ନୂଆପଡ଼ାରେ ଶିକ୍ଷା ସମୀକ୍ଷା ବୈଠକ: ବିଦ୍ୟାଳୟ ଖୋଲିବା ପୂର୍ବରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ପ୍ରଶାନ୍ତ କୁମାର ମହାନ୍ତି ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଜିଲ୍ଲାର ଶିକ୍ଷାଗତ ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ବର୍ଷସାରା କରାଯିବାକୁ ଥିବା ବିଭିନ୍ନ କାର୍ଯ୍ୟକଳାପ ପାଇଁ ବାର୍ଷିକ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗ୍ରୀନ୍ ସ୍କୁଲ ଅଧୀନରେ ସମସ୍ତ ବିଦ୍ୟାଳୟରେ ନ୍ୟୁଟ୍ରି ଗାର୍ଡେନ ସ୍ଥାପନ କରିବାକୁ ମଧ୍ୟ କହିଥିଲେ l ଆସନ୍ତା ୧୮ ଜୁନରେ ବିଦ୍ୟାଳୟ ଓ ଛାତ୍ରାବାସ ଖୋଲିବାକୁ ଥିବାରୁ ଜିଲ୍ଲାପାଳ ସମସ୍ତ ବିଦ୍ୟାଳୟରେ ପୂର୍ବ ପ୍ରସ୍ତୁତି ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବର୍ଷା ଋତୁକୁ ଦୃଷ୍ଟିରେ ରଖି ଜଳବାହିତ ଓ ମଶାବାହିତ ରୋଗ ରୋକିବା ପାଇଁ ବିଶେଷ ସତର୍କତା ଅବଲମ୍ବନ କରିବାକୁ ସେ କହିଥିଲେ। ବିଦ୍ୟାଳୟ ଓ ଛାତ୍ରାବାସର ଶ୍ରେଣୀଗୃହ, କାର୍ଯ୍ୟାଳୟ, ପରୀକ୍ଷାଗାର, ପୁସ୍ତକାଳୟ, ରୋଷେଇ ଘର, ଭୋଜନାଳୟ, ଶୌଚାଳୟ ଓ ଅନ୍ୟାନ୍ୟ ସ୍ଥାନକୁ ସଫା ଓ ବିଶୋଧନ କରିବାକୁ କହିଥିଲେl ସେହିପରି କ୍ୟାମ୍ପସରୁ ଅନାବଶ୍ୟକ ଘାସ, ଆବର୍ଜନା ଓ ନିର୍ମାଣ ସାମଗ୍ରୀର ଅବଶିଷ୍ଟ ହଟାଇ ଜଳ ଜମିବା ସ୍ଥାନଗୁଡ଼ିକୁ ଦୂର କରିବା, ପାଣି ଟାଙ୍କି ଓ ଜଳ ନିଷ୍କାସନ ବ୍ୟବସ୍ଥା ସଫା ରଖିବା ଏବଂ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ କରାଇବାକୁ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ ଭିଡିଓ କଲ୍ ମାଧ୍ୟମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବାଡ଼ିର ଛାତ୍ର ଲଭାଂଶ ମେହେରଙ୍କ ସହ କଥାବାର୍ତ୍ତା କରିଥିଲେ। ସିବିଏସଇ ଯୁକ୍ତ ଦୁଇ ପରୀକ୍ଷାରେ ୯୬.୬୦ ପ୍ରତିଶତ ନମ୍ବର ରଖି ଜିଲ୍ଲା ଟପ୍ପର ହୋଇଥିବା ଲଭାଂଶ JEE Advanced-2026 ରେ ଅଲ୍ ଇଣ୍ଡିଆ ରାଙ୍କ ୩୪୨୩ ହାସଲ କରିଥିବାରୁ ଜିଲ୍ଲାପାଳ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ତାଙ୍କ ଭବିଷ୍ୟତ ଲକ୍ଷ୍ୟ ଓ କ୍ୟାରିୟର ଯୋଜନା ସମ୍ପର୍କରେ ଆଲୋଚନା କରି ଉଚ୍ଚ ଶିକ୍ଷା ପାଇଁ ପ୍ରେରଣାଦାୟକ ପରାମର୍ଶ ଦେଇଥିଲ ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମଲାଲ ନାୟକଙ୍କ ସମେତ ବିଭିନ୍ନ ବ୍ଲକ ଶିକ୍ଷା ଅଧିକାରୀ, ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0