ଗୋଟିଏ ରାତିରେ ଦୁଇଟି ଜାଗାରୁ ମୂଲ୍ୟବାନ ବିଦ୍ୟୁତ ଯନ୍ତ୍ରାଂଶ ଚୋରି, ଚବିଶ ଘଣ୍ଟା ପରେ ବି ପୋଲିସ ହାତ ଖାଲି

Nov 24, 2024 - 21:45
 0  9
ଗୋଟିଏ ରାତିରେ ଦୁଇଟି ଜାଗାରୁ ମୂଲ୍ୟବାନ ବିଦ୍ୟୁତ ଯନ୍ତ୍ରାଂଶ ଚୋରି, ଚବିଶ ଘଣ୍ଟା ପରେ ବି ପୋଲିସ ହାତ ଖାଲି

ବେତନଟୀ , ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ପାଇକଯୁଗପୁରା ଗ୍ରାମ ଉପକଣ୍ଠରେ ଚାଷ ଜମିରେ ଜଳସେଚନ ନିମନ୍ତେ ଥିବା ବୋରୱେଲ ଭିତରୁ ଏକ ମୂଲ୍ୟବାନ ପାଣିପମ୍ପ କାଲି ବିଳମ୍ବିତ ରାତ୍ରୀରେ ଚୋରି ହୋଇଯାଇଥିବା ସୂଚନା ମିଳିଛି। ଫଳରେ ଏହି ଜଳସେଚନ ପ୍ରକଳ୍ପ ରୁ ନିଜନିଜର ଚାଷ ଜମିକୁ ପାଣି ନେଉଥିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଚାଷୀ ମାନସ କୁମାର ପୁହାଣଙ୍କ ଅଭିଯୋଗ କ୍ରମେ ପୋଲିସ ୪୧୬ ନଂ ର ଏକ ମୋକଦ୍ଦମା ରୁଜ୍ଜୁ କରି ତଦନ୍ତ ଚଳାଇଛି। ସେହିପରି ଏହି ଗ୍ରାମ ସନ୍ନିକଟ ଏକ ୧୬ କେଭିଏ ବିଦ୍ୟୁତ ଟ୍ରାନ୍ସଫରମର୍ ଭିତରେ ଥିବା ମୂଲ୍ୟବାନ ତମ୍ବା କଏଲ୍ ଚୋରି ହୋଇଯାଇଥିବା ନେଇ ବୈଶିଙ୍ଗା ଟାଟା ପାୱାର ବିଦ୍ୟୁତ ସେକସନ୍ ଯନ୍ତ୍ରୀ ପ୍ରଶାନ୍ତ କୁମାର ନାୟକଙ୍କ ଲିଖିତ ଅଭିଯୋଗ ମୂଳେ ୪୧୭ ନଂ ର ଏକ ମୋକଦ୍ଦମା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଛି। ତେବେ ୧୧ କେଭି ବିଦ୍ୟୁତ୍ ତାର ର ଗୋଟିଏ ପାର୍ଶ୍ୱ ଅଭିଯୁକ୍ତ ମାନେ କାଟି ସାରିଥିଲେ ମଧ୍ୟ କୈାଣସି କାରଣ ବଶତଃ ଅପର ପାର୍ଶ୍ଵ କାଟି ନେବାପାଇଁ ସକ୍ଷମ ହୋଇପାରି ନାହାନ୍ତି। ତେବେ ଟ୍ରାନ୍ସଫରମର ଟିକୁ ଖୋଲି ନିକଟସ୍ଥ ଚାଷ ଜମିରେ ଫିଙ୍ଗିଦେଇ ତା ଭିତରୁ ମୂଲ୍ୟବାନ ତମ୍ବା କଏଲ୍ ଖୋଲି ନେଇ ରଫୁ ଚକ୍କର ହେବାରେ ସକ୍ଷମ ହୋଇଛନ୍ତି। ଫଳରେ ଏହି ଟ୍ରାନ୍ସଫରମର ଉପରେ ନିର୍ଭରଶୀଳ ସମଗ୍ର ଗ୍ରାମବାସୀ ଏବେ ଅନ୍ଧାରରେ କାଳ କାଟୁଛନ୍ତି। ଗତ ଛଅ ମାସ ମଧ୍ୟରେ ଏଭଳି ଚାରିଟି ଟ୍ରାନ୍ସଫରମର ରୁ କଏଲ୍ ଚୋରି ହୋଇଯାଇଥିବା ନେଇ ବିଦ୍ୟୁତ ଅଧିକାରୀଙ୍କ ସୁତ୍ରରୁ ସୂଚନା ମିଳିଛି। ଏଭଳି ଅନୈତିକ କାର୍ଯ୍ୟରେ ଯୋଜନାବଦ୍ଧ ଭାବେ ଏକ ନିର୍ଦ୍ଧିଷ୍ଟ ରାକେଟ କାର୍ଯ୍ୟ କରୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଚାଲିଛି। ଘଟଣାର ଚବିଶ ଘଣ୍ଟା ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତ ମାନଙ୍କ ସମ୍ପର୍କରେ ପୋଲିସକୁ କୌଣସି ସୁରାକ ମିଳିପାରିନାହିଁ । ପୋଲିସ ପ୍ରଶାସନର ଉଦାସୀନତା ଯୋଗୁଁ ବୈଦୁତିକ ଯନ୍ତ୍ରାଂଶ ଚୋରି ହୋଇଯାଉଥିବା ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ