ବୁଲେଟ ମୁହାଁମୁହିଁ ଧକ୍କା ଉଭୟ ଗାଡ଼ି ରେ ଲାଗିଲା ନିଆଁ, ଦୁଇ ଭାଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି
କନ୍ଧମାଳ/ଟିକାବାଲି, ତା:04/01:କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଡୁଙ୍ଗି ନିକଟରେ ଆଜି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଏକ ସ୍ୱିଫ୍ଟ ଡିଜାୟର କାର୍ ଓ ବୁଲେଟ୍ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହେବା ଫଳରେ ଘଟଣାସ୍ଥଳରେ ହିଁ ଉଭୟ ଗାଡ଼ିରେ ଭୟଙ୍କର ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ଦୁଇଜଣ ଯୁବକ ଅତି ଗୁରୁତର ଭାବେ ଆହତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି।ସୂଚନା ମୁତାବକ, ଟିକାବାଲି ଥାନା ବେଡାସୁଗା ଗ୍ରାମର ପର୍ଶୁରାମ ନାୟକଙ୍କ ଦୁଇ ପୁଅ ରାଜେଶ ନାୟକ (22) ଏବଂ ସିପୁ ନାୟକ (19) ଆଜି ସକାଳେ ଏକ ବୁଲେଟ୍ (ନଂ OD 12A 3679) ଯୋଗେ ଭଞ୍ଜନଗର ବ୍ଲକ କୁଲାଙ୍ଗୀ ଅଭିମୁଖେ ଔଷଧ ଆଣିବା ପାଇଁ ବାହାରିଥିଲେ। ମାତ୍ର ଡୁଙ୍ଗି ନିକଟରେ ପହଞ୍ଚିବା ବେଳକୁ ବିପରୀତ ଦିଗ ଅର୍ଥାତ୍ କଳିଙ୍ଗା ପଟରୁ ଭଞ୍ଜନଗରରୁ ରାଉରକେଲା ଯାଉଥିବା ଏକ ସ୍ୱିଫ୍ଟ ଡିଜାୟର କାର୍ (ନଂ OD 011C 8373) ସହ ସେମାନଙ୍କର ଶକ୍ତ ଧକ୍କା ହୋଇଥିଲା।ଧକ୍କା ଏତେ ଭୟଙ୍କର ଥିଲା ଯେ, ବୁଲେଟରେ ସବାର ଥିବା ଉଭୟ ରାଜେଶ ଓ ସିପୁ ଗାଡ଼ିରୁ ଛିଞ୍ଚାଡି ହୋଇ ବହୁ ଦୂରକୁ ଛିଟିକି ପଡିଥିଲେ। ଦୁର୍ଘଟଣାର କିଛି ସେକେଣ୍ଡ ମଧ୍ୟରେ ଉଭୟ କାର୍ ଏବଂ ବୁଲେଟ୍ ମଧ୍ୟରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁର ଶିଖା ଏତେ ପ୍ରଖର ହୋଇଥିଲା ଯେ ଦୂରକୁ ଧୂଆଁର କୁଣ୍ଡଳୀ ଦେଖାଯାଉଥିଲା। ତେବେ ସୌଭାଗ୍ୟବଶତଃ କାରରେ ଥିବା ଦମ୍ପତି ନିଆଁ ବ୍ୟାପିବା ପୂର୍ବରୁ ଗାଡ଼ିରୁ ବାହାରକୁ ବାହାରି ଆସିବାରେ ସଫଳ ହୋଇଥିଲେ, ଯାହା ଫଳରେ ସେମାନଙ୍କର କୌଣସି ପ୍ରାଣହାନି ଘଟିନାହିଁ |ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଦୁଇ ଭାଇଙ୍କୁ ଉଦ୍ଧାର କରିବା ସହ ଟିକାବାଲି ପୋଲିସ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ପୋଲିସ ସହାୟତାରେ ଆହତଙ୍କୁ ପ୍ରଥମେ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଉଭୟଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ପ୍ରଥମେ ରାଜେଶଙ୍କୁ ଏବଂ ପରେ ସନ୍ଧ୍ୟାରେ ସିପୁଙ୍କୁ ଭୁବନେଶ୍ୱର ଏମ୍ସ (AIIMS) କୁ ସ୍ଥାନାନ୍ତର କରାଯାଇଛି। ରାଜେଶଙ୍କ ଅବସ୍ଥା ଅଧିକ ଉଦ୍ବେଗଜନକ ଥିବା ଜଣାପଡିଛି।ଏ ସମ୍ପର୍କରେ ଟିକାବାଲି ଥାନା ଅଧିକାରିଣୀ ପ୍ରଜ୍ଞା ରିତାମ୍ବର କର କହିଛନ୍ତି ଯେ, ଦୁର୍ଘଟଣା ବିଷୟରେ ଜାଣିବା ପରେ ପୋଲିସ ତୁରନ୍ତ ସହାୟତା ଯୋଗାଇ ଦେଇଛି। ତେବେ ସନ୍ଧ୍ୟା ପର୍ଯ୍ୟନ୍ତ ପରିବାର ପକ୍ଷରୁ କୌଣସି ଲିଖିତ ଏତଲା ଦିଆଯାଇ ନଥିବାରୁ ଏପର୍ଯ୍ୟନ୍ତ କୌଣସି କେସ୍ ରେଜିଷ୍ଟ୍ରେସନ ହୋଇନାହିଁ। ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦ୍ୱୟକୁ ଜବତ କରି ତଦନ୍ତ ଜାରି ରଖିଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0