ଫୁଲବାଣୀରେ ରଥ ଯାତ୍ରା ଓ ବାହୁଡ଼ାଯାତ୍ରା ପାଇଁ ବୈଠକ

Jun 17, 2025 - 21:18
 0  9
ଫୁଲବାଣୀରେ ରଥ ଯାତ୍ରା ଓ ବାହୁଡ଼ାଯାତ୍ରା ପାଇଁ ବୈଠକ

କନ୍ଧମାଳ, (ଫାଷ୍ଟ ନ୍ୟୁଜ ଓଡିଶା): କନ୍ଧମାଳ ଜିଲ୍ଲା ସଦର ମହକୁମ୍ମା ଫୁଲବାଣୀ ଠାରେ ଚଳିତ ବର୍ଷ ରଥ ଯାତ୍ରା ଓ ବାହୁଡା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଜିଲ୍ଲାପାଳ ଅମ୍ରିତ‍୍ ଋତୁରାଜ‍ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀର ସମ୍ମୀଳନୀ କକ୍ଷରେ ଆୟୋଜିତ ହୋଇଯାଇଛି । ପୂର୍ବ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ରଥ ଯାତ୍ରା ଓ ବାହୁଡା ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ସମସ୍ତ ପ୍ରକାର ସହଯୋଗ ରହିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ବିଶେଷ କରି ରାସ୍ତା ଓ କୋଠାବାଡ଼ି, ପୋଲିସ , ପୌର ପରିଷଦ,ଟାଟା ପାୱାର, ଜନ ସ୍ୱାସ୍ଥ୍ୟ, ଅବକାରୀ,ଉଦ୍ୟାନ କୃଷି, ସଂସ୍କୃତି ଆଦି ବିଭାଗ ତରଫରୁ ମିଳୁଥିବା ସହଯୋଗ ଉପରେ ଜିଲ୍ଲାପାଳ ଆଲୋଚନା କରିଥିଲେ । ଯେହେତୁ ମାଉସି ମା' ମନ୍ଦିର ଟିକେ ଦୂରରେ ଅଛି, ଯଦି ସନ୍ଧ୍ୟା ସୁଦ୍ଧା ରଥ ମନ୍ଦିରକୁ ନ ପହଞ୍ଚେ, ତେବେ ରଥ ଟଣା କାର୍ଯ୍ୟକ୍ରମ ସନ୍ଧ୍ୟା ପରେ ନକରି ରଥ ଯେଉଁ ସ୍ଥାନକୁ ପହଞ୍ଚିଛି ସେ ସ୍ଥାନରେ ରହି ତା ପରଦିନ ରଥ ଟଣା କାର୍ଯ୍ୟକ୍ରମକୁ ଚାଲୁକରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ପ୍ରାରମ୍ଭରେ, ବୈଠକର ଆବାହକ ତଥା ଫୁଲବାଣୀ ଉପ-ଜିଲ୍ଲାପାଳ ଭିକାରୀ ସାହୁ ସମସ୍ତଙ୍କୁ ସ୍ବାଗତ କରିଥିଲେ ।ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ହରିଚନ୍ଦ୍ର ମହାରଣା ଙ୍କ ଆଲୋଚନାରୁ, ପ୍ରକାଶ ଯେ ତା ୨୬.୦୬.୨୦୨୫ ପ୍ରାତଃ ଘ. ୭.୦୦ମି.ରେ ନେତ୍ରୋତ୍ସବ ପୂଜା ଆରମ୍ଭ, ଦିବା ଘ. ୧୦.୩୦ ମି.ରେ ନବଯୌବନ ଦର୍ଶନ, ଦିବା ଘ. ୧୧.୦୦ ମି. ରେ ରଥ ପ୍ରତିଷ୍ଠା, ତା. ୨୭.୦୬.୨୦୨୫ ରିଖ ପ୍ରାତଃ ଘ.୪.୩୦ ମି. ଠାରୁ ଦିବା ଘ.୧୨.୩୦ ମି. ପର୍ଯ୍ୟନ୍ତ ମଙ୍ଗଳ ଆଳତୀ, ରୋଷଘର ହୋମ, ମଇଲମ ତଡ଼ପଲାଗି, ସୂର୍ଯ୍ୟ ପୂଜା, ଦ୍ଵାରପାଳଙ୍କ ପୂଜା, ଅବକାଶ,ରାଜଙ୍କୁ ନିମନ୍ତ୍ରଣ, ପୂଜା ଓ ମଙ୍ଗଳାର୍ପଣ, ପହଣ୍ଡି ଆରମ୍ଭ,ଛେରା ପହଁରା, ପ୍ରସାଦ ସେବନ ଇତ୍ୟାଦି ସମସ୍ତ ପୂଜାବିଧି ପରେ ଦିବା ଘ.୧.୩୦ମି. ସମୟରେ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ । ସେହିପରି ଭାବରେ ତା.୦୫.୦୭.୨୦୨୫ ରିଖ ପ୍ରାତଃ ଘ.୪.୩୦ ମି. ଠାରୁ ଦିବା ଘ.୧୨.୩୦ ମି. ପର୍ଯ୍ୟନ୍ତ ମଙ୍ଗଳ ଆରତୀ, ମଇଲମ ଓ ତଡ଼ପଲାଗି, ଅବକାଶ, ସ୍ନାନ ଓ ବେଶ, ସୂର୍ଯ୍ୟ ପୂଜା, ଦ୍ଵାରପାଳଙ୍କ ପୂଜା, ରାଜଙ୍କୁ ନିମନ୍ତ୍ରଣ, ରଥ ଶୁଦ୍ଧିକରଣ, ମଙ୍ଗଳାର୍ପଣ, ଠାକୁରଙ୍କ ପହଣ୍ଡି ଆରମ୍ଭ,ଛେରା ପହଁରା ଓ ଆଳତୀ , ପ୍ରସାଦ ସେବନ ଇତ୍ୟାଦି କାର୍ଯ୍ୟ ପରେ ଦିବା ଘ.୧.୩୦ମି. ସମୟରେ ବାହୁଡ଼ା ଯାତ୍ରା ପାଇଁ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ । ତା.୦୬.୦୭.୨୦୨୫ ରିଖ ରବିବାର ସୁନାବେଶ, ସୋମବାର ରାତ୍ରି ଘ.୭.୩୦ ମି. ଗତେ ଠାକୁରଙ୍କର ଅଧରପଣା ଭୋଗ, ତା.୦୮.୦୭.୨୦୨୫ ରିଖ ମଙ୍ଗଳବାର ସନ୍ଧ୍ୟା ଘ.୭.୩୦ ମି. ଗତେ ଶ୍ରୀ ଜୀଉଙ୍କର ନୀଳାଦ୍ରୀ ବିଜେ ଉତ୍ସବ ହେବ ବୋଲି ସୂଚନା ଦେଇଥିଲେ । ବୈଠକରେ ବନ ବିଭାଗ, ପୋଲିସ ବିଭାଗ ଏବଂ ଅନ୍ୟ ବିଭାଗ ସହ ମନ୍ଦିର ପରିଚାଳନା କମିଟି ଏବଂ ମାଉସୀ ମା’ ମନ୍ଦିର ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତମାନେ ଯୋଗ ଦେଇଥିଲେ ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ