ବେତନଟୀ ଠାରେ ବେତନଟୀ ଓ ବଡ଼ସାହି ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Jun 25, 2025 - 20:31
 0  5
ବେତନଟୀ ଠାରେ ବେତନଟୀ ଓ ବଡ଼ସାହି ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

ସମୁଦାୟ ୯୫୫ଟି ଅଭିଯୋଗର ଶୁଣାଣି ହେଲା। ମାନ୍ୟବର ବିଧାୟକ ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବାରିପଦା: ୨୫.୦୬.୨୦୨୫// ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମାନ୍ୟବର ବିଧାୟକ ବଡ଼ସାହି, ଶ୍ରୀ ସନାତନ ବିଜୁଳିଙ୍କ ଅଧ୍ୟକ୍ଷତାରେ ବେତନଟୀ ବ୍ଲକ ବୈଠକ ଗୃହ ଠାରେ ବେତନଟୀ ଓ ବଡ଼ସାହି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ୯୫୫ଟି ଅଭିଯୋଗ ଶୁଣାଣି ହୋଇଥିବା ବେଳେ ମାନ୍ୟବର ବିଧାୟକ ଜନସାଧାରଣଙ୍କ ଅଭିଯୋଗ ଗୁଡିକ ଶୁଣି ସେସବୁର ଆବଶ୍ୟକ ସମାଧାନ ପାଇଁ ଏବଂ ଅସମ୍ପୂର୍ଣ୍ଣ କାର୍ଯ୍ୟ ଗୁଡିକର ତୁରନ୍ତ କାର୍ଯ୍ୟକାରିତା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଜନଅଭିଯୋଗ ଶୁଣାଣୀ ବୈଠକରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପାଲ୍ଲୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ , ଶ୍ରୀ ଧର୍ମାନନ୍ଦ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. କିଶୋର କୁମାର ଆଚାର୍ଯ୍ୟ, ବେତନଟୀ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ କୌଶଲ୍ୟା ମାଝୀ, ବେତନଟୀ ଏସ ଡି ପି ଓ ଶ୍ରୀମତୀ ମିନତୀ ବିଶ୍ୱାଳ ଯୋଗ ଦେଇଥବା ବେଳେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ,ଲାଇନ ବିଭାଗୀୟ ଅଧିକାରୀ ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗର ସମାଧାନ କରିବା ପାଇଁ ଅଭିଯୋଗ ପତ୍ର ଗୁଡିକ ଗ୍ରହଣ କରିଥିଲେ। ସମସ୍ତ ଅଭିଯୋଗ ମାନଙ୍କ ମଧ୍ୟରେ ମୁଖ୍ୟତଃ ସରକାରୀ ଅନୁଦାନ ପ୍ରାପ୍ତ ଗୃହ ନିର୍ମାଣ, ଗ୍ରାମ୍ୟ ବିଦ୍ୟୁତ ଯୋଗାଣ, ଜମି ପଟ୍ଟା, ବିଭିନ୍ନ ସ୍ଥାନରେ ଜଳ ଯୋଗାଣ ଓ ପରିମଳ, ଉଠାଜଳସେଚନ, ଗ୍ରାମ୍ୟ ଉନ୍ନୟନ,ଜମି ସୀମାଙ୍କନ, ନିର୍ମାଣ ଶ୍ରମିକ ସହାୟତା, ଜଙ୍ଗଲ ଜମି ପଟ୍ଟା ଆବଣ୍ଟନ, ଶିକ୍ଷା, ଆଇନ ଶୃଙ୍ଖଳା ଏବଂ ଚିକିତ୍ସା ଜନିତ ଆବଶ୍ୟକ ସୁବିଧା ଗମନାଗମନ, ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା ଭତ୍ତା, ରାସନ କାର୍ଡ, ମହିଳା ଓ ଶିଶୁ ବିକାଶ ବିଭାଗ ଅନ୍ତର୍ଗତ ବିଭିନ୍ନ ସହାୟତା,କୃଷକ ସହାୟତା, ପ୍ରଧାନମନ୍ତ୍ରୀ ଆବାସ, ଅନ୍ତ୍ୟୋଦୟ ଗୃହ ଯୋଜନା ବାସଗୃହ ଜନିତ ଇତ୍ୟାଦି ସମସ୍ୟା ଥିଲା। ଅଭିଯୋଗର ଗୁରୁତ୍ୱକୁ ବିଚାର କରି ରେଡକ୍ରସ ରିଲିଫ ପାଣ୍ଠିରୁ ୨ଜଣଙ୍କୁ ପ୍ରତ୍ୟେକ ୫୦୦୦/- ଟଙ୍କା ଲେଖାଏଁ ଓ ଜଣଙ୍କୁ ୨୦୦୦/- ଟଙ୍କା ସହାୟତା ରାଶି ଏବଂ ଅନ୍ୟ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୫୦୦୦/- ଟଙ୍କା ସହାୟତା ରାଶି ମଞ୍ଜୁର କରାଯାଇଛି। ଆଜିର ଶୁଣାଣୀରେ ବିଭିନ୍ନ ବିଭାଗ ପାଇଁ ଆସିଥିବା ଅଭିଯୋଗ ଗୁଡିକ ମଧ୍ୟରେ ସରକାରଙ୍କର ବିଭିନ୍ନ ଯୋଜନା ଅନୁଯାୟୀ ଅଭିଯୋଗ ଗୁଡିକ ଉପରେ ବିଚାର କରି ତାର ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ମାନ୍ୟବର ବିଧାୟକ ଓ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଉକ୍ତ ଜନ ଶୁଣାଣୀ ଶିବିର ବେତନଟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ସୁତାରଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ସହଯୋଗ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ