ଗ୍ରୀଷ୍ମ ପ୍ରବାହର ସଫଳ ପରିଚାଳନା ନିମନ୍ତେ କର୍ମଶାଳା ଅନୁଷ୍ଠିତ

Mar 18, 2025 - 20:28
 0  8
ଗ୍ରୀଷ୍ମ ପ୍ରବାହର ସଫଳ ପରିଚାଳନା ନିମନ୍ତେ କର୍ମଶାଳା ଅନୁଷ୍ଠିତ

ନୂଆପଡା : ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ସଫଳ ପରିଚାଳନା ନିମନ୍ତେ ଜିଲ୍ଲା ସ୍ତରୀୟ ବିଭିନ୍ନ ଅଧିକାରୀଙ୍କୁ ନେଇ ଏକ ଓରିଏଣ୍ଟେସନ କର୍ମଶାଳା ଜିଲ୍ଲା ଜରୁରୀ କାଳୀନ ଶାଖା ତରଫରୁ ଜିଲ୍ଲା କାର୍ଯ୍ୟାଳୟସ୍ଥ ସଦ୍ଭାବନା ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସମସ୍ତ ବିଭାଗର ଅଧିକାରୀ ମାନେ ଗ୍ରୀଷ୍ମ ପ୍ରବାହର ସଫଳ ପରିଚାଳନା ପାଇଁ କିପରି ଭାବରେ ନିଜ ବିଭାଗକୁ ପ୍ରସ୍ତୁତ କରି ରଖିବେ ସେଥିପାଇଁ ଆୟୋଜିତ କର୍ମଶାଳାରେ ଆବଶ୍ୟକ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ଜରୁରୀକାଳୀନ ଶାଖା ଅଧିକାରୀ ତଥା ଡେପୁଟୀ କଲେକ୍ଟର ଶେଖ୍ ନସିମ ବୈଠକର ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଜିଲ୍ଲାପାଳ ବୈଠକ କୁ ସମ୍ବୋଧନ କରି ଗ୍ରୀଷ୍ମ ପ୍ରବାହର ସଫଳ ପରିଚାଳନା ପାଇଁ ସମସ୍ତ ବିଡ଼ିଓ, ତହସିଲଦାର ତଥା ସମସ୍ତ ବିଭାଗ ଅଧିକାରୀଙ୍କ ଦାୟିତ୍ୱ, କର୍ତ୍ତବ୍ୟ,ପ୍ରାକ ପ୍ରସ୍ତୁତି ସହ ଜରୁରୀ କାଳୀନ ପରିଚାଳନା ଉପରେ ବିଶଦ ଭାବରେ ବୁଝାଇ ଥିଲେ। ସେ କହିଲେଯେ ଗ୍ରୀଷ୍ମ ପ୍ରବାହରୁ ଆମକୁ କେବଳ ମଣିଷ ସମାଜ ନୁହେଁ ଏହା ସହିତ ସମସ୍ତ ଗୃହପାଳିତ ପଶୁ,ଜିବଜନ୍ତୁ ଏବଂ ବୃକ୍ଷଲତାର ସୁରକ୍ଷା କରିବା ଆବଶ୍ୟକ । ଏଥିପାଇଁ ଅଧିକାରୀ ମାନେ ନିଜ ନିଜ ବିଭାଗ ସହିତ ଲୋକ ପ୍ରତିନିଧି ମାନଙ୍କୁ ମଧ୍ଯ ସାମିଲ୍ କରନ୍ତୁ। ଘରପୋଡ଼ି ହେଲେ ରାଜସ୍ୱ ଅଧିକାରୀ ମାନେ ୨୪ ଘଣ୍ଟା ମଧ୍ୟରେ ସହାୟତା ଯୋଗାଇ ଦେବେ। ସମସ୍ତ ସତର୍କତା ସହିତ ଜିଲ୍ଲାରେ ମନରେଗା ଯୋଜନାରେ କାମ ଚାଲୁ ରହିବ। ପଞ୍ଚାୟତି ରାଜ, ନଗର ଉନ୍ନୟନ ଏବଂ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସମସ୍ତ ସହର, ବସ୍ତି, ଗ୍ରାମାଞ୍ଚଳରେ ପିଇବା ପାଣି ସମସ୍ୟା ସମାଧାନ କରିବେ। ବିଦ୍ୟୁତ ବିଭାଗ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଉପରେ ନଜର ରଖିବେ। ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ନିଜ ନିଜ ଦାୟିତ୍ଵ ସୁଚାରୁ ରୁପେ ନିର୍ବାହ କରିବେ। ଜିଲ୍ଲା ଜରୁରୀ ଶାଖା ଡି ପି ଓ ମହେନ୍ଦ୍ର କୁମାର ସ୍ୱାଇଁ ଗ୍ରୀଷ୍ମପ୍ରବାହର କାରଣ ନିରାକରଣ ତଥା ସଫଳ ଓ ସଠିକ ପରିଚାଳନା ନିମନ୍ତେ ଆବଶ୍ୟକ କାର୍ଯ୍ୟାନ୍ୱୟନର ପାୱାର ପଏଣ୍ଟ ଉପସ୍ଥାପନ କରିଥିଲେ।ବୈଠକରେ ବିଭିନ୍ନ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ସଫଳ ପରିଚାଳନା ନିମନ୍ତେ ନିଜ ନିଜ ବିଭାଗ ତରଫରୁ ପ୍ରାକ ପ୍ରସ୍ତୁତି ପଦକ୍ଷେପ ଉପରେ ଉପସ୍ଥାପନା କରିଥିଲେ । ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ବନଖଣ୍ଡ ଅଧିକାରୀ ମହାଦେବ ବଡ଼ାଇକ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ସି ଡି ଏମ୍ ଓ ଡଃ ଗୁରୁ ପ୍ରସାଦ ଜେନା ସମେତ ସମସ୍ତ ତହସିଲ୍‌ଦାର, ବିଡ଼ିଓ, କାର୍ଯ୍ୟନିର୍ବାହୀ ବିଭାଗର ଅଧିକାରୀ ବୃନ୍ଦ, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ବେଛାସେବୀ ସଂଗଠନର କର୍ମକର୍ତ୍ତା , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରୀଷ୍ମ ପ୍ରବାହର ସଠିକ୍ ତଥା ସମୟୋଚିତ ପରିଚାଳନା ପାଇଁ ଜିଲ୍ଲାପାଳ ଶ୍ରୀ ଦାଶ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ