ହରିଶ୍ଚନ୍ଦ୍ର ପଣ୍ଡା ଜିଲ୍ଲା ଯୁବ ବିଜେଡି ସଭାପତି ପଦରୁ ଇସ୍ତଫା

ନୁଆପଡ଼ା : ନୂଆପଡ଼ା ଜିଲ୍ଲା ଯୁବ ବିଜେଡି ସଭାପତି ପଦରୁ ହରିଶ୍ଚନ୍ଦ୍ରପଣ୍ଡା(ଟିଟୁ) ଇସ୍ତଫା ଦେଇଛନ୍ତି । ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ଇମେଲ ଯୋଗେ ପଠାଇଛନ୍ତି ସୂଚନାଯୋଗ୍ୟ, ଟିଟୁ ଦଳର କିଛି ନେତାଙ୍କ ସହ ମିଶି ଗତ ୯ ମାର୍ଚ୍ଚରେ ବର୍ତ୍ତମାନର ବିଧାୟକ ତଥା ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଟିକଟ ନଦେବା ପାଇଁ ସାମ୍ବାଦିକ ସମ୍ମିଳନୀ କରି ଦଳର ଶୀର୍ଷ ନେତୃତ୍ବଙ୍କୁ ଦାବି କରିଥିଲେ । ସେହି ସାମ୍ବାଦିକ ସମ୍ମିଳନୀରେ ସେ ରାଜେନ୍ଦ୍ର ଢୋଲକିଆ କିମ୍ବା ତାଙ୍କ ପୁଅ ଜୟ ଢୋଲକିଆଙ୍କୁ ଟିକଟ ଦେଲେ ଦଳରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ଆଜି ସାମାଜିକ ଗଣମାଧ୍ଯମରେ ଏକ ପୋଷ୍ଟ କରି ସେ ଦଳ ପ୍ରତି ତାଙ୍କର ଆନୁଗତ୍ୟ ବିଷୟରେ କହିବା ସହ ଅମେ ବିଭିନ୍ନ ମାଧ୍ୟମରେ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଟିକଟ ନଦେବା ପାଇଁ ଦାବି କରିଥିଲୁ । ଦଳର ଶୀର୍ଷ ନେତୃତ୍ବ ଆମ କଥାକୁ ଅଣଦେଖା କରି ପୁଣିଥରେ ଢୋଲକିଆ ଙ୍କୁ ନୂଆପଡ଼ା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିବାରୁ ସେ ବ୍ୟଥିତ ହୋଇ ଏପରି ଏକ ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛି ବୋଲି କହିଛନ୍ତି । ଏହା ସହ ନିଜର ଆଗାମୀ ରାଜନୈତିକ ପଦକ୍ଷେପ ସମ୍ପର୍କରେ ନିଜର ଶୁଭେଚ୍ଛୁ ଓ ସମର୍ଥକ ମାନଙ୍କ ସହ ଅଲୋଚନା କରିବା ପରେ ଜଣାଇବି ବୋଲି କହିଛନ୍ତି । ନୂଆପଡ଼ା ଲଢ଼େଇ ସମ୍ମାନର ପ୍ରଶ୍ନ ହୋଇଥିବା ବେଲେ ବିଜେଡି ନେତା ଦଳ ଛାଡ଼ିବା ଚିନ୍ତାର କାରଣ ହୋଇଛି। ଦଳୀୟ ନେତୃତ୍ବ ନେତା ଓ କର୍ମୀଙ୍କ ମଧ୍ୟରେ ଦେଖା ଦେଇଥିବା ଅସନ୍ତୋଷ ପ୍ରଶମିତ କରି କିପରି ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଉଛନ୍ତି ତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି l ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






