ତାଲମୁଣ୍ଡା ଡକାୟତି ମାମଲା ପର୍ଦ୍ଦାଫାଶ, ୯ ଗିରଫ

Mar 7, 2026 - 19:38
 0  100
ତାଲମୁଣ୍ଡା ଡକାୟତି ମାମଲା  ପର୍ଦ୍ଦାଫାଶ, ୯ ଗିରଫ

ଝାରସୁଗୁଡା,୭।୩(ଫାଷ୍ଟ ନ୍ୟୁଜ ଓଡିଶା)ଝାରସୁଗୁଡ଼ା ପୋଲିସ ‘ଅପରେସନ ନେତ୍ର’ ମାଧ୍ୟମରେ ଏକ ବଡ଼ ସଫଳତା ହାସଲ କରିଛି। ଲାଇକେରା ଥାନା ଅଧୀନ ତାଲମୁଣ୍ଡା ଗ୍ରାମରେ ଘଟିଥିବା ଡକାୟତି ଘଟଣାର ପର୍ଦ୍ଦାଫାଶ କରି ପୋଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ବହୁ ପରିମାଣର ସୁନା-ରୁପା ଅଳଙ୍କାର, ନଗଦ ଟଙ୍କା ଓ ଏକ ବୋଲେରୋ ଗାଡ଼ି ଜବତ ହୋଇଛି। ଗତ ୩ ତାରିଖ ବିଳମ୍ବିତ ରାତିରେ ତାଲମୁଣ୍ଡା ଅଞ୍ଚଳରେ ଏହି ଡକାୟତି ଘଟିଥିଲା। ଘଟଣାକୁ ଗୁରୁତ୍ୱ ସହ ନେଇ ଝାରସୁଗୁଡ଼ା ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍ ଓ ସାଇବର ସେଲର ସହାୟତାରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ପୋଲିସ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି।ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଅଞ୍ଚଳର ଦୀପକ ଖଡ଼ିଆ (୨୫), ଅଶୋକ ଖଡ଼ିଆ (୨୦), ଆକାଶ ସାହୁ (୨୪), ଅଜୟ ମୁଣ୍ଡା (୧୯), ଧନଞ୍ଜୟ ଖଡ଼ିଆ (୪୭), ବାବଲୁ ବରାଭୟା (୨୨) ଓ ରେଙ୍ଗାଲି-ଲାଇକେରା ଅଞ୍ଚଳର ଭୋଳା ନାୟକ (୨୫), ବିଶାଳ ଓରାମ (୨୭) ଓ ବିଶ୍ୱଜିତ ପସାୟତ (୨୭)।ଅଭିଯୁକ୍ତଙ୍କ ନିକଟରୁ ଏକାଧିକ ସୁନା ଚେନ୍, ମଙ୍ଗଳସୂତ୍ର, ମୁଦି, ଚୁଡ଼ି ସହ ରୁପା ଅଳଙ୍କାର ଜବତ ହୋଇଛି। ଏହା ସହିତ ୧,୪୩,୮୦୩ ଟଙ୍କା ନଗଦ, ୮ଟି ମୋବାଇଲ୍ ଫୋନ୍, ୧୯୧୬ ମସିହାର ଏକ ପୁରାତନ ରୁପା ମୁଦ୍ରା, ଛୁରୀ, ବେସବଲ୍ ବ୍ୟାଟ୍ ଓ ଲୁଟ୍ କାର୍ଯ୍ୟରେ ବ୍ୟବହୃତ ବୋଲେରୋ (OR-15-S-3543) ମଧ୍ୟ ପୋଲିସ ଜବତ କରିଛି। ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, “ଅପରେସନ ନେତ୍ର” ମାଧ୍ୟମରେ ଅପରାଧୀଙ୍କ ଉପରେ କଡ଼ା ନଜର ରଖାଯାଉଛି ଓ ଅଞ୍ଚଳରେ ଆଇନ-ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ସଦା ତତ୍ପର ଅଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ମାମଲାରେ ଅନ୍ୟ କାହାର ସଂପୃକ୍ତି ଅଛି କି ନାହିଁ ସେ ନେଇ ଅଧିକ ତଦନ୍ତ ଚାଲିଛି।

ଝାରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ, ଫାଷ୍ଟ ନ୍ୟୁଜ ଓଡିଶା।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ