ଧାନ କ୍ଷେତରେ ମାଛ ଚାଷ: ମାଲକାନଗିରି ଚାଷୀଙ୍କୁ ବୈଜ୍ଞାନିକ ଉପାୟରେ ତାଲିମ ଦେଲେ ବିଶେଷଜ୍ଞ
*ମାଲକାନଗିରି, ୦୫ ନଭେମ୍ବର:* ମତ୍ସ୍ୟ ଚାଷୀମାନଙ୍କ ଆୟ ବୃଦ୍ଧି, ଉନ୍ନତ ଚାଷ ପ୍ରଣାଳୀର ପ୍ରସାର ଏବଂ ଧାନ ସହିତ ମତ୍ସ୍ୟଚାଷକୁ ସମନ୍ୱିତ କରିବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ସମ୍ମିଳନୀ କକ୍ଷରେ ଧାନ ସହିତ ମାଛ ସମନ୍ୱିତ ଚାଷ ସମ୍ପର୍କିତ ସଚେତନା ଅଭିଯାନ ତଥା ବୈଷୟିକ ପ୍ରସାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ବିଭାଗ ମାଲକାନଗିରିର ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ମାଲକାନଗିରି, କୋରୁକୋଣ୍ଡା ଓ କାଲିମେଳା ବ୍ଲକର ଧାନ ଚାଷୀ, ମତ୍ସ୍ୟଚାଷୀ ଏବଂ ହିତାଧିକାରୀମାନେ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଚାଷୀମାନଙ୍କୁ ବୈଷୟିକ ମାର୍ଗଦର୍ଶନ ଦେବା ପାଇଁ କଟକ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକ ଡ଼. ଆନି ପୁନମ୍, ବୈଷୟିକ ଅଧିକାରୀ ଅକ୍ଷୟ କୁମାର ମହାରଣା, ମତ୍ସ୍ୟ ନିର୍ଦ୍ଦେଶାଳୟର ଉପ-ନିର୍ଦ୍ଦେଶକ ଜଗଦୀଶ ଚନ୍ଦ୍ର ପଣ୍ଡା, ଅତିରିକ୍ତ ମତ୍ସ୍ୟ ଅଧିକାରୀ ସ୍ୱୟଂପ୍ରଭା ବଳ, ୱାର୍ଲ୍ଡ ଫିସ୍ ସେଣ୍ଟରର ମତ୍ସ୍ୟ ବିଶେଷଜ୍ଞ ଅମର ଗାୟକୱାଡ଼, ଭେଙ୍କଟ ନାରାୟଣ, କୃଷି ବିଜ୍ଞାନ କେନ୍ଦ୍ର ମାଲକାନଗିରିର ବୈଜ୍ଞାନିକ ଦେବୀ ପ୍ରସାଦ ଦାସ ଏବଂ ଅତିରିକ୍ତ କୃଷି ଅଧିକାରୀ ଚନ୍ଦ୍ରଶେଖର ଭୂମିଆ ଉପସ୍ଥିତ ରହି ତାଲିମ ସହ ବୈଷୟିକ ଜ୍ଞାନ କୌଶଳ ପ୍ରଦାନ କରିଥିଲେ। ବିଶେଷଜ୍ଞମାନେ ଧାନ କ୍ଷେତରେ ମାଛ ଚାଷର ଗୁରୁତ୍ୱ, ଉପଯୁକ୍ତ ଜମି ଚୟନ, ଜମି ପ୍ରସ୍ତୁତି, ଜଳ ପରିଚାଳନା, ମାଛ ଯାଆଁଳା ଚୟନ, ଖାଦ୍ୟ ପ୍ରୟୋଗ ଏବଂ ରୋଗ ନିୟନ୍ତ୍ରଣ ବିଷୟରେ ବିସ୍ତୃତ ତଥ୍ୟ ଦେଇଥିଲେ। ଏହି ସମନ୍ୱିତ ଚାଷ ଦ୍ୱାରା ଗୋଟିଏ ଜମିରୁ ଧାନ ସହିତ ମାଛ ଉତ୍ପାଦନ କରି ଚାଷୀମାନେ ଅତିରିକ୍ତ ଆୟ ଉପାର୍ଜନ କରିପାରିବେ। ଏହା ଜମି ଓ ଜଳ ସମ୍ପଦର ସୁବିନିଯୋଗ, ପୋଷଣ ସୁରକ୍ଷା ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶରେ ସହାୟକ ହେବ। ଏହି ଅବସରରେ ‘କ୍ଷେତ ବଞ୍ଚାଅ ଅଭିଯାନ’ ଏବଂ ‘ଜନଜାତୀୟ ଗୌରବ ଦିବସ’ ମାଧ୍ୟମରେ ଚାଷୀମାନଙ୍କୁ ସଚେତନ କରାଯାଇଥିଲା। ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ସୁଧାଂଶୁ କୁମାର ମଲ୍ଲିକଙ୍କ ତତ୍ତ୍ୱାବଧାନରେ ମାଲକାନଗିରି ସହକାରୀ ମତ୍ସ୍ୟ ଅଧିକାରୀ ଶାଶ୍ଵତ ମହାନ୍ତି ଓ କୋରୁକୋଣ୍ଡା ସହକାରୀ ମତ୍ସ୍ୟ ଅଧିକାରୀ ସୌମେନ୍ଦ୍ର କୁମାର ବେହେରା ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏଥିରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଳକର ସହକାରୀ ମତ୍ସ୍ୟ ଅଧିକାରୀ ଶାନ୍ତନୁ କୁମାର ଗିରି, ଅବଦୁଲ୍ ନିଜାମୁଦିନ ଖାନ, ମନୋଜ କୁମାର ଜେନା, ରାଜେଶ କୁମାର ମହାରଣା, ଡି. ଲିଙ୍ଗରାଜ ପାତ୍ର ଓ ଅନ୍ୟାନ୍ୟ କର୍ମଚାରୀ ସହାୟତା କରିଥିଲେ। ଶେଷରେ ଉପସ୍ଥିତ ଚାଷୀମାନଙ୍କୁ ଏହି ଲାଭଜନକ ସମନ୍ୱିତ ଚାଷ ପ୍ରଣାଳୀ ଆପଣାଇବା ସହିତ ଅନ୍ୟ ଚାଷୀମାନଙ୍କୁ ମଧ୍ୟ ଏଥିପାଇଁ ପ୍ରେରିତ କରିବାକୁ ଆହ୍ୱାନ ଦିଆଯାଇଥିଲା।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0