ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ

Nov 16, 2025 - 19:39
 0  3
ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ

ମାଲକାନଗିରି, ୧୬/୧୧/୨୫: ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି।ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଓ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ମଞ୍ଚାସୀନ ଥିଲେ।ଜାତୀୟ ପ୍ରେସ ଦିବସ ଦିନଟି ଗଣମାଧ୍ୟମର ସ୍ବାଧୀନତା ଏବଂ ସମାଜ ପ୍ରତି ଦାୟିତ୍ୱର ପ୍ରତୀକ ଅଟେ। ଏହି ଦିନ ହିଁ ପ୍ରେସ କାଉନସିଲ ଅଫ୍‌ ଇଣ୍ଡିଆ କାର୍ଯ୍ୟ ଆରମ୍ଭ କରିଥିଲା।ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ । ସାମ୍ବାଦିକମାନେ ସମାଜର ଜାଗ୍ରତ ପ୍ରହରୀ । ଯଦି ଏହି ପ୍ରହରୀ ନିଜ କର୍ତ୍ତବ୍ୟରେ ହେଳା କରନ୍ତି ତେବେ ସମାଜ ଆଗକୁ ପଢିପାରିବ ନାହିଁ ।ଦେଶର ସ୍ବାଧୀନତା ସଂଗ୍ରାମ ଠାରୁ ଆରମ୍ଭ କରି ସ୍ବାଧୀନୋତ୍ତର ଭାରତ ବର୍ଷର ନବ ନିର୍ମାଣ କ୍ଷେତ୍ରରେ ଭାରତୀୟ ଗଣମାଧ୍ୟମର ଭୂମିକା ଅତୁଳନୀୟ । ଦେଶ ନିର୍ମାଣ ସହିତ ଦେଶର ପ୍ରଗତି ପଥରେ ଗଣମାଧ୍ୟମର ଅବଦାନ ଯୋଗୁଁ ଆଜି ଗଣମାଧ୍ୟମ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛି ବୋଲି ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।ଏକ ସୁସ୍ଥ ଗଣତନ୍ତ୍ର ରାଷ୍ଟ୍ର ପାଇଁ ସ୍ୱଚ୍ଛ ତଥ୍ୟ ଭିତ୍ତିକ ସମ୍ବାଦ ପରିବେଷଣ କରିବା ସମସ୍ତଙ୍କର ଗୁରୁ ଦାୟିତ୍ଵ ହେବା ଦରକାର । ସେହିପରି ଆଜିର ସମୟରେ ସୋସିଆଲ ମିଡିଆ ଦ୍ବାରା ସାମ୍ବାଦିକତା ବୃତ୍ତିରେ ଅନେକ ପ୍ରଭାବ ପଡିଛି ବୋଲି ଗଣମାଧ୍ୟମ ପ୍ରତିନିଧି ମାନେ ମତବ୍ୟକ୍ତ କରିଥିଲେ। ନିରପେକ୍ଷ ଓ ସତ୍ୟ ଭିତ୍ତିକ ସମ୍ବାଦ ଦ୍ବାରା ଲୋକଙ୍କ ନିକଟତର ହୋଇପାରିବା ବୋଲି ମଧ୍ଯ ସମସ୍ତେ କହିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ସ୍ବାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଜାତୀୟ ପ୍ରେସ ଦିବସ ଉପଲକ୍ଷେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ସ୍ତରୀୟ ଆୟୋଜିତ ବକ୍ତୃତା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ଆୟୋଜନ କରିବାରେ ହରେକୃଷ୍ଣ କିର୍ତ୍ତନିଆ ଓ ରଞ୍ଜନ ମହାନ୍ତି ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ