ମାନବିକତା ହରାଇଲେ କପ୍ତିପଦା ଥାନାର ପୂର୍ବତନ ଆଇଆଇସି ପ୍ରକାଶ ରଥ କ୍ୟାନସର ପୀଡିତ ବାଦାମ ବେପାରୀଙ୍କ ଗାଡି ଛାଡିବାକୁ ନେଲେ ୧୫ ହଜାର

Apr 20, 2025 - 20:58
 0  10
ମାନବିକତା ହରାଇଲେ କପ୍ତିପଦା ଥାନାର ପୂର୍ବତନ ଆଇଆଇସି ପ୍ରକାଶ ରଥ କ୍ୟାନସର ପୀଡିତ ବାଦାମ ବେପାରୀଙ୍କ ଗାଡି ଛାଡିବାକୁ ନେଲେ ୧୫ ହଜାର

ଉଦଳା /କପ୍ତିପଦା ୧୯/୦୪ ( ଇମିସ ) - ମାନବିକତା ହରାଇଲେ ପୋଲିସ୍ ବାବୁ । ଜଣେ କ୍ୟାନସର ପୀଡିତ ବେପାରୀଙ୍କ ନିକଟରୁ ଗାଡି ଛାଡିବା ପାଇଁ ନେଲେ ୧୫ ହଜାର ଟଙ୍କା । ଆଉ ଗାଡି ଛାଡିଲେ ହେଲେ ବାଦାମ ବସ୍ତାକୁ ଜବତ କରି ଗୋପନୀୟ ଭାବେ ରଖି ନଷ୍ଟ କରିଦେଲେ ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା । ଯାହାକୁ ନେଇ ଏବେ ପୁଣି ବିବାଦ ଘେରକୁ ଆସିଛନ୍ତି କପ୍ତିପଦା ଥାନାର ପୂର୍ବତନ ଆଇଆଇସି ପ୍ରକାଶ ରଥ । ଗତ ଜାନୁଆରୀ ୧୧ ତାରିଖରେ ବହୁବନ୍ଧ ଗ୍ରାମର ବାଦାମ ବେପାରୀ ବିଶେଶ୍ୱର ବିଶ୍ୱାଳଙ୍କ ୧୦୮ ବସ୍ତା ବାଦାମ ବାଲେଶ୍ୱରରୁ ଆସି ଠାକୁରମୁଣ୍ଡା ଅଭିମୁଖେ ଯାଉଥିଲା । ହେଲେ ନୁଦଡିହା ଫାଣ୍ଡି ପୋଲିସ୍ ଉକ୍ତ ଗାଡିକୁ ଅଟକାଇଥିଲା । ଏବଂ ତତପରେ ଉକ୍ତ ବାଦାମ ବୋଝେଇ ଗାଡିକୁ କପ୍ତିପଦା ଥାନା ଅଧିକାରୀ ପ୍ରକାଶ ରଥ ନିଜ ହେପାଜତକୁ ନେଇଥିଲେ ଅର୍ଥାତ୍ କପ୍ତିପଦା ଥାନାକୁ ନେଇଥିଲେ । କପ୍ତିପଦା ଥାନାକୁ ବାଦାମ ବୋଝେଇ ଗାଡି ଯିବା ପରେ ଗାଡିର ସମସ୍ତ କାଗଜପତ୍ର ନେଇ ବାଦାମ ବେପାରୀ ବିଶେଶ୍ୱର ବିଶ୍ୱାଳ ଯିଏ କି ଏବେ କ୍ୟାନସର ରୋଗରେ ପୀଡିତ ସେ ନିଜ ପୁତୁରାଙ୍କ ସହିତ ଥାନାକୁ ଯାଇଥିଲେ । କପ୍ତିପଦା ଥାନାରେ ପହଂଚି ପୋଲିସ୍ ଜବତ କରିଥିବା ଗାଡିର ସମସ୍ତ କାଗଜପତ୍ର ସହିତ ବାଦାମର କାଗଜପତ୍ର ମଧ୍ୟ ଦେଖାଇଥିଲେ । ହେଲେ ବାଦାମ ବେଆଇନ ଚାଲାଣ ହେଉଥିବା ଏବଂ ବେପାରୀ ବିଶେଶ୍ୱର ଦେଖାଇଥିବା କାଗଜପତ୍ର ଜାଲି ବୋଲି ଗାଡିକୁ ଥାନାରେ ଅଟକ ରଖିଥିଲେ ଆଇଆଇସି ପ୍ରକାଶ ରଥ । ଏହା ସହିତ ବେପାରୀ ବିଶେଶ୍ୱର ପ୍ରଦାନ କରିଥିବା କାଗଜପତ୍ରର ଯାଂଚ କରିବା ପରେ ଗାଡି ଛାଡିବେ ବୋଲି କହିଥିଲେ । କାଗଜପତ୍ର ଯାଂଚ କରିବା ପରେ ସମସ୍ତ ଦସ୍ତାବିଜ୍ ଠିକ୍ ଥିବା ଜାଣି ମଧ୍ୟ ଗାଡି ଛାଡିବା ନିମନ୍ତେ ୧୫ ହଜରା ଟଙ୍କା ଲାଂଚ ମାଗିଥିଲେ ଆଇଆଇସି । ଯାହାପରେ ଜଣେ ମଧ୍ୟସ୍ଥି ଜରିଆରେ ଆଇଆଇସି ପ୍ରକାଶ ରଥ ଉକ୍ତ ଲାଂଚ ଟଙ୍କା ନେଇଥିଲେ । ଯାହାକି ଫୋନ ପେ ରେ ପ୍ରଦାନ କରାଯାଇଛି । ଏହି ଲାଂଚ ନେବା ପରେ ବାଦାମ ବୋଝେଇ ହୋଇଥିବା ଗାଡିକୁ ଛାଡି ଦେଇଥିବା ବେଳେ ଗାଡିରେ ଲୋଡ ହୋଇଥିବା ବାଦାମ ବସ୍ତାକୁ ଜଣେ ବେପାରୀଙ୍କ ଘରେ ବେନିୟମ ଭାବେ ଓହ୍ଲାଇ ରଖିଥିଲେ ଆଇଆଇସି । ଗାଡି ଛାଡି ଦେବା ପରେ ପୁଣି ବାଦାମ ବସ୍ତା ଛାଡିବା ପାଇଁ ଆଇଆଇସି ଆଉ ୫୦ ହଜାର ଟଙ୍କା ଲାଂଚ ମାଗିଥିଲେ । ଯାହାକି କ୍ୟାନସର ରୋଗରେ ପୀଡିତ ବିଶେଶ୍ୱର ବିଶ୍ୱାଳ ଉକ୍ତ ଲାଂଚ ଟଙ୍କା ଦେବାକୁ ଅସମର୍ଥ ଥିବା ବେଳେ ଏ ନେଇ ସେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ଉପଖଣ୍ଡ ପୋଲିସ୍ ଅଧିକାରୀଙ୍କୁ ଫୋନ ଯୋଗେ ଜଣାଇଥିଲେ । କ୍ୟାନସରରେ ପୀଡିତ ଥିବାରୁ ସେ ବାରିପଦା ଯାଇ ଲିଖିତ ଆକାରରେ ଅଭିଯୋଗ ଦେଇ ପାରି ନ ଥିବା କହିଛନ୍ତି । କେବଳ ଟଙ୍କା ନୁହେଁ ମାନସିକ ଭାବେ ମଧ୍ୟ ବାରମ୍ବାର ଥାନାକୁ ଡାକି ଜଣେ କ୍ୟାନସର ପୀଡିତଙ୍କୁ ଘଣ୍ଟା ଘଣ୍ଟା ଥାନାରେ ବସାଇ ଆଇଆଇସି ପ୍ରକାଶ ରଥ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ଆଣିଛନ୍ତି ବିଶେଶ୍ୱର । ତେବେ ଜାନୁଆରୀ ମାସ ଠାରୁ ଜବତ ହୋଇଥିବା ବାଦାମ ଆଣିବା ପାଇଁ ବାରମ୍ବାର ଥାନାକୁ ଦୌଡିଥିଲେ ସୁଦ୍ଧା ଆଇଆଇସି ପ୍ରକାଶ ରଥ ବାଦାମ ନ ଦେଇ ତାହାକୁ ଷ୍ଟକ କରି ରଖିଛନ୍ତି, ଯାହାଫଳରେ ମୂଷା ନଷ୍ଟ କରିବା ସହିତ ଉକ୍ତ ୧୦୮ ବସ୍ତା ବାଦାମ ଯାହାର ମୂଲ୍ୟ ୨ ଲକ୍ଷରୁ ଉର୍ଦ୍ଧ୍ୱ ହେବ ଏବେ ନଷ୍ଟ ହୋଇଗଲାଣି । ଶେଷରେ ତିନି ମାସ ଦୌଡିବା ପରେ କୌଣସି ନ୍ୟାୟ ନ ପାଇବାରୁ ଶେଷରେ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲି ନିଜ ନିର୍ଯ୍ୟାତନାର କାହାଣୀ କହିଛନ୍ତି ବିଶେଶ୍ୱର । ସେପଟେ ଘଟଣା ବାବଦରେ ଉପଖଣ୍ଡ ପୋଲିସ୍ ଅଧିକାରୀ ହୃଷିକେଶ ନାୟକଙ୍କୁ ପଚାରିବାରୁ ତାଙ୍କ ନିକଟକୁ ଲିଖିତ ଅଭିଯୋଗ ଆସିନାହିଁ ଏବଂ ଘଟଣା ବାବଦରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତାଙ୍କ ସହିତ କଣ କଥା ହୋଇଛନ୍ତି ତାହା ସେ କହିବେ ନାହିଁ ବୋଲି କହିଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ