।। ବିସିଜି ଟିକା ନେଇ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ ।।

Oct 21, 2024 - 20:08
 0  7
।। ବିସିଜି ଟିକା ନେଇ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ ।।

କନ୍ଧମାଳ :(ଫାଷ୍ଟ ନ୍ୟୁଜ ଓଡିଶା): ଯକ୍ଷ୍ମା (ଟିବି) ବିରୋଧରେ ଲଢ଼େଇ କରିବାକୁ ଦିଆଯାଉଥିବା ବିସିଜି ଟିକା ନେଇ କନ୍ଧମାଳ ଜିଲା ବାଲିଗୁଡା ଅଞ୍ଚଳର ୫୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ଟିକା ନେବାର ୨/୩ ଦିନ ଯନ୍ତ୍ରଣା ପରେ ଏବେ ଟିକା ନେଇଥିବା ସ୍ଥାନରେ ହୋଇଥିବା ଘା' ସଂକ୍ରମଣ ହୋଇ ଯାଉଥିବାକୁ ନେଇ ବାଲିଗୁଡ଼ା ଅଞ୍ଚଳରେ ଏକ ଅଜଣା ଭୟ ସୃଷ୍ଟି ହୋଇଛି। ଟିକା ନେବାର ୨୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ହାତର ବ୍ୟଥା କମୁ ନଥିବା ଲୋକେ ଅଭିଯୋଗ କରିଛନ୍ତି । ଫଳରେ ଟିକା ଦେବାବେଳେ କିଛି ଭୁଲ ରହୁଥ‌ିବା ସେମାନେ ଆଶଙ୍କା କରୁଛନ୍ତି। ଯକ୍ଷ୍ମା ନିରାକରଣ ନିମନ୍ତେ ଗତ ମାସ ୨୭ ତାରିଖରୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ବିସିଜି ଟିକା ଦିଆଯିବା ଆରମ୍ଭ ହୋଇଛି। ଇତିମଧ୍ଯରେ ବାଲିଗୁଡ଼ା ଏନଏସି ଓ ବ୍ଲକ ଅଞ୍ଚଳର ୫୦୦ ରୁ ଅଧିକ ପୁରୁଷ ମହିଳା ବିସିଜି ଟିକା ନେଇ ସାରିଲେଣି। ଏଥିରୁ ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡିଥିବା ଅଭିଯୋଗ ହୋଇଛି। ବାଲିଗୁଡ଼ା ସ୍ବାସ୍ଥ୍ୟକେନ୍ଦ୍ରରେ ସୋମ‌ବାର ଓ ଗୁରୁବାର ଏହି ବିସିଜି ଟିକା ଦିଆଯାଉଛି। ତେବେ ବିସିଜି ଟିକା ଦେବା ପରେ ସୃଷ୍ଟି ହୋଇଥ‌ିବା ସମସ୍ୟା ସମ୍ପର୍କରେ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ରାମକୃଷ୍ଣ ପାତ୍ର କହିଛନ୍ତି ଯେ, ଏହି ଟିକା ନେବା ପରେ ପ୍ରାୟ ୭୦ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଏହିଭଳି ସମସ୍ୟା ଦେଖାଦେଇଥାଏ। ତେଣୁ ଏଥିରେ କିଛି ଭୟଭୀତ ହେବାର ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ମେଡିକାଲ ପ୍ରଶାସନ ତରଫରୁ ଟିକାକୁ ନେଇ ସଚେତନତା କରାଯିବା ଆବଶ୍ୟକତା ରହିଥ‌ିବା ସାଧାରଣ ମତପ୍ରକାଶ ପାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ