ଯୁବକଙ୍କ ତୀର ମାଡ଼ରେ 3 ଗୁରୁତର

Aug 27, 2025 - 20:54
 0  8
ଯୁବକଙ୍କ ତୀର ମାଡ଼ରେ 3 ଗୁରୁତର

ନୂଆପଡ଼ା ଜିଲା କୋମନା ଥାନା ସୁନାବେଡ଼ା ପଞ୍ଚାୟତ ଗଡଭଟା ଯୋଗୀମୁଣ୍ଡା ଗାଁରେ ଜଣେ ଯୁବକଙ୍କ ତୀର ମାଡ଼ରେ ମହିଳା, ନାବାଳକଙ୍କ ସମେତ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଲେ ଉକ୍ତ ଗ୍ରାମର ମଙ୍ଗଳୁ ପହରିଆ (୪୬), ମହିଳା ଶୁକ୍ରବାରୀ ପହରିଆ (୪୫) ଓ ନାବାଳକ ସନ୍ତୋଷ ପହରିଆ (୧୪) । ସୂଚନା ଅନୁଯାୟୀ, ଅପରାହ୍ନ ପ୍ରାୟ ସାଢେ ୩ଟା ସମୟରେ ଯୋଗୀମୁଣ୍ଡା ଗ୍ରାମର ଲାଲଧର ପହରିଆ (୪୫) ହାତରେ ଧନୁତୀର ଧରି ଜଙ୍ଗଲ ପଟୁ ଘରକୁ ଫେରୁଥିଲେ । ସେହି ସମୟରେ ଶୁକ୍ରବାରୀ ନିଜ ଘରୁ ବାହାରୁଥିବା ବେଳେ ଲାଲଧର ତାଙ୍କୁ ତୀରରେ ଆକ୍ରମଣ କରିଥିଲେ । ପରେ ମଙ୍ଗଳୁ ସାମ୍‌ନାକୁ ଆସିଯିବାରୁ ତାଙ୍କୁ ମଧ୍ୟ ତୀର ମାଡ଼ କରିଥିଲେ । ସେ ସମୟରେ ମା’ବାପାଙ୍କୁ ହରାଇ ଜେଜେମା'ଙ୍କ ପାଖରେ ଆଶ୍ରୟ ନେଉଥିବା ନାବାଳକ ସନ୍ତୋଷ ପାଇଖାନାରୁ ଫେରୁଥିବା ସମୟରେ ତାଙ୍କୁ ମଧ୍ଯ ତୀର ମାଡ଼ କରି ଲାଲଧର ଫେରାର ହୋଇଯାଇଥିଲେ। ସେଠାରେ କୌଣସି ଗାଡ଼ି ବା ଆମ୍ବୁଲାନ୍ସ ସେବା ନ ଥିବାରୁ ସୁନାବେଡା ଗାଁର କେତେଜଣ ଯୁବକ ସମସ୍ତ ଗୁରୁତରଙ୍କୁ ଖଟିଆରେ ବୋହି ୩ କି.ମି. ଦୂର ସୁନାବେଡା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଶୁକ୍ରବାରୀ ସାମାନ୍ୟ ଆହତ ହୋଇଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେ ଘରକୁ ଫେରିଯାଇଛନ୍ତି। ଗୁରୁତର ମଙ୍ଗଳୁ ଓ ସନ୍ତୋଷଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଖବର ଲେଖାହେବା ସୁଦ୍ଧା ମଙ୍ଗଳୁଙ୍କ ଶରୀରରୁ ତୀର ବାହାର କରାଯାଇଥିବା ବେଳେ ସନ୍ତୋଷଙ୍କ ପେଟରୁ ତୀର ବାହାରିପାରି ନାହିଁ। ତୀର ମାଡ଼ର କାରଣ ଜଣାପଡ଼ି ନଥିବାବେଳେ ଗାଁ ଲୋକଙ୍କ କହିବା ଅନୁଯାୟୀ ନିଶାସକ୍ତ ଅବସ୍ଥାରେ ମଦ୍ୟପାନ କରି ଜଙ୍ଗଲ ପଟୁ ଆସି ଏଭଳି କାଣ୍ଡ ଘଟାଇଛନ୍ତି। ଖବରପାଇ କୋମନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି ।

ନୂଆପଡାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ