୫ ଦିନ ପରେ ଖୋଲିବ ମଣ୍ଡି: ଟୋକନ୍ ଦେଖାନାହିଁ

Dec 5, 2025 - 18:05
 0  15

କୋଲାବିରା, ୪।୧୨ (ଫାଷ୍ଟ ନ୍ୟୁଜ ଓଡିଶା) : ଝାରସୁଗୁଡା ଜିଲାରେ ଆସନ୍ତା ୯ ତାରିଖରୁ ଧାନମଣ୍ଡି ଖୋଲାଯାଇ ଚାଷୀଙ୍କ ଧାନ କିଣାଯିବ ବୋଲି ଘୋଷଣା କରାଯାଇଛି । କିନ୍ତୁ କ୍ରୟକେନ୍ଦ୍ର ଖୋଲାଯିବାକୁ ଆଉ ମାତ୍ର ୫ଦିନ ବାକି ଥିବାବେଳେ ଏପର୍ଯ୍ୟନ୍ତ ଚାଷୀଙ୍କ ପାଖକୁ ଧାନବିକ୍ରି ଟୋକନ୍ ଆସିନାହିଁ । ତେଣୁ ଚାଷୀମାନେ ଚିନ୍ତିତ ଅଛନ୍ତି । ଯଦି ଟୋକନ୍ ନ ଆସିଲା, ତେବେ ଧାନ କ୍ରୟକେନ୍ଦ୍ର ଖୋଲା ରହିଲେ ମଧ୍ୟ ଚାଷୀମାନେ ଧାନ ବିକ୍ରି କରିପାରିବେ ନାହିଁ । ଚାଷୀମାନଙ୍କୁ ଟୋକନ୍ ନ ଦେଇ ଧାନମଣ୍ଡି ଖୋଲିବା ମୂଲ୍ୟହୀନ ବୋଲି ଚାଷୀମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି । ଅନେକଚାଷୀ ପଞ୍ଜୀକରଣ ସମୟରେ ନଭେମ୍ବର ଶେଷ ସପ୍ତାହରେ ଧାନ ବିକିବାକୁ ଆବେଦନ କରିଥିଲେ । କିନ୍ତୁ ସେମାନଙ୍କ ନିକଟକୁ ଏଯାଏ ଟୋକନ୍ ଆସିନାହିଁ । ତେଣୁ ଧାନ ଅମଳ ସାରି ନଭେମ୍ବର ମାସରେ ଧାନବିକ୍ରି ପାଇଁ ପ୍ରସ୍ତୁତ ଥ‌ିବା ଚାଷୀ ମାନେ ଅଭାବୀବିକ୍ରି ଜାଲରେ ପଡି ବେପାରୀଙ୍କୁ ବାଧ୍ୟହୋଇ ଧାନ ବିକ୍ରିକରି କ୍ଷତିଗ୍ରସ୍ତ ହେବା ଆଶଙ୍କା ଦେଖାଦେଇଛି । ବିନା ଟୋକନ୍‌ରେ ମଣ୍ଡି ଖୋଲିବା ବେପାରୀ ଓ ଦଲାଲ୍ ମାନଙ୍କ ପାଇଁ ଚାଷୀଙ୍କ ଠାରୁ ଅଣ୍ଡରରେଟ୍‌ରେ ଧାନ କିଣିବା ସୁଯୋଗ ଆଣିଦେଇଛି ।ଚଳିତ ବର୍ଷ ଅଧିକ ଚାଷୀ ପଞ୍ଜିକରଣ କରିଥିବା ବେଳେ ୪ଟି ନୂତନ ପ୍ୟାକ୍ସ ଜିଲ୍ଲାରେ ବଢିଛି।ଗତ ବର୍ଷ ତୁଳନାରେ ପାଖାପାଖି ୨ ଲକ୍ଷ କ୍ୱିଣ୍ଟାଲ ଅଧିକ ଧାନ କିଣିବା ପାଇଁ ଯୋଜନା କରାଯାଇଛି। ଚଳିତ ବର୍ଷ ଜିଲ୍ଲାରେ ୨୩ ହଜାର୨୧୭ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ସେଥି ମଧ୍ୟରୁ କୋଲାବିରା ବ୍ଲକରେ ୪୧୨୮ ଜଣ ଚାଷୀ ପଞ୍ଜିକରଣ କରିଥିବା ଜଣାପଡ଼ିଛି। ଏଥର କୋଲାବିରା ବ୍ଲକରେ ସୋଢ଼ାମାଲ ରେ ଏକ ଅତିରିକ୍ତ ପ୍ୟାକ୍ସ ବଢିଛି। ଏଠାରେ ଉଲ୍ଲେଖଯୋଗ୍ୟ, କିଛିଦିନ ହେଲା ବେପାରୀ ଓ ଦଲାଲ୍ ସକ୍ରିୟ ହୋଇ ଚାଷୀଙ୍କ ଠାରୁ ଅଣ୍ଡରରେଟ୍‌ରେ ଧାନ କିଣି ସିଧାସଳଖ ମିଲ୍‌କୁ ନେଇ ଧାନ ବିକ୍ରିକରି ମାଲେମାଲ୍ ହେଉଥିବା ଅଭିଯୋଗ ହେଉଛି।

 କୋଲାବିରା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ