ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ସତର୍କତା ; ମାଲକାନଗିରି ଜିଲ୍ଲା ପ୍ରଶାସନର ଜରୁରୀକାଳୀନ ସମୀକ୍ଷା ବୈଠକ

Oct 26, 2026 - 22:16
 0  2
ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ସତର୍କତା ; ମାଲକାନଗିରି ଜିଲ୍ଲା ପ୍ରଶାସନର ଜରୁରୀକାଳୀନ ସମୀକ୍ଷା ବୈଠକ

ଜିଲ୍ଲା, ତହସିଲ ଏବଂ ବ୍ଲକ ସ୍ତରରେ ୨୪/୭ କାର୍ଯ୍ୟକ୍ଷମ ହେଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର -୨୭, ୨୮ ଓ ୨୯ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା - ତଳିଆ ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ନିର୍ଦ୍ଦେଶ -ଜିଲ୍ଲାବାସୀଙ୍କୁ ଆତଙ୍କିତ ନହୋଇ ସତର୍କ ରହିବାକୁ ପ୍ରଶାସନର ନିବେଦନ *ମାଲକାନଗିରି, ୨୬/୧୦:* ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ତଥା ପ୍ରବଳ ବର୍ଷା ପରିସ୍ଥିତିର ମୁକାବିଲା ଲାଗି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପୂର୍ବପ୍ରସ୍ତୁତି କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଲୋକଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ଉଚ୍ଚସ୍ତରୀୟ ଜରୁରୀକାଳୀନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମସ୍ତ ବରିଷ୍ଠ ଅଧିକାରୀ, ବିଡିଓ, ତହସିଲଦାର ଏବଂ ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପ୍ରସ୍ତୁତି ସମ୍ପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକରେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ସମୟରେ ବିଭିନ୍ନ କାର୍ଯ୍ୟକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ବିସ୍ତୃତ ଆଲୋଚନା କରାଯାଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ 'ଶୂନ୍ୟ ମୃତାହତ' ନୀତିକୁ କଡ଼ାକଡ଼ି ପାଳନ କରି ଯେକୌଣସି ପରିସ୍ଥିତିର ସାମ୍ନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ଜିଲ୍ଲା ଏବଂ ତହସିଲ ସ୍ତରରେ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଦିନରାତି ୨୪ ଘଣ୍ଟା କାର୍ଯ୍ୟକ୍ଷମ ରଖାଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୭, ୨୮ ଏବଂ ୨୯ ତାରିଖରେ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଏଥିପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ କୃଷି, ଉଦ୍ୟାନ କୃଷି ଓ ମତ୍ସ୍ୟ ବିଭାଗର ଅଧିକାରୀମାନଙ୍କୁ ବ୍ଲକ ସ୍ତରୀୟ ଟିମ୍ ସହିତ ଉତ୍ତମ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ତଳିଆ ଅଞ୍ଚଳ ଯେଉଁଠାରେ ଜଳବନ୍ଦୀ ସମସ୍ୟା ଉପୁଜିବାର ଆଶଙ୍କା ରହିଛି, ସେଠାରେ ସ୍ୱତନ୍ତ୍ର ନଜର ରଖିବାକୁ କୁହାଯାଇଛି। ଏହା ସହିତ ଏନଡିଆରଏଫ, ଅଗ୍ନିଶମ ବାହିନୀ, ଓଡ୍ରାଫ୍, ଆରକ୍ଷୀ, ଗ୍ରାମ୍ୟ ଜଳଯୋଗାଣ, ପୂର୍ତ୍ତ ବିଭାଗ ଏବଂ ସ୍ୱାସ୍ଥ୍ୟ ବିଭାଗ ସମେତ ସମସ୍ତ କାର୍ଯ୍ୟାଳୟକୁ ସଜାଗ ରହି ନିୟମିତ ଭାବେ ରିପୋର୍ଟ ରାଜ୍ୟ ସରକାରଙ୍କୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛି ଯେ, ପରିସ୍ଥିତିକୁ ନେଇ କେହି ଆଦୌ ଆତଙ୍କିତ ନହୋଇ ସତର୍କ ରୁହନ୍ତୁ ଏବଂ କେବଳ ସରକାରୀ ସୂଚନା ତଥା ନିର୍ଦ୍ଦେଶାବଳୀକୁ ପାଳନ କରନ୍ତୁ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ