ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କର ହସ୍ତକ୍ଷେପ:ଗୋଟିଏ ଦିନରେ କର୍କଟ ରୋଗୀଙ୍କୁ ମିଳିଲା ଆୟୁଷ୍ମାନ କାର୍ଡ, ଫେରିଲା ଚିକିତ୍ସା ଆଶା-
ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA) ର ସମୟୋଚିତ ହସ୍ତକ୍ଷେପ ଯୋଗୁଁ ଜଣେ ଗରିବ ଅସହାୟ ମହିଳା ରକ୍ତ କର୍କଟ ରୋଗୀ ଆୟୁଷ୍ମାନ କାର୍ଡ ପାଇବାରେ ସଫଳ ହୋଇଛନ୍ତି । ପ୍ରାଧିକରଣର ଏହି ସହଯୋଗ ଏବେ ସଂପୃକ୍ତ ପରିବାର ପାଇଁ ସଞ୍ଜୀବନୀ ସଦୃଶ ସାବ୍ୟସ୍ତ ହୋଇଛି। ସମସ୍ୟାର ସମ୍ମୁଖୀନ ହେଉଥିଲେ ରୋଗୀ: ଘଟଣାରୁ ପ୍ରକାଶ ଯେ, ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଚାନ୍ଦୋପଲା (ପେଣ୍ଡ୍ରାୱନ) ଗ୍ରାମର ଶ୍ରୀମତୀ ପଙ୍କଜିନୀ ପଟେଲ ଦୀର୍ଘ ଦିନ ଧରି ରକ୍ତ କର୍କଟ (Leukemia)ରେ ପୀଡ଼ିତ ଥିବାରୁ ନିୟମିତ ଚିକିତ୍ସା ପାଇଁ ତାଙ୍କୁ ବାରମ୍ବାର ଡାକ୍ତରଖାନା ଯିବାକୁ ପଡ଼ୁଥିବା ବେଳେ ତାଙ୍କ ପରିବାର ଅତି ଗରିବ ହୋଇଥିବାରୁ ପ୍ରବଳ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିଲା । ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ଚିକିତ୍ସା ସୁବିଧା ମିଳିପାରିବ ବୋଲି ସେ ଜାଣିଥିଲେ ସୁଦ୍ଧା, ଜ୍ଞାନର ଅଭାବ ଏବଂ ଆବଶ୍ୟକ କାଗଜପତ୍ର (ଦଲିଲ) ପ୍ରକ୍ରିୟା ବୁଝି ନପାରିବାରୁ ସେ ଦୀର୍ଘ ଦିନ ହେବ ଏହି କାର୍ଡ କରିପାରୁ ନଥିଲେ। ପ୍ରାଧିକରଣର ତ୍ୱରିତ ହସ୍ତକ୍ଷେପ: ଶ୍ରୀମତୀ ପଟେଲ ଶଯ୍ୟାଶାୟୀ ଥିବାରୁ ତାଙ୍କ ସ୍ୱାମୀ ଲକ୍ଷେଶ୍ୱର ପଟେଲ ଜୁନ୍ ୧୧, ୨୦୨୬ ଦିନ କୌଣସି ସୂତ୍ରରୁ ଖବରପାଇ ଶେଷରେ ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଦ୍ୱାରସ୍ଥ ହୋଇ ଆୟୁଷ୍ମାନ କାର୍ଡ଼୍ ଆବେଦନ ପାଇଁ ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ । ସମସ୍ୟାର ଗୁରୁତ୍ୱକୁ ଉପଲବ୍ଧି କରି ପ୍ରାଧିକରଣର ସଚିବ ନବନୀତା ଦାଶ ଏଥିରେ ତୁରନ୍ତ ହସ୍ତକ୍ଷେପ କରିଥିଲେ ଅଧିକାର ମିତ୍ର ନିଖିଲ ସିଂହ କ୍ଷତ୍ରୀୟଙ୍କୁ ରୋଗୀଙ୍କୁ ସମସ୍ତ ଆଇନଗତ ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସଫଳତାର ସହ ପ୍ରସ୍ତୁତ ହେଲା କାର୍ଡ: ସଚିବଙ୍କ ନିର୍ଦ୍ଦେଶକ୍ରମେ ଅଧିକାର ମିତ୍ର ଶ୍ରୀ କ୍ଷତ୍ରୀୟ ନୂଆପଡ଼ା ଜିଲ୍ଲା ଆୟୁଷ୍ମାନ କାର୍ଡ ସଂଯୋଜକଙ୍କ କାର୍ଯ୍ୟାଳୟକୁ ଲକ୍ଷେଶ୍ୱରଙ୍କୁ ନେଇ କରିଯାଇଥିଲେ । ସମସ୍ତ ଆବଶ୍ୟକୀୟ ଆବେଦନ ଦଲିଲ ପ୍ରସ୍ତୁତ କରିବା ସହ ସରକାରୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ସେହି ଗୋଟିଏ ଦିନରେ ହିଁ (ଗତ ୧୧ ଜୁନ୍ ୨୦୨୬ ରିଖ) ଶ୍ରୀମତୀ ପଙ୍କଜିନୀ ପଟେଲଙ୍କ ନାମରେ ସଫଳତାର ସହିତ ଆୟୁଷ୍ମାନ କାର୍ଡ ପ୍ରସ୍ତୁତ କରାଯାଇଥିଲା ।> ହିତାଧିକାରୀଙ୍କ କୃତଜ୍ଞତା: > ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆୟୁଷ୍ମାନ କାର୍ଡ ପାଇ ଶ୍ରୀମତୀ ପଟେଲ ଏବଂ ତାଙ୍କ ପରିବାର ବେଶ୍ ଖୁସି ପ୍ରକଟ କରିଛନ୍ତି। ଏହି କାର୍ଡ ମାଧ୍ୟମରେ ଏବେ ସେ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ବିଭିନ୍ନ ଚିକିତ୍ସା ସୁବିଧା ଏବଂ ଆର୍ଥିକ ସହାୟତା ପାଇବାର ପଥ ସୁଗମ ହୋଇଛି। ଏଥିପାଇଁ ସେ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ଆଇନ ସେବା ପ୍ରାଧିକରଣର ଏଭଳି ତ୍ୱରିତ୍ ହସ୍ତକ୍ଷେପ ଲୋକଙ୍କ ମନରେ ନିଶୁକ୍ଳ ଆଇନଗତ ସହାୟତା ପାଇବା ପାଇଁ ଭରସା ଆହୁରି ବଢ଼ାଇ ଦେଇଛି । ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0