ପ୍ରଧାନ ଶିକ୍ଷକଙ୍କ ହସ୍ତକ୍ଷେପ ପରେ ୟୁପିରୁ ଫେରିଲା ଦଶମ ଶ୍ରେଣୀ ଛାତ୍ରୀ

Feb 19, 2025 - 19:52
 0  14
ପ୍ରଧାନ ଶିକ୍ଷକଙ୍କ ହସ୍ତକ୍ଷେପ ପରେ ୟୁପିରୁ ଫେରିଲା ଦଶମ ଶ୍ରେଣୀ ଛାତ୍ରୀ

ନୂଆପଡା : ଆସନ୍ତା ୨୧ତାରିଖ ଦିନ ମାଟ୍ରିକ ବୋର୍ଡ ପରୀକ୍ଷା ହେବ ବୋଲି ଜିଲ୍ଲା ଶିକ୍ଷାବିଭାଗ ଚଳଚଞ୍ଚଳ ଥିବାବେଳେ ବିଭିନ୍ନ ବିଦ୍ୟାଳୟରୁ ଶତାଧ୍ଵକ ଛାତ୍ରଛାତ୍ରୀ ରାଜ୍ୟ ବାହାରେ ବିଭିନ୍ନ ଇଟାଭାଟିରେ ଦାଦନ ଖଟୁଥିବା ଜଣାପଡିଛି । ଏଭଳି ସ୍ଥିତିରେ ନୂଆପଡା ଜିଲ୍ଲା ସଦର ବ୍ଳକ ଚୁଲାଭାଟ ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରବୋଧ କୁମାର ହୋତାଙ୍କ ହସ୍ତକ୍ଷେପରେ ଜଣେ ପରୀକ୍ଷାର୍ଥୀ ସୁଦୂର ଉତ୍ତର ପ୍ରଦେଶରୁ ଆଜି ଘରକୁ ଫେରି ଆସିଛନ୍ତି । ତାଙ୍କୁ ବିଦ୍ୟାଳୟ ତରଫରୁ ପ୍ରବେଶିକା ପତ୍ର ଦେବା ସହ ପରୀକ୍ଷାରେ କୃତୀତ୍ୱ ଅର୍ଜନ କରିବାକୁ ଆଶୀର୍ବାଦ ମଧ୍ଯ ପ୍ରଦାନ କରାଯାଇଛି । ବିଦ୍ୟାଳୟରେ ମୋଟ ୨୧ଜଣ ଛାତ୍ର ଛାତ୍ରୀ ଦଶମ ଶ୍ରେଣୀରେ ରହିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଛାତ୍ରୀ ସ୍ଥାନୀୟ ଭଇଁଷାଦାଦର ଗାଁର ପିଲାବାଇ ରାଉତ, ବାପା ମାଆଙ୍କ ସହ ଉତ୍ତର ପ୍ରଦେଶର ସୁଲତାନପୁର ଇଟାଭାଟିକୁ ଯାଇ ଦାଦନ ଖଟୁଥିଲେ । ଏହି ଖବର ପାଇ ପ୍ରଧାନ ଶିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଶ୍ରେଣୀ ଶିକ୍ଷକ ସଂପୃକ୍ତ ଇଟାଭାଟି ମାଲିକଙ୍କ ସହ ଫୋନ ଯୋଗେ ବାର୍ତାଲାପ କରିଥିଲେ । ଏଥୁରେ ମାଲିକ ରାଜି ହୋଇ ତାଙ୍କୁ ଛାଡି ଦେଇଥଲେ । ଦୁଇ ଦିନ ତଳେ ଟ୍ରେନରେ ନିଜ ମାଆ ରାଜିଆ ବୈଠକଙ୍କ ସହ ମିଶି ନୂଆପଡାରେ ଆସି ପହଞ୍ଚିଥିଲେ । ଆସନ୍ତା ଶୁକ୍ରବାର ଦିନ ପରୀକ୍ଷା ଥିବାରୁ ବିଦ୍ୟାଳୟରେ ପହଞ୍ଚି ପ୍ରଧାନଶିକ୍ଷକଙ୍କ ହାତରୁ ପ୍ରବେଶିକା ପତ୍ର ଗ୍ରହଣ କରିଥିଲେ । ଏହି ସମୟରେ ତାଙ୍କର ଶ୍ରେଣୀ ଶିକ୍ଷକ ମଧ୍ଯ ଉପସ୍ଥିତ ଥିଲେ । ପିଲାବାଇ କିପରି ସମସ୍ତ ପରୀକ୍ଷା ଦିନ ଉପସ୍ଥିତ ରହି ପରୀକ୍ଷା ଦେବା ସହ ଭଲ ପ୍ରଦର୍ଶନ କରିବ ସେଥିପାଇଁ ସମସ୍ତେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

 ନୂଆପଦରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ