ବିଶ୍ୱ ସାକ୍ଷରତା ଦିବସରେ ଶିକ୍ଷକ ସୋମନାଥ ସିଂହ ସମ୍ବର୍ଦ୍ଧିତ

Sep 10, 2025 - 16:01
 0  4
ବିଶ୍ୱ ସାକ୍ଷରତା ଦିବସରେ ଶିକ୍ଷକ ସୋମନାଥ ସିଂହ ସମ୍ବର୍ଦ୍ଧିତ

ବାରିପଦା - ତା :- ୦୯/୦୯/୨୦୨୫ ରିଖ ସ୍ଥାନୀୟ ରୋଟାରୀ କ୍ଲବ ସମ୍ମିଳନୀ କକ୍ଷରେ ବିଶ୍ୱ ସାକ୍ଷରତା ଦିବସ ପାଳନ ଅବସରରେ ରୋଟାରୀ କ୍ଲବ, ବାରିପଦା ଦ୍ୱାରା ଶିକ୍ଷକ ସୋମନାଥ ସିଂହଙ୍କୁ ସମ୍ବର୍ଦ୍ଧିତ କରାଯାଇଛି I ଛାତ୍ରଛାତ୍ରୀ ମାନଙ୍କର ଅନ୍ତର୍ନିହିତ ଗୁଣାବଳୀର ବିକାଶ ସହିତ ଶିକ୍ଷା ବିଭାଗର ବିଭିନ୍ନ କାର୍ଯ୍ୟକ୍ରମରେ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ରୋଟାରୀ କ୍ଲବ ତରଫରୁ ତାଙ୍କୁ ସମ୍ମାନଜନକ "ନେସନ ବିଲଡର ଟିଚର" ଭାବେ ସମ୍ମାନିତ କରାଯଇଛି I ରୋଟାରୀ କ୍ଲବର ସଭାପତି ଭବାନୀ ଶଙ୍କର ସାହୁ, ସମ୍ପାଦକ ତିମିର କୁମାର ଘୋଷଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ପି ଆର ଏମ ଭେଷଜ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ର. ଡକ୍ଟର ପ୍ରତିଭା ପଣ୍ଡା ଶ୍ରୀ ସିଂହଙ୍କୁ ସମ୍ମାନିତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଡକ୍ଟର ସୁଶାନ୍ତ କୁମାର ବସା, ଡଃ ପୁଷ୍ପା ପାତ୍ର, ରୋଟାରିଆନ ସନ୍ଦୀପ ଚାନ୍ଦ, ସୁବାଷ ସାହୁ, ଡଃ ଶଶାଙ୍କ ଶେଖର ପାଣିଗ୍ରାହୀ, ନିରୋଜ ପଣ୍ଡା, ଶ୍ୟାମଳ ପଟ୍ଟନାୟକ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ /ଶିକ୍ଷୟତ୍ରୀ, ଶିକ୍ଷାବିତ ଓ ସମାଜସେବୀ ଉପସ୍ଥିତ ଥିଲେ I ବର୍ତ୍ତମାନ କାର୍ଯ୍ୟରତ ପୂର୍ଣ୍ଣଚନ୍ଦ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ଶ୍ରୀ ସିଂହଙ୍କ ଦାନ ପ୍ରଶଂସନୀୟ I ଖବର ପାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମ୍ୟ ଦାଶଙ୍କ ସମେତ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଛାତ୍ରାବାସର କର୍ମଚାରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି I ପ୍ରକାଶ ଥାଉକି ଶିକ୍ଷା, କ୍ରୀଡା, କଳା ସଂସ୍କୃତି, ରକ୍ତଦାନ, ବୃକ୍ଷରୋପଣ ଆଦି ମହାନ କାର୍ଯ୍ୟରେ ନିଜର ପାରଦର୍ଶିତା ପ୍ରତିପାଦନ କରି ସେ ବହୁବାର ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି I ଆଉ ୬ ମାସ କାର୍ଯ୍ୟକାଳ ଥିବାବେଳେ ଦୀର୍ଘ ୩୪ ବର୍ଷର ଶିକ୍ଷକତା ଭିତରେ ନିଜର କାର୍ଯ୍ୟଶୈଳୀ ପାଇଁ ଛାତ୍ରଛାତ୍ରୀ, ଅବିଭାବକ ଓ ଶିକ୍ଷା ବିଭାଗରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି I

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ