ଗର୍ଭବତୀଙ୍କ ମୃତ୍ୟୁ ଘଟଣା: ତଦନ୍ତ ଆରମ୍ଭ କଲେ ଦାରିଙ୍ଗବାଡି ସିଡିପିଓ

Jul 18, 2025 - 21:18
 0  11
ଗର୍ଭବତୀଙ୍କ ମୃତ୍ୟୁ ଘଟଣା: ତଦନ୍ତ ଆରମ୍ଭ କଲେ ଦାରିଙ୍ଗବାଡି ସିଡିପିଓ

କନ୍ଧମାଳ: (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ନାହୁଡ଼ସରୁ ଗ୍ରାମରେ ଗର୍ଭବତୀ ବନିଆ ପ୍ରଧାନଙ୍କ ବ୍ରହ୍ମପୁର ବଡ଼ ମେଡିକାଲରେ ମଙ୍ଗଳବାର ମୃତ୍ୟୁ ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ସମ୍ପର୍କିତ ଖବର ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶ ପାଇବା ପରେ ରାଜ୍ୟ ସ୍ତରୀୟ ତଦନ୍ତ ପ୍ରକ୍ରିୟା କରାଯାଉଥିବା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି।

ସେହିପରି ଦାରିଙ୍ଗବାଡ଼ି ସମନ୍ବିତ ଶିଶୁ ଓ ମହିଳା ବିକାଶ ଯୋଜନାର ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା ମଧ୍ୟ ଘଟଣାର ତଦନ୍ତ ପାଇଁ ଜଣେ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ପାଇବା ପରେ ସୁପରଭାଇଜର ସୁଜାତା ସାହୁ ତଦନ୍ତ କରି ଫେରିଥିବା ବେଳେ ପୁଣି ତଦନ୍ତ ପାଇଁ ଯିବେ ବୋଲି ସିଡିପିଓ କହିଛନ୍ତି। ତେବେ ଆଶାକର୍ମୀ ନିର୍ମାତା ପ୍ରଧାନ ଯଦି ପୂର୍ବରୁ ଗର୍ଭବତୀ ଥିବା ବାନିଆଙ୍କୁ ବାରମ୍ବାର ହସ୍ପିଟାଲ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଥାନ୍ତେ ତେବେ ଆଜି ଏଭକି ବନିଆଙ୍କ ମୃତ୍ୟୁ ଘଟି ନ ଥାନ୍ତା ବୋଲି ମୃତ ବନିଆଙ୍କ ସ୍ବାମୀ ସଞ୍ଜୀବ ପ୍ରଧାନ, ଗ୍ରାମର ସୁକାନ୍ତ ପ୍ରଧାନ ଓ ଅନ୍ୟମାନେ ଅଭିଯୋଗ କରିଛନ୍ତି। ଏମିତିକି ବନିଆ ରବିବାର ପ୍ରଥମେ ଅସୁସ୍ଥ ହୋଇପଡ଼ିଥିଲେ। ସେହିଦିନ ତାଙ୍କୁ ଦାରିଙ୍ଗବାଡ଼ି ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାକୁ ସଞ୍ଜୀବ ବହୁତ ନେହୁରା ହୋଇଥିଲେ ମଧ୍ୟ ଆଶାକର୍ମୀ ଗର୍ଭବତୀଙ୍କ ସହ ଯାଇ ନ ଥିଲେ ତେଣୁ ଆଶାକର୍ମୀଙ୍କ ବିରୋଧରେ ମୃତକଙ୍କ ପରିବାର ଅଭିଯୋଗ ଆଣିଛନ୍ତି। ଏନେଇ ଆଶାକର୍ମୀ କହିଛନ୍ତି ସେ ତାଙ୍କୁ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ୨ ଥର ନେଇଥିଲେ। ତାଙ୍କର ଅଲଟ୍ରାସାଉଣ୍ଡ ହେଲେ ସମସ୍ୟା ଜଣାପଡ଼ିଥାନ୍ତା। ତେବେ ଦାରିଙ୍ଗବାଡ଼ିରେ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ନ ଥିଲା। ତେଣୁ ତାଙ୍କର ଗଭୀର ସମସ୍ୟା ସମ୍ପର୍କରେ ଜଣାପଡ଼ି ନ ଥିଲା ବୋଲି ସେ କହିଛନ୍ତି। ସେହିଦିନ ତାଙ୍କ ପିଲାର ସ୍ବାସ୍ଥ୍ୟ ଖରାପ ରହିଥିବାରୁ ସେ ବନିଆଙ୍କ ସହ ଯାଇପାରି ନ ଥିଲେ କିନ୍ତୁ ତାଙ୍କ ପଡ଼ୋଶୀ ଆଶାକର୍ମୀ ତାଙ୍କ ସହ ଥିଲେ ବୋଲି ନାହୁଡ଼ସରୁର ଆଶାକର୍ମୀ ନିର୍ମାତା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ସୂଚନାଯୋଗ୍ୟ, ରବିବାର ବନିଆଙ୍କ ପେଟ ପ୍ରବଳ ବ୍ୟଥା ହେବା ସହ ରକ୍ତସ୍ରାବ ବୃଦ୍ଧି ପାଇଥିଲା ତାଙ୍କୁ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ନଥିବାରୁ ଡାକ୍ତର ତାଙ୍କୁ ଅନ୍ୟତ୍ର ଯିବାକୁ ପରାମର୍ଶ ଦେଇଥିଲେ। ଏଥିରେ ଆଶା ଏବଂ ବନିଆଙ୍କ ସ୍ବାମୀ ବନିଆଙ୍କୁ ଗାଁକୁ ଫେରେଇ ଆଣିଥିଲେ। ତେବେ ଘରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଗୁରୁତର ହେବାରୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାକେନ୍ଦ୍ର ଓ ପରେ ସେଠାରୁ ସୋମବାର ସନ୍ଧ୍ୟାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ପୂର୍ବାହ୍ନରେ ମୃତ୍ୟୁ ହୋଇଥିବା ମୃତ ବନିଆଙ୍କ ସ୍ବାମୀ ସଞ୍ଜୀବ କହିଛନ୍ତି।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ