ବିପର୍ଯ୍ୟୟ ପରିଚାଳନା ମକ୍ ଅଭ୍ୟାସ ସଫଳତାର ସହ ଉଦଯାପିତ

Jun 19, 2026 - 21:47
 0  4
ବିପର୍ଯ୍ୟୟ ପରିଚାଳନା ମକ୍ ଅଭ୍ୟାସ ସଫଳତାର ସହ ଉଦଯାପିତ

ବାରିପଦା, (୧୯/୦୬): ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଭୁବନେଶ୍ୱରଙ୍କ ସହଯୋଗରେ ତଥା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ମୟୁରଭଞ୍ଜଙ୍କ ତତ୍ତ୍ୱାବଧାନରେ ଜିଲ୍ଲାର ୧୦ଟି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳରେ ବିପର୍ଯ୍ୟୟ ପରିଚାଳନା ମକ୍ ଅଭ୍ୟାସ (Mock Exercise) ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଅଭ୍ୟାସର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପ୍ରାକୃତିକ ଓ ମନୁଷ୍ୟକୃତ ବିପର୍ଯ୍ୟୟ ସମୟରେ ପ୍ରସ୍ତୁତି, ସମନ୍ୱୟ ଓ ପ୍ରତିକ୍ରିୟା ବ୍ୟବସ୍ଥାର କାର୍ଯ୍ୟକ୍ଷମତାର ଆକଳନ କରିବା। ଚଳିତ ବର୍ଷ ଭାରତୀୟ ପାଣିପାଗ ବିଭାଗ (IMD) ଦ୍ୱାରା ପ୍ରଦତ୍ତ “ପ୍ରବଳ ବନ୍ୟା ଏବଂ ଭୂସ୍ଖଳନ” ଦୃଶ୍ୟପଟକୁ ଆଧାର କରି ଏକ କୃତ୍ରିମ ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି କରାଯାଇଥିଲା। ଏଥିରେ ଉଦ୍ଧାରକାରୀ ଦଳ ସ୍ଥାନାନ୍ତର ପ୍ରକ୍ରିୟା, ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ, ପ୍ରାଥମିକ ଚିକିତ୍ସା ଓ ଜରୁରୀକାଳୀନ ଚିକିତ୍ସା ସେବାର ପ୍ରଦର୍ଶନ କରିଥିଲେ। ଆହତମାନଙ୍କୁ ନିର୍ଦ୍ଦିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ପ୍ରତିକ୍ରିୟାକାରୀ ସଂସ୍ଥାମାନଙ୍କ ମଧ୍ୟରେ ଜରୁରୀକାଳୀନ ଯୋଗାଯୋଗ ବ୍ୟବସ୍ଥାର ମଧ୍ୟ ପରୀକ୍ଷଣ କରାଯାଇଥିଲା। ଏହି ମକ୍ ଅଭ୍ୟାସରେ ଅଗ୍ନିଶମ ସେବା, ପୋଲିସ, ସ୍ୱାସ୍ଥ୍ୟ ବିଭାଗ, ଓଡ଼ିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ୍ ଫୋର୍ସ (ODRAF), ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ (NDRF), ନାଗରିକ ପ୍ରତିରକ୍ଷା ସ୍ୱେଚ୍ଛାସେବକ ଏବଂ ସ୍ଥାନୀୟ ସମ୍ପ୍ରଦାୟର ସଦସ୍ୟମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ୧୦ଟି ଆଶ୍ରୟସ୍ଥଳର ପରିଚାଳନା ଓ ତଦାରଖ କମିଟିର ସଦସ୍ୟ/ସଦସ୍ୟାଙ୍କ ସହ ନୋଡାଲ ଏନଜିଓ ଯଥା ସ୍ପାର୍ଦ୍ଧା, ସଂକଳ୍ପ, ଭାର୍ଡ, ସିକ୍ୟୁର, ଫୋର୍ଡ, ଆରମ୍ଭ, ଆଧାର, ଦାସୀ, ଶକ୍ତି ଶିଖା ଓ ପ୍ରାଇଡ଼ଙ୍କ ସକ୍ରିୟ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ଜିଲ୍ଲା ସ୍ତରରେ ଜରୁରୀକାଳୀନ ବିଭାଗର ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ତାପସ କୁମାର ମହାନ୍ତ, ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ଜଗବନ୍ଧୁ ମହାନ୍ତି ଏବଂ ରାଜ୍ୟ ପର୍ଯ୍ୟବେକ୍ଷକ ଭାବେ ରାଜ୍ୟ ପ୍ରକଳ୍ପ ଅଧିକାରୀ ଶ୍ରୀ ସୁତନୁ କୁମାର ଠାକୁର ଅଭ୍ୟାସକୁ ପର୍ଯ୍ୟବେକ୍ଷଣ କରିଥିଲେ। ସେମାନେ ପ୍ରତିକ୍ରିୟା ସମୟ, ସମ୍ବଳ ସଂଗ୍ରହ ଏବଂ ଆନ୍ତଃ-ଏଜେନ୍ସି ସମନ୍ୱୟର ସମୀକ୍ଷା କରିବା ସହିତ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଗୋଷ୍ଠୀ ସହଯୋଗ ଓ ନିୟମିତ ମକ୍ ଅଭ୍ୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଅଂଶଗ୍ରହଣକାରୀମାନଙ୍କୁ ବିପର୍ଯ୍ୟୟ ପ୍ରସ୍ତୁତି, ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଏବଂ ଜରୁରୀ ପରିସ୍ଥିତିରେ ଅନୁସରଣୀୟ ସୁରକ୍ଷା ପ୍ରୋଟୋକଲ୍ ସମ୍ପର୍କରେ ସଚେତନ କରାଯାଇଥିଲା। ଅଭ୍ୟାସ ଶେଷରେ ଏକ ଡିବ୍ରିଫିଂ ଅଧିବେଶନ ଆୟୋଜିତ ହୋଇଥିଲା, ଯେଉଁଥିରେ ଅଭ୍ୟାସର ସଫଳତା, ଚ୍ୟାଲେଞ୍ଜ ଏବଂ ଭବିଷ୍ୟତରେ ଉନ୍ନତିର ସମ୍ଭାବ୍ୟ କ୍ଷେତ୍ର ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅଧିକାରୀମାନେ କହିଥିଲେ ଯେ, ଏପରି ଅଭ୍ୟାସ ବିପର୍ଯ୍ୟୟ ପ୍ରତିକ୍ରିୟା କ୍ଷମତାକୁ ସୁଦୃଢ଼ କରିବା ସହ ପ୍ରକୃତ ଜରୁରୀ ପରିସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବାରେ ଫଳପ୍ରଦ ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ, ମକ୍ ଅଭ୍ୟାସ ପୂର୍ବରୁ ତା. ୧୬.୦୬.୨୦୨୬ ରେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଏବଂ ତା.୧୮.୦୬.୨୦୨୬ ରେ ଜିଲ୍ଲାର ୨୫ଟି ବ୍ଲକରେ ଟେବୁଲ ଟପ୍ ଏକ୍ସରସାଇଜ୍ ଅନୁଷ୍ଠିତ ହୋଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ