ଝାରସୁଗୁଡ଼ାରେ ପିଏମ୍-କିଷାନ ଉତ୍ସବ ଦିବସ ପାଳିତ:ଜିଲ୍ଲାର ୩୪,୬୧୭ ଚାଷୀଙ୍କ ଖାତାକୁ ଗଲା ୬ କୋଟି ୯୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା:-ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୪ତମ କିସ୍ତି ଅର୍ଥରାଶି ହସ୍ତାନ୍ତରର ସିଧା ପ୍ରସାରଣ*କୃଷକଙ୍କ ଆର୍ଥିକ ସଶକ୍ତିକରଣ ଓ ଉନ୍ନତ କୃଷି ପଦ୍ଧତି ଉପରେ ଗୁରୁତ୍ୱ

Oct 30, 2026 - 18:51
 0  25
ଝାରସୁଗୁଡ଼ାରେ ପିଏମ୍-କିଷାନ ଉତ୍ସବ ଦିବସ ପାଳିତ:ଜିଲ୍ଲାର ୩୪,୬୧୭ ଚାଷୀଙ୍କ ଖାତାକୁ ଗଲା ୬ କୋଟି ୯୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା:-ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୪ତମ କିସ୍ତି ଅର୍ଥରାଶି ହସ୍ତାନ୍ତରର ସିଧା ପ୍ରସାରଣ*କୃଷକଙ୍କ ଆର୍ଥିକ ସଶକ୍ତିକରଣ ଓ ଉନ୍ନତ କୃଷି ପଦ୍ଧତି ଉପରେ ଗୁରୁତ୍ୱ

*ଝାରସୁଗୁଡ଼ା, ୩୦/୧୦(ଫାଷ୍ଟ ନ୍ୟଜ ଓଡ଼ିଶା):* ପିଏମ୍-କିଷାନ ଯୋଜନାର ୨୪ତମ କିସ୍ତି ଅର୍ଥରାଶି ହସ୍ତାନ୍ତର ଅବସରରେ ଆଜି ଝାରସୁଗୁଡ଼ାଠାରେ ପିଏମ୍-କିଷାନ ଉତ୍ସବ ଦିବସ ପାଳିତ ହୋଇଯାଇଛି। ଗୁଜରାଟର ବନାସକାଣ୍ଠାଠାରେ ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୪ତମ କିସ୍ତି ଅର୍ଥରାଶି ହସ୍ତାନ୍ତରର ସିଧା ପ୍ରସାରଣ ଆଜି ପୂର୍ବାହ୍ନ ୧୦ଟାରୁ ଆଭାସୀ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ଏହି ଅବସରରେ ଝାରସୁଗୁଡ଼ାସ୍ଥିତ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଝାରସୁଗୁଡ଼ାର ମାନ୍ୟବର ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସାଂସଦଙ୍କ ପ୍ରତିନିଧି ଶ୍ରୀ ଶ୍ଳୋକ ସର୍ଣ୍ଣା, ମାନ୍ୟବର ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ ନଭଲ ଅଗ୍ରୱାଲ ଏବଂ କୃଷି ବିଜ୍ଞାନ କେନ୍ଦ୍ର, ଝାରସୁଗୁଡ଼ାର ବରିଷ୍ଠ ବୈଜ୍ଞାନିକ ଶ୍ରୀ ସମୀର ରଞ୍ଜନ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏଥିସହ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ସୁଶ୍ରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ରହିଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଜି. ଜୟନ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଉତ୍ସବର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଏହି କିସ୍ତିରେ ଝାରସୁଗୁଡ଼ା ଜିଲ୍ଲାର ମୋଟ ୩୪,୬୧୭ ଜଣ ପଞ୍ଜୀକୃତ କୃଷକଙ୍କ ବ୍ୟାଙ୍କ ଖାତାକୁ ୬,୯୨,୩୪,୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ସିଧାସଳଖ ହସ୍ତାନ୍ତର କରାଯାଇଛି। ମିଳିଥିବା ତଥ୍ୟ ଅନୁଯାୟୀ: ଝାରସୁଗୁଡ଼ା ବ୍ଲକ୍: ୪,୮୧୫ ଜଣ ହିତାଧିକାରୀଙ୍କୁ ୯୬,୩୦,୦୦୦ ପ୍ରଦାନ କିର୍ମିରା ବ୍ଲକ୍: ୫,୫୬୫ ଜଣ ହିତାଧିକାରୀଙ୍କୁ ୧,୧୧,୩୦,୦୦୦ ପ୍ରଦାନ କୋଲାବିରା ବ୍ଲକ୍: ୫,୯୫୬ ଜଣ ହିତାଧିକାରୀଙ୍କୁ ୧,୧୯,୧୨,୦୦୦ ପ୍ରଦାନ ଲାଇକେରା ବ୍ଲକ୍: ୭,୦୭୧ ଜଣ ହିତାଧିକାରୀଙ୍କୁ ୧,୪୧,୪୨,୦୦୦ ପ୍ରଦାନ ଲଖନପୁର ବ୍ଲକ୍: ୧୧,୨୧୦ ଜଣ ହିତାଧିକାରୀଙ୍କୁ ୨,୨୪,୨୦,୦୦୦ ପ୍ରଦାନ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ ନିଜ ଅଭିଭାଷଣରେ କୃଷି କ୍ଷେତ୍ରକୁ ଜଳସେଚନ ସୁବିଧା ଯୋଗାଇଦେବା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିବା ଉଲ୍ଲେଖ କରିଥିଲେ।ଏଥିମଧ୍ୟରେ ମେଗା ଲିଫ୍ଟ, ଲିଫ୍ଟ ଇରିଗେସନ, ମାଇନର ଇରିଗେସନ, ଚେକ୍ ଡ୍ୟାମ୍ ଏବଂ ଆଇଏସ୍ଏସ୍ ମାଧ୍ୟମରେ ଜଳସେଚନ ବ୍ୟବସ୍ଥା ଅନ୍ତର୍ଭୁକ୍ତ ବୋଲି ସେ କହିଥିଲେ।

ଏଥିସହ ଚାଷୀମାନଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ମଣ୍ଡି ସ୍ଥାପନ ସହିତ ପାନୀୟ ଜଳ, ବିଶ୍ରାମଗାର, ଶୌଚାଳୟ ଓ ଓଜନ ମାପ ଯନ୍ତ୍ର ଭଳି ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଇଥିବା ସମ୍ପର୍କରେ ସେ ଆଲୋକପାତ କରିଥିଲେ। ବିଭିନ୍ନ ସ୍ଥାନରେ ଶିବିର ଆୟୋଜନ କରି ସରକାରୀ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ଚିହ୍ନଟ କରି ସମସ୍ତ ସୁବିଧା ଯୋଗାଇଦେବା ପାଇଁ କୃଷି ବିଭାଗ ପ୍ରସ୍ତୁତ ରହିଥିବା ସେ ପ୍ରକାଶ କରିଥିଲେ। ସେହିପରି କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଶ୍ରୀ ସମୀର ରଞ୍ଜନ ଦାଶ ନିଜ ବକ୍ତବ୍ୟରେ କୃଷକମାନଙ୍କୁ ବିଭିନ୍ନ ସରକାରୀ ଯୋଜନାର ସୁଯୋଗ ନେବା ସହ ଆଧୁନିକ ଓ ଉନ୍ନତ କୃଷି ପଦ୍ଧତି ଆପଣାଇ ଚାଷ କାର୍ଯ୍ୟକୁ ଅଧିକ ଲାଭଜନକ କରିବାକୁ ଉତ୍ସାହିତ କରିଥିଲେ। ଏଥିସହ ପିଏମ୍-କିଷାନ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ସହ ସେମାନଙ୍କ ଆର୍ଥିକ ସଶକ୍ତିକରଣ ଏବଂ କୃଷିର ବିକାଶ ଦିଗରେ ଏହି କାର୍ଯ୍ୟକ୍ରମର ଆୟୋଜନ ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିବା ସହ ପରିଶେଷରେ ଝାରସୁଗୁଡ଼ା ବ୍ଲକ୍ ସହକାରୀ କୃଷି ଅଧିକାରୀ ଶ୍ରୀ ଗଗନ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ଜିଲ୍ଲାର ବହୁସଂଖ୍ୟକ କୃଷକ, ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରମୁଖ ଉପସ୍ଥିତ ଥିଲେ।

ଝାରସୁଗୁଡା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ