ବ୍ରଜରାଜନଗରରେ "ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର"ଦିବ୍ୟାଙ୍ଗଜନଙ୍କ ସ୍ୱାବଲମ୍ବନ ଓ ସଶକ୍ତୀକରଣ ପାଇଁ ସହାୟକ ପାସ୍ ଓ ଉପକରଣ ବଣ୍ଟନ:ମୋଟ ୧୦୧ ଜଣ ପଞ୍ଜୀକୃତ
*ଝାରସୁଗୁଡ଼ା,(ଫାଷ୍ଟ ନ୍ୟୁଜ ଓଡ଼ିଶା)୨୯/୦୯:* ବ୍ରଜରାଜନଗର ପୌର ପରିଷଦ ପରିସରରେ ଆଜି ଏକ ଦିବସୀୟ "ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର" ଅନୁଷ୍ଠିତ ହୋଇଯାଇଛି। ପୌରାଞ୍ଚଳରେ ବସବାସ କରୁଥିବା ଦିବ୍ୟାଙ୍ଗଜନମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା, ସେମାନଙ୍କୁ ସ୍ୱାବଲମ୍ବୀ କରିବା ତଥା ଆବଶ୍ୟକୀୟ ସରକାରୀ ସୁବିଧା ସୁଯୋଗ ଯୋଗାଇଦେବା ଲକ୍ଷ୍ୟରେ ଏହି ଶିବିରର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବ୍ରଜରାଜନଗର ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ କ୍ରିଷ୍ଣା ଗୋପାଳ ସିତାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ସାମର୍ଥ୍ୟ ଶିବିରରେ ପୌର ନିର୍ବାହୀ ଅଧିକାରୀ ଶ୍ରୀ ଚନ୍ଦ୍ରମଣି ସ୍ୱାଇଁ, ଖଲିଆକାନି ମେଡିକାଲର ମେଡିକାଲ ଅଧିକାରୀ ଡାକ୍ତର ଶ୍ରୀ ପ୍ରଧାନ, ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁନୀଲ ଦାସ ଏବଂ ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ତପନ ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଦିବ୍ୟାଙ୍ଗଜନମାନଙ୍କୁ ଉତ୍ସାହିତ କରିଥିଲେ। ଏଥିସହିତ ପୌର ପରିଷଦର ସମସ୍ତ ୱାର୍ଡର କାଉନସିଲର ଏବଂ କର୍ମଚାରୀମାନେ ଉପସ୍ଥିତ ରହି ଶିବିରର ସୁପରିଚାଳନାରେ ସକ୍ରିୟ ସହଯୋଗ ପ୍ରଦାନ କରିଥିଲେ। ଏହି ଶିବିରରେ ସମୁଦାୟ ୧୦୧ ଜଣ ଦିବ୍ୟାଙ୍ଗ ହିତାଧିକାରୀ ନିଜର ନାମ ପଞ୍ଜୀକରଣ କରିଥିଲେ। ବିଶେଷକରି ହାତ କିମ୍ବା ଗୋଡ଼ ହରାଇଥିବା ଏବଂ ବିଭିନ୍ନ ପ୍ରକାରର ଶାରୀରିକ ଅକ୍ଷମତା ଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରାଯାଇ, ସେମାନଙ୍କ ଶାରୀରିକ ଆବଶ୍ୟକତା ଅନୁଯାୟୀ କୃତ୍ରିମ ଅଙ୍ଗ (କୃତ୍ରିମ ହାତ, ଗୋଡ଼) ଓ ଅନ୍ୟାନ୍ୟ ସହାୟକ ଉପକରଣ ପ୍ରଦାନ ପାଇଁ ବିଶେଷଜ୍ଞଙ୍କ ଦ୍ୱାରା ମାପ ନିଆଯାଇଛି। ଶିବିର ମାଧ୍ୟମରେ ଆକଳନ ଓ ଚିହ୍ନଟ ଆଧାରରେ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସୁବିଧା ଓ ସହାୟକ ଉପକରଣ ପ୍ରଦାନ କରାଯାଇଥିଲା। ଏଥିମଧ୍ୟରେ: ଟ୍ରେନ୍ ପାସ୍: ୨୩ ଜଣ ବସ୍ ପାସ୍: ୧୮ ଜଣ ହ୍ୱିଲଚେୟାର: ୦୫ ଜଣ ଶ୍ରବଣ ଯନ୍ତ୍ର : ୦୯ ଜଣ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ପୌର ପରିଷଦର ଏଭଳି ପ୍ରୟାସ ଦ୍ୱାରା ଅଞ୍ଚଳର ଅସହାୟ ତଥା ଦିବ୍ୟାଙ୍ଗଜନମାନେ ଉପକୃତ ହୋଇପାରିବେ ଏବଂ ଆଗାମୀ ଦିନରେ ସେମାନଙ୍କ ନିମନ୍ତେ ଆହୁରି ଅନେକ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି।
ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0