ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନା ପାଇଁ ସମୀକ୍ଷା ବୈଠକ ଏବଂ ସମ୍ବାଦିକ ସମ୍ମିଳନୀ

ନୂଆପଡା : ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନାରେ ଜିଲ୍ଲାର ସମସ୍ତ ଯୋଗ୍ୟ ଆଦିମ ଜନଜାତି, ଆଦିବାସୀ ମାନଙ୍କୁ ସାମିଲ କରି ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ସାଧନ ଲକ୍ଷ୍ୟରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଏବଂ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସଭାକୁ ସମ୍ବୋଧନ କରି ଜିଲ୍ଲାପାଳଙ୍କ କହିବାନୁଯାୟୀ, ଅନୁସୂଚିତ ଜନଜାତି ଅଧ୍ଯୁଷିତ ଅଂଚଳର ଅନୁସୂଚିତ ଜନଜାତି ବହୁଳ ଗ୍ରାମ ଗୁଡିକରେ ସରକାରଙ୍କ ଦ୍ବାରା ପ୍ରଣିତ ବିଭିନ୍ନ ଯୋଜନା ଗୁଡିକର ପରିପୂର୍ଣ୍ଣତା ଦ୍ବାରା ସମ୍ପ୍ରଦାୟର ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଯୋଜନା ଆରମ୍ଭ ହୋଇଛି । ୧୭ ଗୋଟି ବିଭାଗ ଦ୍ବାରା ପ୍ରାୟୋଜିତ ୨୫ ଟି କାର୍ଯ୍ୟକ୍ରମ ଦ୍ବାରା ଉକ୍ତ ଗ୍ରାମ ଗୁଡିକରେ ସରକାରଙ୍କ ଦ୍ବାରା ଉପଲବ୍ଧ ସୁବିଧା ଗୁଡିକର ପରିପୂର୍ଣ୍ଣତା ଦିଗରେ ସମଯୋଜିତ ଭାବରେ ପଦକ୍ଷେପ ନିଆଯିବ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ପକ୍କାଘର, ଗମନାଗମନ ସୁବିଧା, ଆତ୍ମନିଯୁକ୍ତି ଯୋଜନା, ତାଲିମ, ଶିକ୍ଷା, ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ପାଇଁ ବିଶେଷ ଭାବରେ ଧ୍ୟାନ ଦିଆଯିବ । ନୂଆପଡା ଜିଲ୍ଲାର ୨୬୦ ଟି ଗ୍ରାମକୁ ଏହି ଅଭିଯାନରେ ସାମିଲ କରାଯାଇଛି । ନୂଆପଡା ବ୍ଲକର ୩୪, କୋମନା ର ୧୨୪, ଖରିଆର ର ୧୮, ବୋଡେନର ୭୦, ସିନାପାଲି ର ୧୪ ଏହିଭଳି ୨୬୦ ଟି ଗ୍ରାମର ଆଦିମ ଅଧିବାସୀ ମାନେ ଏତଦ୍ବାରା ଉପକୃତ ହେବେ । ଏହି ମହତ ଉଦ୍ଦେଶ୍ୟ କୁ ଏକ ମିଶନ ହିସାବରେ ନେଇ ଶତ ପ୍ରତିଶତ ସଫଳ କରିବା ପାଇଁ ଜିଲ୍ଲାପାଳ ସମସ୍ତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ଜିଲ୍ଲା ମଙ୍ଗଳ ଅଧିକାରୀ ଦିପ୍ତିମନୁ ଭୋଇଙ୍କ ଦ୍ଵାରା ଆହୁତ ଆଜିକାର ବୈଠକରେ ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଧର ଧରୁଆ, ଡ଼ିଏଫଓ, ଡିଆଇପିଆରଓ, ଶିକ୍ଷା, ସ୍ବାସ୍ଥ୍ୟ, ଯୋଗାଣ, କୃଷି, ମତ୍ସ୍ୟ, ସମାଜ କଲ୍ୟାଣ ଏବଂ ସମ୍ପୃକ୍ତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବିଡ଼ିଓ, ସମସ୍ତ ବ୍ଲକ ମଙ୍ଗଳ ଅଧିକାରୀ ମାନେ ଯୋଗ ଦେଇଥିଲେ । ସଭା ଶେଷରେ ଜିଲ୍ଲାପାଳ ଏହି ସବୁ ବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ
What's Your Reaction?






