ରାଜ୍ୟ ପୋଲିସ ମୁଖ୍ୟାଳୟ ପ୍ରେସ୍ ମିଟ୍

May 23, 2025 - 21:31
 0  53
ରାଜ୍ୟ ପୋଲିସ ମୁଖ୍ୟାଳୟ  ପ୍ରେସ୍ ମିଟ୍

ତା ୨୩.୦୫ .୨୦୨୫ ବିଦେଶରେ ଉଚ୍ଚ ଦରମାରେ ଚାକିରୀ କରାଇ ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କ ନିକଟରୁ କୋଟି କୋଟି ଟଙ୍କା ଠକି ନେଇଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ୨୦୧୮ ମସିହାରୁ ଲୋକଙ୍କ ନିକଟରୁ ଟଙ୍କା ଠକିନେଇ ଫେରାର ଥିବା ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳର ଅଭିଯୁକ୍ତ ବିଷ୍ଣୁ ପ୍ରସାଦ ପଟ୍ଟନାୟକକୁ ଗିରଫ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡିଜିପି କ୍ରାଇମବ୍ରାଞ୍ଚ ଶ୍ରୀ ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି। ଡିଜିପିଙ୍କ ସୂଚନା ମୁତାବକ, ଅଭିଯୁକ୍ତ ବିଷ୍ଣୁ ଗୁଣୁପୁର ଥାନା ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ବିଦେଶରେ ଉଚ୍ଚ ଦରମାରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ଠକି ନେଇଥିଲେ। ବ୍ରିଟିଶ ଏୟାରୱେଜ୍ ଏବଂ ଲୁଫସ୍ଥାନ୍ସା ଏୟାରୱେଜ୍‌ ଭଳି କମ୍ପାନୀରେ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ତାଙ୍କଠାରୁ ୯୦ ଲକ୍ଷ ଟଙ୍କା ଠକି ନେଇଥିଲେ। ଏହା ସହ ସେ ତାଙ୍କୁ ନିଯୁକ୍ତି ପତ୍ର ମଧ୍ୟ ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ନିଯୁକ୍ତି ପତ୍ରଟି ସମ୍ପୂର୍ଣ୍ଣ ଜାଲ ବୋଲି ବ୍ୟକ୍ତି ଜଣକ ଜାଣିବା ପରେ ଗୁଣୁପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ସେହିପରି ଅନ୍ୟ ଏକ ମାମଲାରେ ଅଭିଯୁକ୍ତ ବିଷ୍ଣୁ ଅନ୍ୟଜଣେ ବ୍ୟକ୍ତିଙ୍କ ପୁଅକୁ ବିଦେଶରେ ଏକ ଲାଭଜନକ ଚାକିରି ଯୋଗାଇ ଦେବା ବାହାନାରେ ୧୫ ଲକ୍ଷ ଟଙ୍କା ଠକି ନେଇଥିଲେ। ଉଭୟ ମାମଲା ଗୁଣୁପୁର ଥାନାରେ ପଞ୍ଜୀକୃତ ହୋଇଥିଲା। ପରବର୍ତ୍ତୀ ସମୟରେ ଏହି ଦୁଇ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ଅଭିଯୁକ୍ତ ବିଷ୍ଣୁ ବିଭିନ୍ନ ସମୟରେ ନିଜକୁ ଡାକ୍ତର, ପ୍ରଫେସର, ଇଞ୍ଜିନିୟର ପରିଚୟ ଦେବାସହ ନିଜର ଠିକଣା ପ୍ରମାଣ, ଡ୍ରାଇଭିଂ ଲାଇସେନ୍ସର ଜାଲ କାଗଜ ପତ୍ର ପ୍ରସ୍ତୁତ କରିଥିଲେ। । ଏତଦବ୍ଯତୀତ ଅଭିଯୁକ୍ତ HR Maxons ଏବଂ Lufthansa Technik ଭଳି ଅନ୍ତର୍ଜାତୀୟ ପରାମର୍ଶଦାତା କମ୍ପାନୀ ନାମରେ ନକଲି ପ୍ରସ୍ତାବ ଏବଂ ନିଯୁକ୍ତି ପତ୍ର ପ୍ରସ୍ତୁତ କରୁଥିଲା ବୋଲି ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ପୋଲିସ ଜାଣିବାକୁ ପାଇଥିଲା। ଏହାସହ ତଦନ୍ତ ଚାଲିଥିବା ସମୟରେ ଗିରଫଦାରୀରୁ ରକ୍ଷା ପାଇବା ପାଇଁ ଅଭିଯୁକ୍ତ ବିଷ୍ଣୁ କାମ୍ବୋଡିଆ ପଳାଇ ଯାଇଥିଲେ ଏବଂ ନିଜର ପରିଚୟ ଲୁଚାଇବା ପାଇଁ ଦ୍ୱିତୀୟ ପାସପୋର୍ଟ ମଧ୍ୟ ତିଆରି କରିଥିଲେ। ବିଷ୍ଣୁଙ୍କ ବିରୁଦ୍ଧରେ ୨୦୧୯ରେ ପୋଲିସ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର ମଧ୍ୟ ଜାରି କରାଯାଇଥିଲା । ଅଭିଯୁକ୍ତ ବିଷ୍ଣୁ ବିଶାଖାପାଟଣା, ବ୍ରହ୍ମପୁର, ଭୁବନେଶ୍ୱର ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ଚାକିରି ଯୋଗାଇବା ବାହାନାରେ ଲୋକଙ୍କୁ ଟଙ୍କା ଠକେଇ କରିଥିବା ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି । ତାଙ୍କୁ ରାୟଗଡ଼ା ଜିଲ୍ଲା ଗୁଣୁପୁରର ଏସଡିଜେଏମଙ୍କ ସମ୍ମୁଖରେ ହାଜର କରାଯାଇଥିବା ବେଳେ ଅଧିକ ତଦନ୍ତ ନିମନ୍ତେ ରିମାଣ୍ଡରେ ଅଣାଯିବ ବୋଲି ଡିଜିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। । ଏହି ସାମ୍ବାଦିକ ସମ୍ମିଳନୀରେ ଡିଆଇଜି କ୍ରାଇମବ୍ରାଞ୍ଚ ଶ୍ରୀ ବି. ଗଙ୍ଗାଧର ମଧ୍ୟ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ