ସମୟ ବଦଳିଛି:ଆଧୁନିକ ଯୁଗର ବହୁଳ ପ୍ରଭାବ ପଡିଛି:ଦ୍ରୁତ ବିକାଶ ପଥରେ ସମାଜ
ବିଜ୍ଞାନର ଜୟଗାନ କରି ମାନବ ସମାଜ ଯେତିକି ମଙ୍ଗଳ ବିଧାନ କରୁଛି ଅପରପକ୍ଷେ ତା'ର ଜାଣତରେ ହେଉ ଅବା ଅଜାଣତରେ ଅଭୂତପୂର୍ବ କ୍ଷତି ବି ହେଉଛି | ଅବଶ୍ୟ ବିକାଶ ଆଳରେ ଗଛ କାଟି ଜଙ୍ଗଲ ଧ୍ୱଂସ କରି ମନୁଷ୍ୟ ତାର ପରିଣାମ ଭୋଗ କଲାଣି । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ପାଇଁ କଳକାରଖାନା, ଘର ଦ୍ବାର, ରାସ୍ତା ଘାଟ, ସହର ବଜାର, ସ୍କୁଲ କଲେଜ ମାନ ନିର୍ମାଣ କରି ମାନବ ସମାଜ ଯେମିତି ପ୍ରକୃତି ଉପରେ ଦାଉ ସାଧୁଛି । ଗଛ ଲତା ହ୍ରାସ ପାଇବା ଯୋଗୁଁ ତା'ର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଛି । ବିଶ୍ଵ ତାପନର କୁପ୍ରଭାବରେ ସମଗ୍ର ସୃଷ୍ଟି କବଳିତ। ଖରାର ପ୍ରକୋପ ବେଶୀ ହେଉଥିବା ବେଳେ ଶୀତ, ବର୍ଷାର ମାତ୍ରା ଯଥେଷ୍ଟ କମିଗଲାଣି । ପ୍ରାକୃତିକ ଭାରସ୍ୟାମ ଏକ ପ୍ରକାର ବିଗିଡି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ବନ୍ୟଜନ୍ତୁ ନିଜ ବାସସ୍ଥଳୀ ଜଙ୍ଗଲରେ ଅସୁରକ୍ଷିତ ମଣୁଛନ୍ତି । ବିଶ୍ଵ ପ୍ରସିଦ୍ଧ ଶିମିଳିପାଳ ଜୈବ ମଣ୍ଡଳରୁ ପ୍ରତ୍ୟହ ହାତୀ, ବାଘ, ହରିଣ, ଭାଲୁ ଭଳି ଜୀବଜନ୍ତୁ ଗ୍ରାମାଭିମୁଖୀ ହେଉଛନ୍ତି । ଜଙ୍ଗଲ ପାଦ ଦେଶରେ ଥିବା ଗାଁ ଗଣ୍ଡାର ଲୋକଙ୍କ ସମେତ ଗୃହ ପାଳିତ ପଶୁ ଗାଈ, ଗୋରୁ, ଛେଳି ମେଣ୍ଢାଙ୍କୁ ଆକ୍ରମଣ କରୁଥିବା ଦେଖା ଯାଇଛି । ଏମିତିକି ମାରି ଖାଇ ଯାଉଥୁବା ବି ଦେଖା ଯାଉଛି । ଶିକାରୀଙ୍କ ଅବାଧ ପଶୁ ପକ୍ଷୀ ଶିକାର ମଧ୍ୟ ବନ୍ୟଜନ୍ତୁ ପ୍ରତି ଘୋର ବିପଦ ସୃଷ୍ଟି କରିଛି । ପ୍ରକୃତି ତାର ଭାରସ୍ୟାମ ହରାଇ ବସିଥିବା ବେଳେ ଉଭୟ ମଣିଷ ଓ ବନ୍ୟ ଜୀବ ଜନ୍ତୁ ଏବେ ଆସନ୍ନ ବିପଦରେ ଅଛନ୍ତି । ଏନେଇ ବ୍ୟାପକ ଜନ ସଚେତନତା ସହ ସରକାର ଦୃଢ଼ ପଦକ୍ଷେପ ନନେଲେ ନିକଟ ଭବିଷ୍ୟତରେ ମାନବ ସମାଜ ବହୁଳ ବିପର୍ଯ୍ୟୟର ସାମ୍ନା କରିବ ତାହା ନିଃସନ୍ଦେହରେ କୁହାଯାଇପାରେ | ବେସରକାରୀ ସ୍ତରରେ ମଧ୍ୟ ଏହାର ପ୍ରତିକାର ପାଇଁ ପ୍ରବଳ ଉଦ୍ୟମର ଆବଶ୍ୟକତା ରହିଛି। କୁଆ, କୋଇଲି, ଘର ଚଟିଆ, ଶଙ୍ଖ ଚିଲ, କୋକି ଶିଆଳ ଭଳି ପଶୁ ପକ୍ଷୀ ଦେଖା ଯାଉ ନାହାଁନ୍ତି । ସମୟ ସ୍ରୋତରେ ଡାଇନେସାର ଭଳି ଅନେକ ଜୀବଜନ୍ତୁ ଲୋପ ପାଇବାକୁ ବସିଲେଣି । ବହୁ ସମୟ ଅତିକ୍ରାନ୍ତ ହୋଇ ଥିଲେ ବି ଏବେ ଠାରୁ ମଣିଷ ଏହାର ଭୟାବହତା ନ ବୁଝିଲେ ପରିସ୍ଥିତି ସାଙ୍ଘାତିକ ହେବା ଏକ ପ୍ରକାର ନିଶ୍ଚିତ I ସାମାଜିକ ବନୀକରଣ ସହ ବନ୍ୟ ଜନ୍ତୁ ଶିକାର ନିରୋଧ ଆଇନକୁ କଡାକଡି ପାଳନ ହେଲେ ହିଁ ଏହି ଗୁରୁତର ସମସ୍ୟାର କିଛିକାଂଶରେ ଦୂର ହୋଇ ପାରିବ ବୋଲି ଆଶା କରାଯାଏ।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0