।। ସେବାଶ୍ରମ ରୋଷେୟା ତଥା ସେବାୟତ ସଙ୍ଘ ର ସାଧାରଣ ବୈଠକ ଅନୁଷ୍ଠିତ ।।

ନୂଆପଡ଼ା : ୧୫/୧୦ ଆଜି ନୂଆପଡା ଜିଲ୍ଲା ସେବାଶ୍ରମ ରୋଷେୟା ତଥା ସେବାୟତ ସଂଘ ର ଏକ ସାଧାରଣ ବୈଠକ କୋମନା ବ୍ଲକ ଅନ୍ତର୍ଗତ ବିଲେଞ୍ଜର ଏସ.ଭି. ଏ. ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରାଙ୍ଗଣ ରେ ସଙ୍ଘ ର ଜିଲ୍ଲା ସଭାପତି ଶ୍ରୀ ଭୈରବ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଜିଲ୍ଲାର ବିଶିଷ୍ଟ ଚାଷୀ ଓ ଶ୍ରମିକ ନେତା ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ର ଆବାହକ ତଥା ବିଜେପି ର ବରିଷ୍ଠ ନେତା ଶ୍ରୀ ଯଦୁମଣି ପାଣଗ୍ରାହୀ ମୁଖ୍ୟ ଅତିଥି ଭାବେ ସାମିଲ୍ ହୋଇ ଥିବା ବେଳେ ପାଲା ଗୁରୁ ଶ୍ରୀ ଅର୍ଜୁନ ଛତ୍ରିଆ ଓ ବିଜେପି ନେତା ଶ୍ରୀ ମନିଜର ଆର୍ଯ୍ୟ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ରୋଷେଇଆ ତଥା ସେବାୟତ ମାନେ ସାରା ଜିଲ୍ଲାରେ ବିଭିନ୍ନ ସେବାଶ୍ରମ ଓ ଛାତ୍ରାବାସ ଗୁଡିକରେ ଦୀର୍ଘ ଦିନ ରୁ ନିୟୋଜିତ ହୋଇ ଅଧ୍ୟୟନ ରତ ଅନ୍ତେବାସୀ ଛାତ୍ରଛାତ୍ରୀ ମାନଙ୍କୁ ଦୁଇ ଓଳି ଖାଦ୍ୟ ରୋଷେଇ, ପରିବେଷଣ କରିବା ସହିତ ବିଦ୍ୟାଳୟ ର ବିଭିନ୍ନ କାର୍ଯ୍ୟ ବିଦ୍ୟାଳୟ ପରିସର ରେ ରହି, ଛାତ୍ର ଛାତ୍ରୀ ଙ୍କୁ ସହଯୋଗ କରିବା ପାଇଁ ଦିନ ରାତି ପରିଶ୍ରମ କରୁଛନ୍ତି। ସାରା ରାତି ଛାତ୍ର ଛାତ୍ରୀ ମାନଙ୍କୁ ଜଗିବା, ବିଦ୍ୟାଳୟ ଓ ହଷ୍ଟେଲ ପରିସର ସଫା କରିବା, ବିଦ୍ୟାଳୟ ପରିସର ର ବଗିଚା ରକ୍ଷଣବେକ୍ଷଣ/ପାଣି ସିଞ୍ଚନ ଓ ଯତ୍ନ ନେବା, ଅନ୍ତେବାସୀ ଛାତ୍ର ଛାତ୍ରୀ ଅସୁସ୍ଥ ହେଲେ ସାଙ୍ଗରେ ଡାକ୍ତରଖାନା କୁ ଯାଇ ସେବା ଯୋଗାଇଦେବା, ଛାତ୍ର ଛାତ୍ରୀ ଶ୍ରେଣୀ ଗୃହ ଯାଇଛନ୍ତି କି ନାହିଁ ତଦାରଖ କରି ପ୍ରଧାନ ଶିକ୍ଷକ ଙ୍କୁ ଜଣେଇବା, ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କୁ ତାଙ୍କ ଶୌଚ ସ୍ନାନ ରେ ସାହାଯ୍ୟ କରିବା, ବିଦ୍ୟାଳୟ ମୁଖ୍ୟ ଗେଟ୍ ରେ ଜଗି ରହି ଆଗନ୍ତୁକ ଙ୍କ ବିବରଣୀ ପୁସ୍ତକ ରେ ଦର୍ଜ କରିବା, ବିଦ୍ୟାଳୟ ଓ ହଷ୍ଟେଲ ରେ ବିଭିନ୍ନ ଛୁଟି ସମୟରେ ଜଗି ରହିବା ଇତ୍ୟାଦିର ଅନେକ କାମ ବିନା ଫୁରସତ ରେ ଦିନରାତି କରିବାକୁ ପଡ଼ିଥାଏ। ଏତେ କାମ କରୁଥିଲେ ମଧ୍ୟ ଅର୍ଦ୍ଧ କୁଶଳୀ ଦିନ ମଜୁରୀଆ ଶ୍ରମିକ ଭାବେ ମାତ୍ର ବାର ହଜାର ଟଙ୍କା ମାସିକ ପାଉଣା ଦିଆଯାଇଥାଏ। ସରକାର ଦିନଟିଏ ଛୁଟି ମଧ୍ୟ ମଞ୍ଜୁର କରନ୍ତି ନାହିଁ। ଦୀର୍ଘ ବର୍ଷ ବର୍ଷ ଧରି କାମ କରିଆସୁଥିଲେ ବି ସରକାରୀ ମାନ୍ୟତା ଦେଇ ଦରମା ଦେଉନାହାନ୍ତି। ଘରୋଇ କମ୍ପାନୀ ଓ ଆଉଟ୍ ସୋର୍ସିଁ ରେ ନିଯୁକ୍ତ ଶ୍ରମିକ/କର୍ମଚାରୀଙ୍କ ଇ.ପି. ଏଫ୍, ଗ୍ରାଚ୍ୟୁଟି ପ୍ରଦାନ କରୁଥିବା ବେଳେ ଆମ୍ଭଙ୍କୁ ଏ ସମସ୍ତ ସୁବିଧାରୁ ବଂଚିତ କରାଯାଇଅଛି ବୋଲି ସଙ୍ଘ ର କର୍ମକର୍ତ୍ତାମାନେ ନିଜନିଜ ଅସନ୍ତୋଷ ଜାହିର କରିଥିଲେ। ଏତେ ଗୁରୁତ୍ତ୍ୱପୂର୍ଣ ଓ ଦାୟିତ୍ୱ ସମ୍ପନ୍ନ କାମ କରୁଥିବା ରୋଷେଇଆ ଓ ସେବାୟତ ମାନଙ୍କୁ ଏକ ସରକାରୀ ସଂସ୍ଥା ର ଅଧିକାରୀ ମାନଙ୍କ ଦ୍ଵାରା ଅବହେଳା, ଅଣଦେଖା ଓ ଶୋଷଣ କରିବା ନିହାତି ଦୁର୍ଭାଗ୍ୟଜନକ। ବୋଲି ମୁଖ୍ୟ ଅତିଥି ଶ୍ରୀ ଯଦୁମଣି ପାଣିଗ୍ରାହୀ ତାଙ୍କ ବକ୍ତବ୍ୟ ରେ କହିଥିଲେ। ଆଗାମୀ ଦିନରେ ପ୍ରଥମେ ସଂଘର ପ୍ରତିନିଧି ମଣ୍ଡଳୀ ଜିଲାପାଳ ଙ୍କ ସହିତ ଆଲୋଚନା କରି ଦାବୀ ପତ୍ର ପ୍ରଦାନ କରିବା, ପରବର୍ତ୍ତୀ ସମୟରେ ମୂଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ଓ ଉଚ୍ଚ ଅଧିକାରୀ ଙ୍କୁ ସମସ୍ୟା ସମାଧାନ ଜଣେଇବା, ନଚେତ୍ ସଙ୍ଗଠିତ ହୋଇ ଆନ୍ଦୋଳନ ମାଧ୍ୟମ ରେ ହକ ଦାବୀ ହାସଲ ପାଇଁ କାର୍ଯ୍ୟକ୍ରମ ହାତ କୁ ନେବା ସହିତ ଜିଲ୍ଲା ଶ୍ରମିକ ମହାସଂଘ ସବୁମନ୍ତେ ଏ କ୍ଷେତ୍ର ରେ ସହଯୋଗ କରିବ ବୋଲିଶ୍ରୀ ପାଣିଗ୍ରାହୀ ତାଙ୍କ ବକ୍ତବ୍ୟ ରେ ପ୍ରତିଶୃତି ଦେଇଥିଲେ। ତୁଲା ରାମ୍ ମାଝୀ, ସତ୍ୟାନନ୍ଦ ବେହେରା, ଥଣ୍ଡିରାମ ଭୋଇ, କ୍ଷିତିସ ମାଝୀ, ଜଗତ ରାମ୍ ଖର୍ସେଲ, କୁବେର ରାଉତ ପ୍ରମୁଖ ସଂଘ ର ନେତ୍ରୁ ମଣ୍ଡଳୀ ଙ୍କ ସମେତ ପ୍ରାୟ ସାରା ଜିଲ୍ଲାରୁ ତିନିଶହ ରୁ ଉର୍ଦ୍ଧ୍ବ ରୋଷେଇଆ ଓ ସେବାୟତମାନେ ସାମିଲ୍ ହୋଇ ଥିଲେ ।
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






