ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ

Nov 22, 2025 - 15:29
 0  23
ଜିଲ୍ଲାସ୍ତରୀୟ ସହୀଦ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳିତ

ମାଲକାନଗିରି, ୨୨/୧୧/୨୫: ଆଜି ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଲକ୍ଷ୍ମଣ ନାୟକ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସହୀଦଙ୍କ ପ୍ରତି ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସ୍ୱାଧୀନତା ସଂଗ୍ରାମର ପ୍ରତ୍ୟେକ ପର୍ଯ୍ୟାୟରେ ଓଡ଼ିଶାର ଆଦିବାସୀ ସମାଜ ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ସେମାନଙ୍କର ଦେଶପ୍ରେମ, ଜାତୀୟତାବୋଧ ଓ ସ୍ବାଭିମାନର ପରିଚୟ ଦେବାକୁ କେବେ ଭୁଲି ନାହାନ୍ତି ବୋଲି ଶ୍ରୀ ପ୍ରଧାନ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ କୋରାପୁଟ ଜିଲ୍ଲାରେ ଭାରତଛାଡ ଆନ୍ଦୋଳନର ନେତୃତ୍ଵ ନେଇଥିବା ଆଦିବାସୀ ବୀର ଲକ୍ଷ୍ମଣ ନାୟକଙ୍କ ଅସାଧାରଣ ଦେଶପ୍ରେମ, ଅଦମ୍ୟ ସାହସ ଓ ନିର୍ଭୀକ ସଂଗ୍ରାମୀ ଜୀବନ ଓ ଅସୀମ ତ୍ୟାଗ ଏ ଜାତି ପାଇଁ ଗର୍ବ ଓ ଗୌରବର ବିଷୟ। ଲକ୍ଷ୍ମଣ ନାୟକ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପ୍ରତ୍ୟେକ ଦିନ ତାଙ୍କୁ ଭକ୍ତି ଓ ନତମସ୍ତକ କରିବାକୁ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ଜିଲ୍ଲାପାଳ ଆହ୍ଵାନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ସମସ୍ତଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ଦୁଷ୍ମନ୍ତ ଜେନାଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଶ୍ରୀ ଜେନା କହିଥିଲେ ଯେ ଲକ୍ଷ୍ମଣ ନାୟକ ଜଣେ ସ୍ଵାଧିନତା ସଂଗ୍ରାମୀ ସହ ସମାଜ ସଂସ୍କାରକ ଥିଲେ। କୋରାପୁଟ ଜିଲ୍ଲାର ତେନ୍ତୁଳିଗୁମ୍ମା ଠାରେ ୧୮୯୯ ନଭେମ୍ବର ୨୨ ରେ ଲକ୍ଷ୍ମଣ ନାୟକ ଜନ୍ମ ଗ୍ରହଣ କରିଥିଲେ। ନିଶା ନିବାରଣ, ବାଲ୍ୟ ବିବାହ, ଜାତି ପ୍ରଥା, ବଳି ପ୍ରଥା ଭଳି କୁସଂସ୍କାର ବିରୁଦ୍ଧ ରେ ସ୍ବର ଉତ୍ତୋଳନ କରିଥିଲେ। ସେହିପରି ଅଧ୍ୟାପିକା ଇନ୍ଦୁରେଖା ପଟ୍ଟନାୟକ ଓ ରତ୍ନାକର ଦାସ ମଧ୍ଯ ଲକ୍ଷ୍ମଣ ନାୟକଙ୍କ ଜୀବନୀ ଉପରେ ସ୍ମୃତି ଚାରଣ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନ କରିବାରେ ହରେକୃଷ୍ଣ କିର୍ତ୍ତନିଆ ସହଯୋଗ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀମାନେ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ