।। କନ୍ଧମାଳର ହତ୍ୟା ମାମଲା: ତିନି ଭାଇଙ୍କ ଆଜୀବନ କାରାଦଣ୍ଡ ହାଇକୋର୍ଟରେ କାଏମ ।।

Nov 2, 2023 - 19:41
 0  11
।। କନ୍ଧମାଳର ହତ୍ୟା ମାମଲା: ତିନି ଭାଇଙ୍କ ଆଜୀବନ କାରାଦଣ୍ଡ ହାଇକୋର୍ଟରେ କାଏମ ।।

କନ୍ଧମାଳ:(କୋରାପୁଟ ପ୍ରଥମ ଖବର) :କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅଞ୍ଚଳରେ ଗତ ୨୦୧୫ ମସିହାରେ ହୋଇଥିବା ହତ୍ୟା ମାମଲାରେ ତିନି ଭାଇଙ୍କୁ ଆଜୀବନ କାରାଦଣ୍ଡ ସପକ୍ଷରେ ଗୁରୁବାର ହାଇକୋର୍ଟ ରାୟ ଶୁଣାଣୀ କରିଛନ୍ତି । ଏହି ମାମଲାର ବିଚାର କରି ଫୁଲବାଣୀ ଅତିରିକ୍ତ ଦୌରା ଅଦାଲତ ତିନି ଭାଇ ମାଧବ ଦିଗଲ, ବିପିନ ଦିଗଲ ଓ କିଶୋର ଓରଫ ନରେନ୍ଦ୍ର ଦିଗଲଙ୍କୁ ଆଇପିସିର ଦଫା ୩୦୨, ୩୦୭, ୩୨୬, ୩୪ରେ ଦୋଷୀ ସାବ୍ୟସ୍ତ କରି ୨୦୧୬, ନଭେମ୍ବର ୭ରେ ଆଜୀବନ କାରାଦଣ୍ଡ ପ୍ରଦାନ କରିଥିଲେ। ନିମ୍ନ ଅଦାଲତଙ୍କ ଦଣ୍ଡାଦେଶ ବିରୋଧରେ ତିନି ଭାଇ ହାଇକୋର୍ଟରେ ଅପିଲ ଦାୟର କରିଥିଲେ। ଜଷ୍ଟିସ ବି.ପି.ରାଉତରାୟ ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାଧବ, ବିପିନ ଓ କିଶୋରଙ୍କ ଅପିଲ ଖାରଜ କରିବା ସହିତ ନିମ୍ନ ଅଦାଲତଙ୍କ ଆଜୀବନ କାରାଦଣ୍ଡ ରାୟକୁ କାଏମ ରଖିଛନ୍ତି। ୨୦୧୫ ମସିହା ସେପ୍ଟେମ୍ବର ମାସ ୧୦ ତାରିଖ ସଂଧ୍ୟାରେ ଶୁକ୍ରୁ ଦିଗାଲ ନାମକ ଜଣେ ବ୍ୟକ୍ତିଙ୍କୁ ତିନି ଆବେଦନକାରୀ ଟାଙ୍ଗିଆ ଧରି ଆକ୍ରମଣ କରିବାକୁ ଗୋଡାଇ ଥିଲେ। ଶୁକ୍ରୁ ବାଟରେ ଥିବା ନିଜ ଦାଦାଙ୍କ ଏକ ତେଲ ମିଲ୍ ପରିସରକୁ ପଶି ଯାଇଥିଲେ। ଶୁକ୍ରୁଙ୍କୁ ଦାଦା ସୁନର୍ଯ୍ୟ ଦିଗଲ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ସେ ଆକ୍ରମଣକାରୀଙ୍କୁ ପ୍ରତିରୋଧ କରିଥିଲେ। ହେଲେ ସେମାନେ ଟାଙ୍ଗିଆରେ ଆକ୍ରମଣ କରିବାରୁ ସୁନର୍ଯ୍ୟ ତଳେ ପଡିଯାଇଥିଲେ। ପରେ ତିନି ଭାଇ ମିଶି ଶୁକ୍ରୁଙ୍କୁ ନୃଶଂସ ଭାବେ ହାଣି ହତ୍ୟା କରିଥିଲେ। ଘଟଣା ପରେ ଆହତ ସୁନର୍ଯ୍ୟଙ୍କୁ ଘରକୁ ନିଆଯାଇଥିଲା ବେଳେ ଶୁକ୍ରୁଙ୍କ ଶବକୁ ଗାଁ ମଣ୍ଡପରେ ରଖାଯାଇଥିଲା। ତେବେ ଆକ୍ରମଣ କାରୀ ତିନି ଭାଇ ପୁଣି କିଛି ସମୟ ପରେ ଫେରି ମୃତ ଶୁକ୍ରୁର ରକ୍ତକୁ ସେମାନଙ୍କ ମୁଣ୍ଡରେ ବୋଳି ଖୁସି ମନାଇ ଥିଲେ। ଶୁକ୍ରୁଙ୍କ ପତ୍ନୀଙ୍କ ଏତଲା ଆଧାରରେ ଫୁଲବାଣୀ ସଦର ଥାନା ପୁଲିସ ଏକ ମାମଲା ରୁଜୁ କରି ତିନି ଭାଇଙ୍କୁ ଗିରଫ କରିଥିଲା। ନିମ୍ନ ଅଦାଲତରେ ମାମଲା ବିଚାରାଧୀନ ଥିବା ବେଳେ ୨୦୧୬, ଜୁନ ୨୬ରେ ଆହତ ସୁନର୍ଯ୍ୟଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ନିମ୍ନ ଅଦାଲତ ତିନି ଭାଇଙ୍କୁ ଆଜୀବନ ଜେଲ ସହିତ ୫ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଥିଲେ। ଯାହାକି, ଏହି ରାୟ ହିଁ ହାଇକୋର୍ଟରେ କାଏମ ରହିଥିଲା l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ