଘ୍ର ଡାକ୍ତରଖାନାରେ ପହଞ୍ଚାଇ ଆବଶ୍ୟକ ଚିକିତ୍ସା ଯୋଗାଇଦେବା ପରେ ପୁଣି ଘର ପାଖରେ ଆଣି ଛାଡ଼ିଥାଏ ବାଇକ୍ ଆମ୍ବୁଲାନ୍ସ। ‘‘ମୟୂରଭଞ୍ଜ ଜିଲ୍ଲାରେ ଅନେକ ଗାଁ ପାହାଡ଼ିଆ ଅଞ୍ଚଳରେ ରହିଛି। ଜରୁରିକାଳୀନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ବଡ଼ ଆମ୍ବୁଲାନ୍ସ ପହଞ୍ଚି ପାରିନଥାଏ। ତେଣୁ ଓମ୍ବାଡସି ସହାୟତାରେ ଯେଉଁ ବାଇକ୍ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି ତାହା ଆମ ପାଇଁ ବେଶ୍ ସହାୟକ ହୋଇପାରୁଛି। ଏଥିପାଇଁ ସରକାରଙ୍କୁ ଧନ୍ୟବାଦ,’’ କହିଛନ୍ତି ସାନଝରଣ ଗାଁର ଆଶାକର୍ମୀ ମୀନା ମହାନ୍ତ। ଆମ୍ବୁଲାନ୍ସ ହେଉଛି ଏକ ଜରୁରିକାଳୀନ ସ୍ୱାସ୍ଥ୍ୟ ସେବା। ଗୁରୁତର ରୋଗୀଙ୍କୁ ଦୁଆର ମୁହଁରୁ ନେଇ ଡାକ୍ତରଖାନାରେ ଚିକିତ୍ସା ଯୋଗାଇଦେବା ଲାଗି ଆମ୍ବୁଲାନ୍ସ ସେବା ଉପରେ ସରକାର ପ୍ରାଥମିକତା ଦେଉଛନ୍ତି। ମୟୂରଭଞ୍ଜ ଜିଲ୍ଲାର କେତେକ ଭୌଗୋଳିକ ପ୍ରତିବନ୍ଧକ ଥିବା ସ୍ଥାନରେ ‘ବାଇକ୍ ଆମ୍ବୁଲାନ୍ସ’ ସେବା ଲାଗୁ ହେବା ଫଳରେ ଏହା ସ୍ଥାନୀୟ ଲୋକଙ୍କ ପାଇଁ ବରଦାନ ପାଲଟିଛି। ମୟୂରଭଞ୍ଜ ଜିଲ୍ଲାରେ ଜରୁରିକାଳୀନ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ‘ବାଇକ୍ ଆମ୍ବୁଲାନ୍ସ’ ସହିତ ଓମ୍ବାଡସି ପାଣ୍ଠି ସହାୟତାରେ ଆଡଭାନ୍ସ ଲାଇଫ୍ ସପୋର୍ଟ (ଏଏଲଏସ୍) ଏବଂ ବେସିକ୍ ଲାଇଫ୍ ସପୋର୍ଟ (ବିଏଲଏସ୍) ଆମ୍ବୁଲାନ୍ସ ସେବା ଚାଲିଛି। ଆବଶ୍ୟକ ବେଳେ ଗୁରୁତର ରୋଗୀଙ୍କୁ ଉପଖଣ୍ଡ ଚିକିତ୍ସାଳୟରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ଜିଲ୍ଲା ବାହାରକୁ ନେବା ପାଇଁ ଏହି ଆମ୍ବୁଲାନ୍ସଗୁଡ଼ିକୁ ବ୍ୟବହାର କରାଯାଉଛି। ଏଥିରେ ରୋଗୀମାନଙ୍କ ପ୍ରାଥମିକ ଚିକିତ୍ସା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି।

ମୟୂରଭଞ୍ଜ, ବାରିପଦାରୁ -ଗୌର ଦାସଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ