ନୂଆପଡ଼ାରେ ଧାନର ଅବୈଧ ମହଜୁଦ ଓ ପରିବହନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ୪୬ କ୍ୱିଣ୍ଟାଲ ଧାନ ଜବତ

Jun 3, 2026 - 20:41
 0  6
ନୂଆପଡ଼ାରେ ଧାନର ଅବୈଧ ମହଜୁଦ ଓ ପରିବହନ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ୪୬ କ୍ୱିଣ୍ଟାଲ ଧାନ ଜବତ

ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶ ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଧାନର ଅବୈଧ ମହଜୁଦ ଏବଂ ଆନ୍ତଃରାଜ୍ୟ ଚୋରା ଚାଲାଣ ବିରୋଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ ଏବଂ ଚଢ଼ାଉ ଅଭିଯାନ ଜାରି ରହିଛି। ଏହି କ୍ରମରେ ଦୁଇଟି ପୃଥକ ଘଟଣାରେ ମୋଟ ୪୬.୩୦ କ୍ୱିଣ୍ଟାଲ ଧାନ ଜବତ କରାଯାଇଛି। ପ୍ରଥମ ଘଟଣାରେ, ସିନାପାଲି ବ୍ଲକ ଅନ୍ତର୍ଗତ ଛତିଶଗଡ଼-ଓଡ଼ିଶା ସୀମାନ୍ତବର୍ତ୍ତୀ ସିଂଘଝର ଗ୍ରାମରେ ଚଢ଼ାଉ କରାଯାଇ ସୁରେଶ ମାଝୀଙ୍କ ଘରୁ ୬୪ଟି ବସ୍ତାରେ ଗଚ୍ଛିତ ୨୭.୨୦ କ୍ୱିଣ୍ଟାଲ ଧାନ ଜବତ କରାଯାଇଥିଲା। ଏହି ଚଢ଼ାଉ ଅଭିଯାନ ଜଗଜୀବନ ମାଝୀ, ଅତିରିକ୍ତ ତହସିଲଦାର, ନୂଆପଡ଼ାଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା। ଅଭିଯାନରେ ହୃଷୀକେଶ ନାଏକ, ଏସିଏସଓ ସଦର ନୂଆପଡ଼ା, ଦେବେନ୍ଦ୍ର ସେଠିଆ, ଯୋଗାଣ ନିରୀକ୍ଷକ, ସିନାପାଲି, ଆଲୋକ ପାତ୍ର, ଯୋଗାଣ ନିରୀକ୍ଷକ, ବୋଡ଼େନ ଏବଂ ସୌମ୍ୟରଞ୍ଜନ ମହାନନ୍ଦ,ଯୋଗାଣ ନିରୀକ୍ଷକ ଖଡ଼ିଆର ସାମିଲ ହୋଇଥିଲେ। ଦ୍ୱିତୀୟ ଘଟଣାରେ, ନୂଆପଡ଼ା ବ୍ଲକ ଅନ୍ତର୍ଗତ ଧରମବନ୍ଧା ଅଞ୍ଚଳରେ ଯାଞ୍ଚ ସମୟରେ ଛତିଶଗଡ଼ ପଞ୍ଜିକରଣ ସଂଖ୍ୟା CG 06 GX 8554 ବିଶିଷ୍ଟ ଏକ ଗାଡ଼ିରୁ ୬୦ଟି ବସ୍ତାରେ ଥିବା ୧୯.୧୦ କ୍ୱିଣ୍ଟାଲ ଧାନ ଜବତ କରାଯାଇଥିଲା। ଏହି ଯାଞ୍ଚ ଅଭିଯାନ କସ୍ତୁଭ ଶାହା, ଅତିରିକ୍ତ ତହସିଲଦାର, ନୂଆପଡ଼ାଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା। ଅଭିଯାନରେ ହୃଷୀକେଶ ନାଏକ, ଏସିଏସଓ ସଦର ନୂଆପଡ଼ା ଏବଂ ଶୁଭଶ୍ରୀ ଦାସ, ଯୋଗାଣ ନିରୀକ୍ଷକ, ନୂଆପଡ଼ା ସାମିଲ ହୋଇଥିଲେ। ଉଭୟ ଘଟଣାରେ ଧାନର ମହଜୁଦ ଓ ପରିବହନ ସମ୍ପର୍କିତ ବୈଧ ଦଲିଲପତ୍ର ଉପସ୍ଥାପନ କରାଯାଇନଥିବାରୁ ଜବତ ଧାନକୁ ଆଇନ ଅନୁଯାୟୀ ଅଟକ ରଖାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଧାନର ଅବୈଧ ମହଜୁଦ ଏବଂ ଆନ୍ତଃରାଜ୍ୟ ଚୋରା ଚାଲାଣ ବିରୋଧରେ ସୀମାନ୍ତ ଅଞ୍ଚଳଗୁଡ଼ିକରେ କଡ଼ା ନଜରଦାରୀ ଜାରି ରହିଥିବା ବେଳେ ଏଭଳି ଯାଞ୍ଚ ଓ ଚଢ଼ାଉ ଅଭିଯାନ ଆଗାମୀ ଦିନରେ ମଧ୍ୟ ଅବ୍ୟାହତ ରହିବ ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ