ମାଲକାନଗିରିରେ ‘ଶୌର୍ଯ୍ୟ କାଫେ’ର ଶିଳାନ୍ୟାସ: ଅମର ଶହୀଦଙ୍କୁ ଜିଲ୍ଲା ପ୍ରଶାସନର ବିନମ୍ର ଶ୍ରଦ୍ଧାଞ୍ଜଳି

Oct 30, 2026 - 18:23
 0  1
ମାଲକାନଗିରିରେ ‘ଶୌର୍ଯ୍ୟ କାଫେ’ର ଶିଳାନ୍ୟାସ: ଅମର ଶହୀଦଙ୍କୁ ଜିଲ୍ଲା ପ୍ରଶାସନର ବିନମ୍ର ଶ୍ରଦ୍ଧାଞ୍ଜଳି

*ମାଲକାନଗିରି,୩୦/୧୦/୨୬:* ଜିଲ୍ଲା ପ୍ରଶାସନର ଏକ ପ୍ରେରଣାଦାୟୀ ତଥା ଅଭିନବ ପ୍ରୟାସ ସ୍ୱରୂପ ମାଲକାନଗିରି ଜନଜାତି ସଂଗ୍ରହାଳୟ ନିକଟରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଙ୍କ ଦ୍ୱାରା ‘ଶୌର୍ଯ୍ୟ କାଫେ’ର ଶୁଭ ଭୂମି ପୂଜନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ ଚରମ ସୀମାରେ ଥିବା ସମୟରେ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ପ୍ରତିଷ୍ଠା ପାଇଁ ନିଜ ଜୀବନର ସର୍ବୋଚ୍ଚ ବଳିଦାନ ଦେଇଥିବା ଅମର ଆରକ୍ଷୀ ଏବଂ ଅର୍ଦ୍ଧସାମରିକ ବାହିନୀର ବୀର ଯବାନମାନଙ୍କ ସ୍ମୃତି ଚାରଣ ତଥା ସେମାନଙ୍କ ସାହସିକତା ପ୍ରତି ସମ୍ମାନ ଜଣାଇ ଏହି କାଫେକୁ ଉତ୍ସର୍ଗୀକୃତ କରାଯାଇଛି। ଏହା ପ୍ରତ୍ୟେକ ନାଗରିକଙ୍କ ମଧ୍ୟରେ ଦେଶପ୍ରେମ, ତ୍ୟାଗ ଏବଂ ସେବା ମନୋଭାବ ଜାଗ୍ରତ କରିବା ପାଇଁ ଏକ ଅନନ୍ୟ ପ୍ରେରଣାର କେନ୍ଦ୍ରବିନ୍ଦୁ ସାଜିବ। ଏହି ଅବସରରେ ଜିଲ୍ଲାପାଳ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ଆମ ଜିଲ୍ଲାର ଶାନ୍ତି ଓ ପ୍ରଗତି ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସେହି ଅମର ଶହୀଦମାନଙ୍କ ନିକଟରେ ଆମେ ଚିର ଋଣୀ। ଏହି 'ଶୌର୍ଯ୍ୟ କାଫେ' କେବଳ ଏକ ସ୍ମାରକୀ ନୁହେଁ, ବରଂ ଆଗାମୀ ପିଢ଼ି ପାଇଁ ତ୍ୟାଗ ଓ ଦେଶମାତୃକାର ସେବା ଦିଗରେ ଏକ ଜୀବନ୍ତ ପ୍ରେରଣା ହୋଇ ରହିବ। ସେହିପରି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଆରକ୍ଷୀ ଅଧୀକ୍ଷକ ଯବାନମାନଙ୍କ ଅତୁଳନୀୟ ଅବଦାନକୁ ସ୍ମରଣ କରି କହିଥିଲେ, ଆଜି ମାଲକାନଗିରିରେ ଯେଉଁ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇପାରିଛି, ତାହା କେବଳ ଆମ ସୁରକ୍ଷା ବଳର ଯବାନମାନଙ୍କ ଅଦମ୍ୟ ସାହସ ଓ ବଳିଦାନ ଯୋଗୁଁ ସମ୍ଭବ ହୋଇଛି। ଏହି ପ୍ରକଳ୍ପ ଆମର ସେହି ବୀର ନାୟକମାନଙ୍କ ପ୍ରତି ଏକ କ୍ଷୁଦ୍ର କୃତଜ୍ଞତା ଓ ସମ୍ମାନର ପ୍ରତୀକ। ଏହି ଗୌରବମୟ ଉତ୍ସବରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ହଳଧର ଶବର ପ୍ରମୁଖ ବିଶେଷ ଭାବେ ଉପସ୍ଥିତ ରହି ଶହୀଦମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ