।। ଡ଼ ଦ୍ବିତୀ ଚନ୍ଦ୍ର ସାହୁ ପାଇବେ ଜାତୀୟ ଶିକ୍ଷକ ସମ୍ମାନ ୨୦୨୪ ।।

ମହାମହିମ ରାଷ୍ଟ୍ରପତି ଗୁରୁଦିବସରେ କରିବେ ସମ୍ମାନିତରାୟଗଡ -ତା 28/08(ଫାଷ୍ଟ ନ୍ୟୁଜ ଓଡ଼ିଶା ):- ଜନଜାତି ପିଲାଙ୍କ ଶିକ୍ଷାର ବିକାଶ ପାଇଁ ଦୀର୍ଘ ବର୍ଷ ଧରି ନିଆରା ଶିକ୍ଷଣ ପ୍ରକ୍ରିୟାରେ ନିଜକୁ ସାମିଲ କରି ଆସିଥିବା ଡ଼ ଦ୍ବିତୀ ଚନ୍ଦ୍ର ସାହୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପାଇଁ ଚୟନ ହୋଇଛନ୍ତି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟ ବିଲେଷୁରେ କଳା ଶିକ୍ଷକ ଭାବେ କର୍ମରତ ଅଛନ୍ତି । ଦ୍ବିତୀ ଚନ୍ଦ୍ର ଏକାଧାରରେ ଶିକ୍ଷକ, ରାଜ୍ୟ ସାଧନ କର୍ମୀ ସାଙ୍ଗକୁ ପ୍ରତିଷ୍ଠିତ ସାହିତ୍ୟିକ, ଲୋକପ୍ରିୟ ସ୍ତମ୍ଭକାର, କ୍ଷୁଦ୍ର ଚଳଚ୍ଚିତ୍ର ନିର୍ଦ୍ଦେଶକ, ଗୀତିକାର ଭାବେ ଓଡ଼ିଶାରେ ପରିଚିତ । ଜନଜାତି ଶିକ୍ଷା , ଜନଜାତି ସଂସ୍କୃତି ଓ ଗବେଷଣାରେ ତାଙ୍କର ଗଭୀର ପ୍ରବେଶ ରହିଛି ଏବଂ ଏଥିପାଇଁ ସେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ବହୁବାର ପୁରଷ୍କୃତ ଓ ସମ୍ମାନିତ । ରାୟଗଡା ଜିଲ୍ଲାର ପଦ୍ମପୁରରେ ଜନ୍ମିତ ଦ୍ବିତୀ ଚନ୍ଦ୍ର ବରିଷ୍ଠ ସାମ୍ବାଦିକ କୀର୍ତ୍ତି ଚନ୍ଦ୍ର ସାହୁଙ୍କ ସାନ ଭାଇ ଏବଂ ସେ ୨୦୦୧ରେ ଶିକ୍ଷକ ଭାବରେ ଯୋଗଦାନ କରିବା ପରେ ଶିକ୍ଷା ଗବେଷଣାରେ ନିଜର ରୁଚି ପ୍ରକଟ କରିଥିଲେ । ଶିକ୍ଷକ ତାଲିମ ପ୍ରଦାନ ସହ ନୂତନ ଗବେଷଣାରେ ଦୀର୍ଘ 23 ବର୍ଷ ଧରି ନିଜକୁ ମନୋନିବେଶ କରିଛନ୍ତି । ଜନଜାତି ପିଲାଙ୍କୁ ବିଦ୍ୟାଳୟ ମୁହାଁ କରିବା ସହ ଅଭିନବ ପଦ୍ଧତିରେ ଶିକ୍ଷାଦାନ ଲାଗି ସେ ନିଆରା ଶିକ୍ଷଣ ପ୍ରକ୍ରିୟ।ମାନ ଉଦ୍ଭାବନ କରି ସବୁସ୍ତରରେ ଚର୍ଚ୍ଚିତ । ଅଦ୍ୟାବଧି ସେ ସାହିତ୍ୟର ବିଭିନ୍ନ ବିଭାଗରେ ୧୮ଟି ପୁସ୍ତକ ରଚନା କରିଛନ୍ତି । ଚଳିତ ବର୍ଷ ଜାତୀୟ ଶିକ୍ଷକ ସମ୍ମାନ ପାଇଁ ତାଙ୍କ ନାମ ଚୟନ ହେବା ପରେ ରାୟଗଡ ମାଟିରେ ଖୁସିର ଲହରୀ ଖେଳି ଯାଇଛି । ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି । ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଦକ୍ଷିଣାଞ୍ଚଳ ଆରଡିସି ରୂପ ରୋଶନ ସାହୁ, ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ଡ଼ିଆଇଜି ଚରଣ ସିଂ ମିନା ପ୍ରମୁଖ ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ରାୟଗଡ଼ା ଜିଲ୍ଲା ମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ବାଳ, ବିଭାଗୀୟ ସିଆଇ ଶ୍ୟାମଘନ ଭୂୟାଁ , ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ, ଶିକ୍ଷାବିତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ସମେତ ରାଜ୍ୟର ବହୁ ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ ତଥା ଶିକ୍ଷକ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ଖବର ପାଇବା ପରେ ଡ଼ଃ ଦ୍ବିତୀ ଚନ୍ଦ୍ର ଖୁସି ବ୍ୟକ୍ତ କରିବା ସହ ଏହି ସମ୍ମାନକୁ ସମସ୍ତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଶିକ୍ଷର୍ଥୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ଏଭଳି ସମ୍ମାନ ଜନକ ପୁରଷ୍କାର ହାସଲ ଏକ ଗର୍ବ ଓ ଗୌରବର ବିଷୟ ଏବଂ ଏଥିପାଇଁ ମୋ ପରିବାରବର୍ଗ ଓ ଶୁଭେଛୁ, ବିଭାଗୀୟ ଅଧିକାରୀଙ୍କ ନିରନ୍ତର ପ୍ରୋତ୍ସାହନ ଓ ପ୍ରେରଣା ନିକଟରେ କୃତଜ୍ଞତା ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏହି ସମ୍ମାନ ଆଗକୁ ଆହୁରି ଅଧିକ ଭାବେ କାମ କରିବାକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି । ଆସନ୍ତା ସେପ୍ଟେମ୍ବର ୫ ଗୁରୁ ଦିବସ ଦିନ ନୂଆଦିଲ୍ଲୀ ଠାରେ ଏକ ସ୍ଵତନ୍ତ୍ର ଉତ୍ସବରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ମାନିତ ହେବେ ।
ରାୟଗଡା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା
What's Your Reaction?






