ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗର ଜାତୀୟ ଆଲୋଚନାଚକ୍ର

Apr 24, 2025 - 16:35
 0  0
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଇତିହାସ ବିଭାଗର ଜାତୀୟ ଆଲୋଚନାଚକ୍ର

ବାରିପଦା ୨୪/୦୪: ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ଇତିହାସ ବିଭାଗ ଦ୍ଵାରା ଆୟୋଜିତ ଏକ ଦୁଇ ଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦଘାଟିତ ହେଇଯାଇଛି । "ଉତ୍ତର ଓଡ଼ିଶା ଜନଜାତିଙ୍କ ସାମାଜିକ-ଅର୍ଥନୈତିକ ଏବଂ ସାଂସ୍କୃତିକ ରୂପରେଖ: ଯୁଗ ଯୁଗ ଧରି ପରିବର୍ତ୍ତନ" ଶୀର୍ଷକ ଏହି ଆଲୋଚନାଚକ୍ରରେ ବିଶ୍ଵବିଦ୍ୟାଳୟର କୂଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ପୃଷ୍ଠପୋଷାକ ଭାବେ ଯୋଗ ଦେଇ ଅଧ୍ୟକ୍ଷତା କରିଥିଲେ । ନିଜ ବକ୍ତବ୍ୟରେ ପ୍ରଫେସର ତ୍ରିପାଠୀ ଉତ୍ତର ଓଡ଼ିଶାର ସ୍ଥାନୀୟ ଜନଜାତି ମାନଙ୍କର ସଂସ୍କୃତି କିପରି ଭାବରେ ବଜାୟ ରହିବ ସେ ଦିଗରେ ବିଶ୍ୱବିଦ୍ୟାଳୟ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ଏହି ଆଲୋଚନାଚକ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଅଶୋକ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଜ ବକ୍ତବ୍ୟରେ ଜନଜାତି ମାନେ ନିଜ ସଂସ୍କୃତିକୁ ବଜାୟ ରଖିବା ପାଇଁ ସମ୍ମୁଖୀନ ହେଉଥିବା ବିଭିନ୍ନ ଆନ୍ଦୋଳନ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ଶ୍ରୀମା ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧକ୍ଷ ଡକ୍ଟର ଶ୍ୟାମସୁନ୍ଦର ଦାସ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ଜନଜାତି ମାନେ ସମାଜର ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ନିଜର ଅଭିଭାଷଣ ରଖିଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଜନଜାତିଙ୍କ ବିକଶିତ ପରିଚୟକୁ ବୁଝିବା ଏବଂ ସମର୍ଥନ କରିବା ଦିଗରେ ଏହି ଆଲୋଚନାଚକ୍ର ଏକ ସମୋୟଚିତ ପଦକ୍ଷେପ ବୋଲି କହିଥିଲେ । ବି.ବି ମହାବିଦ୍ୟାଳୟ, ବାଇଗଣବାଡ଼ିଆର ଅବସରପ୍ରାପ୍ତ ଅଧ୍ୟାପକ ଡକ୍ଟର ଜେ.ଏସ.ଡି.ଏନ ସଚନ୍ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସ୍ଥାନୀୟ ଜନଜାତି ମାନଙ୍କର ଉତ୍ପତ୍ତି ଓ ବିକାଶ ଧାରା ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ । ଏହି ଆଲୋଚନାଚକ୍ରର ଆବାହକ ତଥା ବିଭାଗୀୟ ସଂଯୋଜିକା ଡକ୍ଟର ମୋନାଲି ଗୋସ୍ୱାମୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଲୋଚନାଚକ୍ରର କାର୍ଯ୍ୟକାରୀ ସମ୍ପାଦିକା ଡକ୍ଟର ତୃପ୍ତିରେଖା ସାହୁ ଆଲୋଚନାଚକ୍ରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ବିବରଣୀ ରଖିଥିଲେ ଓ ଅନ୍ୟତମ କାର୍ଯ୍ୟକାରୀ ସମ୍ପାଦକ ରଞ୍ଜନ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନାଚକ୍ରର ଅନ୍ୟତମ କାର୍ଯ୍ୟକାରୀ ସମ୍ପାଦିକା ଭାଲେଣ୍ଟିନା ହାଁସଦା ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ । ଏହି ଆଲୋଚନାଚକ୍ରରେ ମୋଟ ୫ ଜଣ ନିମନ୍ତ୍ରିତ ବକ୍ତା ଓ ୬୯ ଜଣ ଗବେଷକ/ ଗବେଷିକା ନିଜର ଗବେଷଣାତ୍ମକ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଏହି ଆଲୋଚନାଚକ୍ରର ଉଦଘାଟନୀ ସମାରୋହରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ