ମାଲକାନଗିରିର ୭ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା: ୧୩୨୦ ଛାତ୍ରୀଙ୍କୁ ମିଳିବ ସୁରକ୍ଷା କବଚ
ମାଲକାନଗିରି, ୯ ଜୁଲାଇ, ୨୦୨୬: ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଅଭିଯାନ ଆରମ୍ଭ କରାଯାଇଛି। ଜିଲ୍ଲାର ୭ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଅଧ୍ୟୟନରତ ୧୩୨୦ ଜଣ ଛାତ୍ରୀଙ୍କୁ ମ୍ୟାଲେରିଆ ଭଳି ମାରାତ୍ମକ ରୋଗରୁ ରକ୍ଷା କରିବା ପାଇଁ ଏହି ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ୨ଟି ବିଦ୍ୟାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା ସମ୍ପୂର୍ଣ୍ଣ ହୋଇଥିବାବେଳେ, ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଅବଶିଷ୍ଟ ୫ଟି ବିଦ୍ୟାଳୟରେ ଏହି ପ୍ରକ୍ରିୟା ଶେଷ କରାଯିବ। ପ୍ରତ୍ୟେକ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ସ୍ଥିତିକୁ ଅନୁଧ୍ୟାନ କରି ସେମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ଏବଂ ପରାମର୍ଶ ପ୍ରଦାନ କରିବାକୁ ସ୍ୱାସ୍ଥ୍ୟ ବିଭାଗର ଟିମ୍ କାର୍ଯ୍ୟ କରୁଛନ୍ତି। ଏହି ଅଭିଯାନ ସମ୍ପର୍କରେ ମାଲକାନଗିରି ଜିଲ୍ଲାପାଳ କହିଛନ୍ତି ଯେ ବାଳିକାମାନଙ୍କର ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ଜିଲ୍ଲା ପ୍ରଶାସନର ପ୍ରାଥମିକତା। ବିଦ୍ୟାଳୟରେ ପଢୁଥିବା ଛାତ୍ରୀମାନେ ଯେପରି ସୁସ୍ଥ ରହି ନିର୍ଭୟରେ ନିଜର ଶିକ୍ଷା ଜାରି ରଖିପାରିବେ, ସେଥିପାଇଁ ମ୍ୟାଲେରିଆ ନିରାକରଣ ପାଇଁ ଏହି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। କୌଣସି ବି ଛାତ୍ରୀ ଯେପରି ଚିକିତ୍ସାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ଜିଲ୍ଲା ପ୍ରଶାସନର ଏହି ତ୍ୱରିତ ଏବଂ ସମ୍ବେଦନଶୀଳ ପଦକ୍ଷେପକୁ ସମସ୍ତେ ସ୍ୱାଗତ କରିଛନ୍ତି। ଏହାଦ୍ୱାରା ଛାତ୍ରୀମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ପାଇବା ସହ ଶିକ୍ଷା ବାତାବରଣ ଅଧିକ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0