ମହିଳା ସମାଜସେବୀଙ୍କ ହୃଦଘାତରେ ପରଲୋକ

Nov 26, 2024 - 15:49
 0  29
ମହିଳା ସମାଜସେବୀଙ୍କ ହୃଦଘାତରେ ପରଲୋକ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଦାସିଙ୍ଗବାଡି ଗ୍ରାମର ବସ୍ତିନା ସିଂଙ୍କ ମଙ୍ଗଳବାର ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି। ସେ ହୃଦଘାତରେ ମୃତ୍ୟୁବରଣ କରିଥିବା ତାଙ୍କ ପୁଅ ସଦାନନ୍ଦ କହିଛନ୍ତି। ସେ ରବିବାର ହଠାତ ଅସୁସ୍ଥ ଅନୁଭବ କରିବାରୁ ପ୍ରଥମେ ଦାରିଙ୍ଗବାଡି ପରେ ଅଧିକା ଚିକିତ୍ସା ପାଇଁ ବ୍ରହ୍ମପୁର ଓ ଶେଷରେ ଭୁବନେଶ୍ୱର ନିଆଯାଇଥିଲା ତାଙ୍କ ଛାତିରେ କଫ ଜମିଥିଲା ଓ ପରେ ସେ ଅଧିକା ଅସୁସ୍ଥ ହୋଇ ପଡ଼ିଥିଲେ। ସୂଚନାଯୋଗ୍ୟ ଯେ, ସେ ପ୍ରଥମେ ୯୦ ଦଶକରେ କୁସଂସ୍କାର ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ। ଅଞ୍ଚଳରେ ସଚେତନ ଅଭାବ ଯୋଗୁ ଅନେକ ଘରେ ପୁରୁଷମାନେ ମଦ ପିଇ ମହିଳାଙ୍କୁ ନିର୍ଯାତନା ଦେବା ସହ ପରିବାରର ଆର୍ଥିକ ମାନଦଣ୍ଡ ଭୁଶୁଡି ପଡୁଥିଲା। ସେହିପରି ଘରେ ଥିବା ପିଲାଙ୍କୁ ସ୍କୁଲ ପଠାଉ ନ ଥିଲେ। କମ ବୟସରୁ କିଶୋରୀକିଶୋରଙ୍କୁ ବିବାହ କରାଇ ଦେଉଥିଲେ। ଏସବୁକୁ ବାସ୍ତିନା ଦେଖି ସହି ପାରୁ ନ ଥିଲେ।ସେ ଭୋଗିଥିବା କଷ୍ଟ ଯେମିତି ଆଉ କେହି ନ ଭୋଗନ୍ତୁ, ସେଥିପାଇଁ ସେ ସମାଜ ସେବା ଆରମ୍ଭ କରିବା ସହ କୁସଂସ୍କାର ଦୂର କରିବାକୁ ଅଣ୍ଟା ଭିଡ଼ିଲେ। ସେ ସେତେବେଳେ କହୁଥିଲେ ଯେ, ସେହି ସମୟରେ ସଚେତନର ଅଭାବ ଯୋଗୁ ପରିବାର ଲୋକ ତାଙ୍କୁ ଅତି କମ ୧୬ ବର୍ଷ ବୟସରେ ବିବାହ କରିଦେଇଥିଲେ। ସେ ପରିସ୍ଥିତିରେ ପଡି ଗୃହିଣୀ ଭାବରେ ନିଜର ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିଲେ। ହେଲେ ସେ ଯେଉଁ ଭଳି ନାବାଳିକା ଅବସ୍ଥାରେ ବିବାହ କରିଥିଲେ ଓ ଏଥିପାଇଁ ସେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଆନ୍ଦୋଳନ ଆରମ୍ଭ କରି ପରେ ଅଞ୍ଚଳରେ ମହିଳା ନେତ୍ରୀ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ। ଏବଂ ଦେଶୀ ମଦ ବିକ୍ରିର କେନ୍ଦ୍ରବିନ୍ଦୁ ନିଜ ଗାଁ ଦସିଙ୍ଗବାଡି ଗ୍ରାମର ମହିଳାମାନଙ୍କୁ ସଂଗଠିତ କରିଥିଲେ। ଆନ୍ଦୋଳନ ତୀବ୍ର କରିଥିଲେ। ଏଥିପାଇଁ ତାଙ୍କୁ ନିଜ ସମ୍ପ୍ରଦାୟର ଲୋକଙ୍କ ସହ ବିରୋଧର ସାମ୍ନା କରିବାକୁ ପଡିଥିଲା। ବିରୋଧ ସତ୍ତ୍ୱେ ସେ ଡାସିଙ୍ଗବାଡି ପଞ୍ଚାୟତକୁ ଏକ ମଦମୁକ୍ତ ଗ୍ରାମ ପଞ୍ଚାୟତ କରିବା ପାଇଁ ଆଗକୁ ଅଣ୍ଟା ଭିଡି ସଫଳ ହୋଇଥିଲେ। ୧୯୯୫ରେ ମଦମୁକ୍ତ ଗ୍ରାମ ପଞ୍ଚାୟତ ଭାବରେ ଦାସିଙ୍ଗବାଡିକୁ ଗାନ୍ଧୀ ପୁରସ୍କାର ମିଳିଥିଲା। ଏହି ଆନ୍ଦୋଳନ ପାଇଁ ବସ୍ତିନାଙ୍କୁ ତତ୍କାଳ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ବଡ଼ ସହଯୋଗ ମିଳିଥିଲା। ସେ ଓ ତାଙ୍କ ମହିଳା ଦଳ ବିଜୁବାବୁଙ୍କୁ ଭୁବନେଶ୍ୱର ଯାଇ ଭେଟି ଅଞ୍ଚଳର ମଦ କାରବାର ଓ ବାଲ୍ୟ ବିବାହ ରୋକିବା ପାଇଁ ନିବେଦନ କରିବାରୁ ବସ୍ତିନାଙ୍କ ସହ ଯାଇଥିବା ମୋଟ ୧୨ ଜଣ ମହିଳାଙ୍କୁ ବିଜୁବାବୁ ସ୍ବତନ୍ତ୍ର ପୋଲିସ ପାୱାର ପ୍ରଦାନ କରିଥିଲେ ଓ ୧୨ଟି ବିଜୁ ଠେଙ୍ଗା ଯୋଗାଇଦେଇଥିଲେ। ଯାହା କି ସେହି ସମୟରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ବସ୍ତିନାଙ୍କ ଏହି ସ୍ଥାନକୁ ଆଉ କିଏ ଯିବା ମୁସ୍କିଲ ତାଙ୍କ ବିୟୋଗରେ ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟଙ୍କ ସମେତ ଅଞ୍ଚଳବାସୀ ଦୁଃଖ ପ୍ରକାଶ କରିଛନ୍ତି। ଗୁରୁବାର ବସ୍ତିନାଙ୍କ ଶେଷକୃତ୍ୟ କରାଯିବ ବୋଲି ତାଙ୍କ ପୁଅ ସଦାନନ୍ଦ ସିଂ କହିଛନ୍ତି।

 କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ