ନୂଆପଡ଼ାରେ ଉପ-ନିର୍ବାଚନ ସୁପରିଚାଳନା ପାଇଁ ଅଧିକାରୀମାନଙ୍କୁ ସମ୍ୱର୍ଦ୍ଧିତ କଲେ ଜିଲ୍ଲାପାଳ
ନୂଆପଡ଼ା ବିଧାନସଭା ମଣ୍ଡଳୀ-୭୧ ଉପ-ନିର୍ବାଚନ–୨୦୨୫କୁ ସୁଚାରୁ ଭାବେ ପରିଚାଳନା କରିଥିବା ଅଧିକାରୀମାନଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ ଆଜି ସ୍ଥାନୀୟ ସଦଭାବନା ସଭାଗୃହରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ନିର୍ବାଚନ ପରିଚାଳନାରେ ଜଡିତ ପ୍ରତ୍ୟେକ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉଚ୍ଚ ସ୍ୱରରେ ପ୍ରଶଂସା କରିଥିଲେ। ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ସମ୍ପନ୍ନ କରିବାରେ ସେମାନଙ୍କ ଅବଦାନକୁ ସେ ଅତ୍ୟନ୍ତ ସ୍ମରଣୀୟ ବୋଲି କହିଥିଲେ। ଜିଲ୍ଲାପାଳ ନିର୍ବାଚନ ସମୟରେ ସମ୍ମୁଖୀନ ବିଭିନ୍ନ ଚାଲେଞ୍ଜ ସମ୍ପର୍କରେ ମଧ୍ୟ ସ୍ମରଣ କରିଥିଲେ ଏବଂ ସମସ୍ତଙ୍କ ଦଳଗତ ସମନ୍ୱୟ ଓ ଅକ୍ଳାନ୍ତ ପରିଶ୍ରମ ଫଳରେ ଜିଲ୍ଲା ପ୍ରଶାସନ ରାଜ୍ୟ ଓ ଜାତୀୟ ସ୍ତରରେ ଶ୍ରେଷ୍ଠ ନିର୍ବାଚନ ପୁରସ୍କାର ଅର୍ଜନ କରିପାରିଥିବା କଥା ଉଲ୍ଲେଖ କରିଥିଲେ। ଜିଲ୍ଲାପାଳ ତାଙ୍କ ବାର୍ତ୍ତାରେ କହିଥିଲେ ଯେ ପ୍ରଶାସନର ଅନ୍ୟନାମ ହେଉଛି ଗତିଶୀଳତା ଓ ସମ୍ବେଦନଶୀଳତା। ଏହି ପରିପ୍ରେକ୍ଷିରେ ସଦ୍ୟ ସମାପ୍ତ ହୋଇଥିବା ନୂଆପଡ଼ା ଜିଲ୍ଲାରେ ୭୧-ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଉପ-ନିର୍ବାଚନ–୨୦୨୫ର ବହୁଳ ସଫଳତାରେ ଆପଣମାନଙ୍କର ନିଷ୍ଠାପର ଉଦ୍ୟମ, ଦଳଗତ ମନୋଭାବ, ଆନ୍ତରିକ ସ୍ୱେଚ୍ଛାକୃତ ଅବଦାନ ଓ ଦିନ-ରାତି କଠିନ ପରିଶ୍ରମ ପାଇଁ ସେ ହୃଦୟଙ୍ଗମ ଶୁଭେଚ୍ଛା, ଶୁଭକାମନା ଓ ପ୍ରଶଂସା ଜଣାଇଥିଲେ। ସେ ଆହୁରି କହିଥିଲେ ଯେ କଷ୍ଟସାଧ୍ୟ ପରିସ୍ଥିତି ସତ୍ତ୍ୱେ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ସହିତ ସୁଗମ ଭାବରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ସୁନିଶ୍ଚିତ କରିବାରେ ସମସ୍ତଙ୍କ ପ୍ରୟାସ ଯୁଗାନ୍ତକାରୀ ଥିଲା। ଆଗାମୀ ସେବାଜୀବନରେ ମଧ୍ୟ ସମସ୍ତେ ଏହି ଉତ୍ସାହ, ନୈତିକତା ଓ କର୍ତ୍ତବ୍ୟନିଷ୍ଠାକୁ ଅବ୍ୟାହତ ରଖି ସରକାରୀ ଦାୟିତ୍ୱ ପାଳନରେ ନୂତନ ମାନଦଣ୍ଡ ସ୍ଥାପନ କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଉପ-ଜିଲ୍ଲାପାଳ ସୁର୍ମି ସୋରେନ, ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମନିଧି ଭୋଇ, ଡେପୁଟି ଜିଲ୍ଲାପାଳ (ନିର୍ବାଚନ) ଏସ୍.କେ. ନସିମ ସହ ଜିଲ୍ଲା ସ୍ତରର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିର୍ବାଚନ ପରିଚାଳନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ନୂଆପଡ଼ା ଜିଲ୍ଲା ପ୍ରଶାସନ ଜାତୀୟ ସ୍ତରରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ପୁରସ୍କାର ଲାଭ କରିଥିବା ସହ ରାଜ୍ୟ ସ୍ତରରେ ମଧ୍ୟ ସମ୍ମାନିତ ହୋଇଛି।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0