ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

Mar 8, 2025 - 20:18
 0  30
ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ  ମହିଳା ଦିବସ ପାଳିତ

ନୂଆପଡା : ନୂଆପଡାରେ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ତଥା ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ ସମାରୋହ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୁଲ୍ୟରେ ପାଳିତ ହୋଇଯାଉଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ , ସମ୍ମାନିତ ଅତିଥି ରୂପେ ନୂଆପଡା ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, କୋମନା ବ୍ଲକ୍ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ଏନ ଏ ସି ଖରୀଆର ରୋଡ ଅଧ୍ୟକ୍ଷା ଡଃ ସୋନିଆ ଜୈନ୍, ସାଂସଦଙ୍କ ପ୍ରତିନିଧି ସରୋଜ ଦେବୀ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥାନୀୟ ପୋଲିସ୍ ପଡିଆରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲାର କୋଣ ଅନୁକୋଣରୁ ସହସ୍ରାଧିକ ମହିଳା, ସ୍ବୟଂ ସହାୟକ ଗୋଷ୍ଠୀ କର୍ମକର୍ତ୍ତା, ଆଶା, ଅଙ୍ଗନବାଡ଼ି କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ସଭାକୁ ସମ୍ବୋଧନ କରି ଅତିଥି ମାନେ ଦିବସର ମହତ୍ତ୍ଵ ସମ୍ଵନ୍ଧରେ ଅବଗତ କରାଇବା ସହିତ ସାଂପ୍ରତିକ ସମାଜରେ ନାରୀ ମାନଙ୍କ ସଫଳତାର କାହାଣୀ କହିଥିଲେ। ବ୍ରହ୍ମପୁରରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା 1କୋଟି ରୁ ଅଧିକ ମହିଳା ହିତାଧୀକାରୀ ମାନଙ୍କୁ ବ୍ୟାଙ୍କ୍ ଆକାଉଣ୍ଟ୍ ଜରିଆରେ ସୁଭଦ୍ରା ଯୋଜନାର ୨ୟ କିସ୍ତି ପ୍ରଦାନର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଏଠାରେ ବଡ଼ ପରଦାରେ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ମହିଳା ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ମହିଳା ଓ ଶିଶୁ ବିକାଶ କ୍ଷେତ୍ରରେ ଉଲ୍ଲଖନୀୟ ଅବଦାନ ଦେଇଥିବା ସି ଡି ପି ଓ କୋମନା ବିମଳିନୀ ପ୍ରଧାନ, ଅଙ୍ଗନୱାଡି ସୁପରଭାଇଜର ବୈଜୟନ୍ତୀ ମହାନ୍ତୀ, ସନ୍ଧ୍ୟାରାଣୀ ଶତପଥୀ, ମୀନା କୁମାରୀ ବାରିକ, ତୁଳସୀ ଲତା ରାଉତ, କଳ୍ପନା ରାଉତ, ଏ ଏନ୍ ଏମ୍ ଚାନ୍ଦିନୀ ଛତ୍ରିଆ, ଆଶା କର୍ମୀ ତିଳକାନ୍ତି ନାଏକ, ରାଜ୍ୟ ସ୍ତରୀୟ ବ୍ୟାଡମିଣ୍ଟନ ଖେଳାଳି ମୁସ୍କାନ ପଣ୍ଡା, ପୁଚି ଖେଳାଳୀ ସଂତୋଷିନି ମାଝୀ, ବିଭିନ୍ନ ଅଙ୍ଗନବାଡ଼ି କର୍ମୀ,ଅଙ୍ଗନବାଡ଼ି ସହାୟିକା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା। କାର୍ଯ୍ୟକ୍ରମକୁ ସାମ୍ବାଦିକ ସିମାଞ୍ଚଳ ମହାପାତ୍ର ସଂଯୋଜନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରୀ ମାନଙ୍କ ଦ୍ଵାରା ଫେଶନ୍ ଶୋ ଓ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସମାରୋହରେ ସହସ୍ରାଧିକ ମହିଳାଙ୍କ ସହିତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ