ଚଳିତ ବର୍ଷଠାରୁ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯିବ

Aug 25, 2024 - 07:24
 0  90
ଚଳିତ ବର୍ଷଠାରୁ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯିବ

ଭୁବନେଶ୍‌ର ,୨୩/ ୮ - ଚଳିତ ବର୍ଷଠାରୁ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯିବ । ଏ ବାବଦରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଚଳିତ ମାସ ୩୧ ତାରିଖ ଦିନ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପରିପ୍ରେକ୍ଷୀରେ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସର ଆୟୋଜନ କରିବା ନିମନ୍ତେ ବିଧିବଦ୍ଧ ପ୍ରସ୍ତୁତିର ଶୁଭାରମ୍ଭ ହୋଇଛି । ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ ସଂପର୍କରେ ମନ୍ତ୍ରୀ ଡା. ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିସ୍ତୃତ ଆଲୋଚନାକ୍ରମେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ସ୍ଥିର କରାଯାଇଛି । ବିକଶିତ ଓଡିଶା ଗଠନ କ୍ଷେତ୍ରରେ ବିକଶିତ ସହରାଞ୍ଚଳ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ପରିପ୍ରେକ୍ଷୀରେ ସହରାଞ୍ଚଳବାସୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ତେବେ ଏହି ମହତ୍ୱପୂର୍ଣ୍ଣ ଦିନଟିକୁ ଚିରାଚରିତ ଢଙ୍ଗରେ ପାଳନ ନକରି ଭିନ୍ନ ଭାବେ ପାଳନ କରାଯିବାକୁ ମନ୍ତ୍ରୀ ଡା. ମହାପାତ୍ର ପରାମର୍ଶ ଦେଇଛନ୍ତି । ଉକ୍ତ ଦିନ ରାଜ୍ୟର ସମସ୍ତ ୧୧୫ଟି ପୌରାଞ୍ଚଳରେ ଏକ ସାଙ୍ଗରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ, ବିଭିନ୍ନ ପ୍ରତିଯୋଗିତା ଆୟୋଜନପୂର୍ବକ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ, ସଭାସମିତି ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ପରି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ । ରାଜ୍ୟ ବିଧାନସଭାସ୍ଥିତ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ, ସ୍ୱତନ୍ତ୍ର ଶାସନ ସଚିବ ଦେବାଶିଷ ସିଂହ ଓ ଅତିରିକ୍ତ ଶାସନ ସଚିବ ରବିନ୍ଦ୍ରକୁମାର ସାହୁ , ବି ଏମ୍ ସି ଅତିରିକ୍ତ କମିଶନର ଶୁଭେନ୍ଦୁ ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ପରେ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢୀ ଆଭାସି ମାଧ୍ୟମରେ ୫ଟି ମହାନଗର ନିଗମ କମିଶନରଙ୍କ ସମେତ ସମସ୍ତ ପୌରସଂସ୍ଥାର ନିର୍ବାହୀ ଅଧିକାରୀମାନଙ୍କ ସହ ସ୍ୱାୟତ୍ତ ଶାସନ ଦିବସ ପାଳନ ସଂକ୍ରାନ୍ତରେ ଆଲୋଚନା କରି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପୌରସଂସ୍ଥାଗୁଡିକ ଦ୍ୱାରା ସ୍ୱାୟତ୍ତ ଶାସନ ଦିବସ ପାଳନ କାର୍ଯ୍ୟକ୍ରମ ଯଥେଷ୍ଟ ଗୁରୁତ୍ୱ ବହନ କରୁଥିବା ଦୃଷ୍ଟିରୁ ଉତ୍ସାହଉଦ୍ଦୀପନା ଏବଂ ନିଷ୍ଠା ଓ ଆନ୍ତରିକତାର ସହ ଏଥିରେ ସମସ୍ତଙ୍କୁ ସାମିଲକରି ଦିବସକୁ ସଫଳତାର ସହ ପାଳନ କରିବାକୁ ଶ୍ରୀମତୀ ପାଢ଼ୀ ପରାମର୍ଶ ଦେଇଛନ୍ତି ।

 ଗୌର ଦାସଗିରି ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ