ନୂଆପଡ଼ାରେ ଡିଡିସି ଓ ଡିଏଲଆରସି ବୈଠକ: ଋଣ ପ୍ରଦାନ ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ପ୍ରଗତି ସମୀକ୍ଷା, ଶଶୀଭୂଷଣ ପାଣିଗ୍ରାହୀଙ୍କୁ ‘ବ୍ୟାଙ୍କ ପରମ ମିତ୍ର’ ପୁରସ୍କାର
ନୂଆପଡ଼ା ଜିଲ୍ଲାରେ ଡିଡିସି ଏବଂ ଡିଏଲଆରସି ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ଏଲଡିଏମ ହରିଶଙ୍କର ନିଆଲ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବୈଠକରେ ବାର୍ଷିକ ଋଣ ଯୋଜନାର ଲକ୍ଷ୍ୟ, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ମତ୍ସ୍ୟ ଚାଷ ଏବଂ ଅନ୍ୟାନ୍ୟ ବିଭାଗକୁ ଋଣ ପ୍ରଦାନ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ବ୍ୟାଙ୍କ ସଂଯୋଗ ଆଦି ବିଷୟ ଉପରେ ସମୀକ୍ଷା କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ଦାଶ ବିଭିନ୍ନ ବ୍ୟାଙ୍କ ଓ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଯୋଗ୍ୟ ହିତାଧିକାରୀଙ୍କୁ ସମୟୋପଯୋଗୀ ଋଣ ସହାୟତା ଯୋଗାଇବା ଏବଂ ସରକାରୀ ଆର୍ଥିକ ଯୋଜନାଗୁଡ଼ିକର ଲକ୍ଷ୍ୟ ପୂରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀ ଆର୍ଥିକ ସହାୟତା, କୃଷି ଋଣ ଏବଂ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଋଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ବ୍ୟାଙ୍କ ଓ ଅନୁଷ୍ଠାନଗୁଡ଼ିକୁ ବାର୍ଷିକ ପୁରସ୍କାର ପ୍ରଦାନ କରାଯାଇଥିଲା। ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ପ୍ରଦାନ କ୍ଷେତ୍ରରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଜିଲ୍ଲା ସ୍ତରରେ ଶ୍ରେଷ୍ଠ ବ୍ୟାଙ୍କ ଭାବେ ସମ୍ମାନିତ ହୋଇଥିବାବେଳେ, ଏସବିଆଇ ଏଡିବି ନୂଆପଡ଼ା ଶ୍ରେଷ୍ଠ ଶାଖା ଭାବେ ପୁରସ୍କୃତ ହୋଇଥିଲା। ପିଏମ୍ ସ୍ୱନିଧି ଯୋଜନା ଅଧୀନରେ ୨୩୮ଟି ଋଣ ମଞ୍ଜୁର କରିଥିବାରୁ ଏସବିଆଇକୁ ଏମଏସଏମଇ ବର୍ଗରେ ବିଶେଷ ସଫଳତା ପୁରସ୍କାର ପ୍ରଦାନ କରାଯାଇଥିଲା। କିଷାନ କ୍ରେଡିଟ୍ କାର୍ଡ (କେସିସି) ଋଣ ବାବଦରେ ୧୮୦ କୋଟି ଟଙ୍କା ମଞ୍ଜୁର କରିଥିବାରୁ ବଲାଙ୍ଗିର ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ (ବିସିସିବି) ଲିମିଟେଡକୁ ଜିଲ୍ଲା ସ୍ତରରେ ଶ୍ରେଷ୍ଠ ବ୍ୟାଙ୍କ ଭାବେ ସମ୍ମାନିତ କରାଯାଇଥିଲା। ଏମକେୟୁୱାଇ ଋଣ ମଞ୍ଜୁର କ୍ଷେତ୍ରରେ ଏସବିଆଇ ଜିଲ୍ଲା ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ସହରାଞ୍ଚଳ ଯୋଜନାଗୁଡ଼ିକ ମଧ୍ୟରେ ଏନୟୁଏଲଏମ ଓ ପିଏମ୍ ସ୍ୱନିଧି ଯୋଜନାରେ କ୍ରମାଗତ ସଫଳତା ପାଇଁ ଖରିଆର ରୋଡ଼ ଏନଏସିକୁ ସମ୍ମାନିତ କରାଯାଇଥିଲା। ଏନୟୁଏଲଏମ ଯୋଜନାରେ ନୂଆପଡ଼ା ଏନଏସି ଏବଂ ପିଏମ୍ ସ୍ୱନିଧି ଯୋଜନାରେ ଖରିଆର ଏନଏସି ଜିଲ୍ଲା ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୁରସ୍କୃତ ହୋଇଥିଲେ। ଏହି ଅବସରରେ ଶଶୀଭୂଷଣ ପାଣିଗ୍ରାହୀଙ୍କୁ ‘ବ୍ୟାଙ୍କ ପରମ ମିତ୍ର’ ପୁରସ୍କାର ଏବଂ ଏସବିଆଇର ଆଞ୍ଚଳିକ ପରିଚାଳକଙ୍କୁ ‘ବ୍ୟାଙ୍କର ଅଫ ଦି ଇୟର’ ପୁରସ୍କାର ପ୍ରଦାନ କରାଯାଇଥିଲା। ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଆରବିଆଇ ଭୁବନେଶ୍ୱରର ଏଲଡିଓ ରାଜେଶ କୁଣ୍ଡା, ଏସବିଆଇ ଆରବିଓ ବଲାଙ୍ଗିରର ଆଞ୍ଚଳିକ ପରିଚାଳକ ସାଇକୃଷ୍ଣ ପଟ୍ଟନାୟକ, ନାବାର୍ଡର ଡିଡିଏମ୍ ଏସ୍. ମାଝୀ, ଆରସେଟି ନିର୍ଦ୍ଦେଶକ ଜେ. ସାହୁ, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବ୍ୟାଙ୍କରମାନେ ଉପସ୍ଥିତ ଥିଲେ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0