DMF ପାଣ୍ଠିକୁ ନେଇ ସରପଞ୍ଚ ସଂଘ ଦୁଇ ଦଫା ଦାବିକୁ ନେଇ ବି. ଡି. ଓ. ଙ୍କୁ ଦାବିପତ୍ର

Feb 23, 2026 - 06:28
 0  14
DMF ପାଣ୍ଠିକୁ ନେଇ  ସରପଞ୍ଚ ସଂଘ ଦୁଇ ଦଫା ଦାବିକୁ ନେଇ ବି. ଡି. ଓ. ଙ୍କୁ ଦାବିପତ୍ର

କଳାହାଣ୍ଡି (ଫାଷ୍ଟ ନ୍ୟୁଜ ଓଡିଶା) :-(ମକୁନ୍ଦ ନାଏକ): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରେ ଅନ୍ତର୍ଭୁକ୍ତ କରିବା ସହ ସରପଞ୍ଚମାନଙ୍କୁ କ୍ଷମତା ପ୍ରଦାନ ଦାବିରେ ସରପଞ୍ଚ ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସୋମବାର ସଂଘର ଏକ ପ୍ରତିନିଧି ଦଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲିଙ୍କ ଜରିଆରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଏହି ଦାବି ପଛରେ ଅଞ୍ଚଳର ବିକାଶ ଅପେକ୍ଷା 'ଠିକା କାମ' ହାତେଇବା ପାଇଁ ସରପଞ୍ଚମାନଙ୍କ ଆଗ୍ରହ ଅଧିକ ଥିବା ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି। ସରପଞ୍ଚ ସଂଘର ଅଭିଯୋଗ ଅନୁଯାୟୀ, ୭୩ତମ ସମ୍ବିଧାନ ସଂଶୋଧନ ଓ ପଞ୍ଚାୟତରାଜ ଆଇନ ଅନୁଯାୟୀ ଗ୍ରାମସଭାର ନିଷ୍ପତ୍ତିକୁ ଗୁରୁତ୍ୱ ଦିଆଯାଉ ନାହିଁ। DMF ଅନୁଦାନକୁ ସ୍ଥାନୀୟ ଜନପ୍ରତିନିଧିମାନେ ମନୋମୁଖୀ ଭାବେ ବ୍ଲକ ବାହାରେ ବିନିଯୋଗ କରୁଥିବାରୁ ଅଞ୍ଚଳର ବିକାଶ ବାଧାପ୍ରାପ୍ତ ହେଉଛି। ସଂଘର ମୁଖ୍ୟ ଦାବି ହେଉଛି ବ୍ଲକକୁ DMFରେ ସମ୍ପୂର୍ଣ୍ଣ ସାମିଲ କରାଯିବା ସହ ଅନୁଦାନର ୧୦ ପ୍ରତିଶତ ସିଧାସଳଖ ସରପଞ୍ଚମାନଙ୍କୁ ଅନୁମୋଦନ କ୍ଷମତା ଦିଆଯାଉ। ସ୍ମାରକପତ୍ର ପ୍ରଦାନ ସମୟରେ ସଂଘ ସଭାପତି ବଳଭଦ୍ର ମାଝୀ, ସମ୍ପାଦିକା ଗୀତାଞ୍ଜଳି ମାଝୀ, ଧନସିଂ ମାଝୀ, ଧ୍ରୁବକାନ୍ତ ମାଝୀ, ବେଣୀ ମାଝୀ, ପ୍ରକାଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।ଜନପ୍ରତିନିଧିଙ୍କ ଏହି ଦାବିକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୋଗ ହେଉଛି ଯେ, ନିର୍ବାଚନ ସମୟରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଉଥିବା ଏହି ପ୍ରତିନିଧିମାନେ କେବଳ ନିଜ ସ୍ୱାର୍ଥ ଓ ଠିକାଦାରି ପାଇଁ ଲଢେଇ କରୁଛନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଦୋଳ ଗୁଡ଼ା ଗ୍ରାମର ସାବିତ୍ରୀ ନାୟକ। ପ୍ରଶାସନିକ କାଗଜପତ୍ରରେ ତାଙ୍କୁ 'ମୃତ' ଦର୍ଶାଯାଇ ଗତ ୪ ବର୍ଷ ହେବ ତାଙ୍କର ଭତ୍ତା ବନ୍ଦ କରିଦିଆଯାଇଛି। ଜଣେ ଜୀବିତ ବୃଦ୍ଧା ମୌଳିକ ସୁବିଧା ପାଇଁ ଗୁହାରି କରୁଥିବା ବେଳେ କୌଣସି ସରପଞ୍ଚ କିମ୍ବା ସଂଘ ତାଙ୍କ ଦୁଃଖ ଶୁଣିବାକୁ ଘରକୁ ଯାଇନାହାନ୍ତି କି ବିଡିଓଙ୍କ ସହ ଆଲୋଚନା କରିନାହାନ୍ତି। ବୃଦ୍ଧାଙ୍କ ହକ୍ ପାଇଁ ନୀରବ ରହୁଥିବା ସଂଘ କେବଳ ଅର୍ଥ ଓ କ୍ଷମତା ପାଇଁ ଆନ୍ଦୋଳନର ଧମକ ଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ ଉଠିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ