ମେଗା,ଏକକ ଓ ବହୁଗ୍ରାମ ଜଳ ଯୋଗାଣର ସୁଗମ ସମ୍ପାଦନ ନିମନ୍ତେ ଜିଲ୍ଲା ଜଳ ଓ ପରିମଳ ମିଶନ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

Aug 30, 2025 - 20:13
 0  7
ମେଗା,ଏକକ ଓ ବହୁଗ୍ରାମ ଜଳ ଯୋଗାଣର ସୁଗମ ସମ୍ପାଦନ ନିମନ୍ତେ ଜିଲ୍ଲା ଜଳ ଓ ପରିମଳ ମିଶନ  ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

ବାରିପଦା:୩୦.୦୮.୨୦୨୫// ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ଜଳ ଓ ପରିମଳ ମିଶନ ଆନୁକୂଲ୍ୟରେ, ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ଜିଲ୍ଲା ଜଳ ଓ ପରିମଳ ମିଶନ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମେଗା, ଏକକ ଓ ବହୁ ଗ୍ରାମ ଜଳ ଯୋଗାଣ ଯୋଜନାର ସୁଗମ କାର୍ଯ୍ୟକାରିତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ପ୍ରତ୍ୟେକ ପରିବାର, ଜନ ସମାଗମ ହେଉଥିବା ସାଧାରଣ ସ୍ଥାନ ତଥା ଶିକ୍ଷାନୁଷ୍ଠାନ, ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକୁ ପାଇପ ଯୋଗେ ସ୍ୱଚ୍ଛ ଓ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାନେଇ ତୃଣମୂଳ ସ୍ତରରେ କି କି ପଦକ୍ଷେପ ନିଆଯାଇଛି ସେ ବିଷୟରେ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ କିଭଳି ସ୍ୱଚ୍ଛ ପାନୀୟ ଜଳ ପାଇପ ଯୋଗେ ଉପଲବ୍ଧ ହେବା ସହିତ ସମସ୍ତ ବିଦ୍ୟାଳୟର ହଷ୍ଟେଲ ମାନଙ୍କରେ ଏହି ସୁବିଧା ଯୋଗାଇ ଦେବାକୁ ବିହିତ ପଦକ୍ଷେପ ନେବାପାଇଁ ଜିଲ୍ଲା ଜଳ ଯୋଗାଣ ଉପ-ବିଭାଗ, ଅଧିକ୍ଷଣ ଯନ୍ତ୍ରୀଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହଯୋଗରେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ସରକାରଙ୍କ ଯୋଜନା ଅନୁସାରେ ପ୍ରତ୍ୟେକ ଘର ସହିତ ସମସ୍ତ ସ୍ଥାନକୁ ପର୍ଯ୍ୟାପ୍ତ ପରିମାଣରେ ଜଳ ଯୋଗାଣ କିଭଳି ହୋଇ ପାରିବ ସେ ବିଷୟରେ ଧ୍ୟାନ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ପି ଭି ଟି ଜି ବାସ କରୁଥିବା ସମସ୍ତ ଅଂଚଳକୁ ଜଳ ଯୋଗାଣ ବ୍ୟବସ୍ଥା ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ନିର୍ଦେଶ ଦେଇଛନ୍ତି କାର୍ଯ୍ୟ କରୁଥିବା ବିଭିନ୍ନ ଠିକା ସଂସ୍ଥାକୁ ଅଧିକ ମେନ ପାୱାର ନିୟୋଜିତ କରି ତାରାନ୍ୱିତ ପ୍ରକ୍ରିୟାରେ ଠିକ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି ଏବଂ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଜିଓ ଟେଗ ଫୋଟୋ ମାଧ୍ୟମରେ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମା ନନ୍ଦ ବେହେରା, ରାଇରଙ୍ଗପୁର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଜନ ର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀକାନ୍ତ ରାଉତ,ସମସ୍ତ ବ୍ଲକର ଲାଇନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା କରିବା ସହିତ ଜିଲ୍ଲାରେ ମେଗା ପାଇପ ଜଳ ଯୋଗାଣକୁ କିପରି ତ୍ୱରାନ୍ୱିତ କରିବାକୁ ହେବ ଏବଂ ସମସ୍ତ ଜଳ ଯୋଗାଣ ସ୍ଥାନ ମାନଙ୍କରେ ଭୂମି ସିମାଙ୍କନ ଆଦି କାର୍ଯ୍ୟ କିପରି ସଠିକ ଭାବରେ କାର୍ଯ୍ୟକାରୀ ହେବ ସେ ବିଷୟରେ ଆଲୋଚନା କରିଥିଲେ। ଉକ୍ତ ବୈଠକରେ, ବିଜୁଳି, ବନ, ପୂର୍ତ୍ତ, ଶିକ୍ଷା, ଗୃହ ନିର୍ମାଣ, ରାଜସ୍ୱ, ଜାତୀୟ ରାଜପଥ ନିର୍ମାଣ, ଆଦି ବିଭାଗ ସମ୍ବଳିତ ଜଳ ଯୋଗାଣ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡିକର ତୁରନ୍ତ ନିର୍ଯ୍ୟାସ ପାଇଁ ଏହି କାର୍ଯ୍ୟକାରୀ ବୈଠକରେ ନିଜ ନିଜ ମତ ପୋଷଣ କରିଥିଲେ। ଏହି ବୈଠକକୁ ବାରିପଦା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଜ୍ଞାନେନ୍ଦ୍ର ନାୟକ ସଂଚାଳନ କରିଥିବାବେଳେ, ସମସ୍ତ ବିଭାଗୀୟ, ଉପବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ