ଦାଦନ ଶ୍ରମିକଙ୍କ ସୁରକ୍ଷା ପାଇଁ ଚେତିଲା କନ୍ଧମାଳ ପ୍ରଶାସନ:କେରଳ ମୁହାଁ ଶ୍ରମିକ ବସ୍‌ରେ ଯାଞ୍ଚ, ବିନା ପଞ୍ଜିକରଣରେ ଯାଇ ପାରିବେନି ଶ୍ରମିକ

Aug 21, 2026 - 19:57
 0  18
ଦାଦନ ଶ୍ରମିକଙ୍କ ସୁରକ୍ଷା ପାଇଁ ଚେତିଲା କନ୍ଧମାଳ ପ୍ରଶାସନ:କେରଳ ମୁହାଁ ଶ୍ରମିକ ବସ୍‌ରେ ଯାଞ୍ଚ, ବିନା ପଞ୍ଜିକରଣରେ ଯାଇ ପାରିବେନି ଶ୍ରମିକ

ବାଲିଗୁଡ଼ା ୨୧/୦୮/୦୨୬:(ସଲମନ୍ ବିନ୍ଧାଣୀ)କନ୍ଧମାଳ ଜିଲ୍ଲାରେ ଦାଦନ ଶ୍ରମିକଙ୍କ ସୁରକ୍ଷା ଓ ସଚେତନତାକୁ ନେଇ ପ୍ରଶାସନ ପକ୍ଷରୁ ଯାଞ୍ଚ ଓ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲା ଶ୍ରମ ବିଭାଗର ଭାରପ୍ରାପ୍ତ ଅଧିକାରୀ ବିଶ୍ୱରଞ୍ଜନ କହଁରଙ୍କ ନେତୃତ୍ୱରେ, ସହ ଶ୍ରମ ଅଧିକାରୀ, ଘୁ.ଉଦୟଗିରି, ଟିକାବାଲି ଓ ରାଇକିଆ ଥାନା ପୋଲିସ, ଶିଶୁ ମଙ୍ଗଳ ଅଧିକାରୀ, ଆରଟିଓ ଫୁଲବାଣୀ ଏବଂ ବିଭିନ୍ନ ଶ୍ରମିକ ସଂଗଠନର ସହଯୋଗରେ କେରଳ ଅଭିମୁଖେ ଯାଉଥିବା ଦାଦନ ଶ୍ରମିକ ବସ୍‌ଗୁଡ଼ିକୁ ଯାଞ୍ଚ କରାଯାଇଛି। ଯାଞ୍ଚ ସମୟରେ ବସ୍‌ର ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରାଯିବା ସହ ବସ୍‌ରେ ଯାତ୍ରା କରୁଥିବା ଶ୍ରମିକମାନଙ୍କ ସମ୍ପର୍କିତ ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରାଯାଇଥିଲା। ଶ୍ରମିକମାନଙ୍କୁ ଶ୍ରମିକ କାର୍ଡ କରିବା ସହ ନିଜର ପରିଚୟପତ୍ର ଓ ଅନ୍ୟାନ୍ୟ ଆବଶ୍ୟକୀୟ ଦସ୍ତାବିଜ ସାଙ୍ଗରେ ରଖିବାକୁ ପରାମର୍ଶ ଦିଆଯାଇଥିଲା। ଏଥିସହ ଦାଦନ ଶ୍ରମିକଙ୍କ ଅଧିକାର, ସୁରକ୍ଷା ଓ ସରକାରୀ ସୁବିଧା ସମ୍ପର୍କରେ ଲିଫ୍‌ଲେଟ୍‌ ବଣ୍ଟନ କରାଯାଇ ଶ୍ରମିକମାନଙ୍କୁ ସଚେତନ କରାଯାଇଥିଲା। କନ୍ଧମାଳ ଜିଲ୍ଲାରେ ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟାପ୍ତ ରୋଜଗାର ସୁଯୋଗର ଅଭାବ ଯୋଗୁଁ ଅନେକ ଶ୍ରମିକ ପରିବାର ପରିପୋଷଣ ପାଇଁ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଭାବେ ଯାଉଛନ୍ତି। ତେବେ ଗତ ତିନି ସପ୍ତାହ ମଧ୍ୟରେ କନ୍ଧମାଳ ଜିଲ୍ଲାର ୮ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିବା ଘଟଣା ଜିଲ୍ଲାବାସୀଙ୍କ ମଧ୍ୟରେ ଗଭୀର ଚିନ୍ତା ଓ ଉଦ୍‌ବେଗ ସୃଷ୍ଟି କରିଛି। କେତେକ ମୃତ ଶ୍ରମିକଙ୍କ ମରଶରୀର ଜନ୍ମମାଟିକୁ ଫେରିଥିବା ବେଳେ ଆର୍ଥିକ ଅସୁବିଧା ଯୋଗୁଁ ଅନ୍ୟ କେତେକଙ୍କ ଶେଷକୃତ୍ୟ କର୍ମସ୍ଥଳୀରେ ହିଁ କରାଯାଇଥିବା ଜଣାପଡ଼ିଛି। ଏଭଳି ଦୁଃଖଦ ପରିସ୍ଥିତି ମଧ୍ୟରେ କନ୍ଧମାଳରେ ଦାଦନ ସମସ୍ୟାର ମୂଳ କାରଣ ଚିହ୍ନଟ କରି ସ୍ଥାୟୀ ସମାଧାନ ଏବଂ ଦାଦନ ଶ୍ରମିକଙ୍କ ସୁରକ୍ଷା ପାଇଁ ସୋସିଆଲ ୱର୍କର୍ସ ଆସୋସିଏସନ୍‌ ଅଫ୍‌ କନ୍ଧମାଳ (ସ୍ଵାକ୍) ପକ୍ଷରୁ ‘ଦାଦନ ମୁକ୍ତ କନ୍ଧମାଳ’ ଗଠନ ନିମନ୍ତେ ଅଭିଯାନ ଆରମ୍ଭ କରାଯାଇଛି। ଏନେଇ ଅଗଷ୍ଟ ୧ ତାରିଖରେ ଜିଲ୍ଲାସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରଶାସନ ପକ୍ଷରୁ ବସ୍‌ ଯାଞ୍ଚ, ଶ୍ରମିକଙ୍କ ତଥ୍ୟ ସଂଗ୍ରହ ଓ ସଚେତନତା ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ତେବେ ଦାଦନ ଶ୍ରମିକଙ୍କ ସୁରକ୍ଷିତ ଯାତ୍ରା, ଶ୍ରମିକ ପଞ୍ଜୀକରଣ, ଶ୍ରମିକ କାର୍ଡ ପ୍ରଦାନ ଏବଂ ବାହାର ରାଜ୍ୟରେ ସେମାନଙ୍କ ଅଧିକାର ଓ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏଭଳି ଅଭିଯାନକୁ ଆହୁରି ବ୍ୟାପକ କରିବାକୁ ଦାବି ହୋଇଛି। ଦାଦନ ସମସ୍ୟା ରୋକିବା ପାଇଁ କେବଳ ବସ୍‌ ଯାଞ୍ଚ କିମ୍ବା ସଚେତନତା ଯଥେଷ୍ଟ ନୁହେଁ। ସ୍ଥାନୀୟ ସ୍ତରରେ ପର୍ଯ୍ୟାପ୍ତ ରୋଜଗାର ସୃଷ୍ଟି, ଶ୍ରମିକଙ୍କ ପଞ୍ଜୀକରଣ, ଶ୍ରମିକ କାର୍ଡ ପ୍ରଦାନ ଏବଂ ବାହାର ରାଜ୍ୟରେ ସେମାନଙ୍କ ସୁରକ୍ଷାକୁ ପ୍ରଶାସନର ପ୍ରାଥମିକତା ଦେବା ଆବଶ୍ୟକ ବୋଲି ଅଞ୍ଚଳବାସୀ ଓ ସ୍ଵାକ୍ ପକ୍ଷରୁ ଦାବି କରାଯାଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ